ଭୁବନେଶ୍ବର: ‘ଓଡ଼ିଶା ରାଜ୍ୟ ସଡ଼କ ପ୍ରକଳ୍ପ’ର ଅଡିଟ୍ କରି ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି) ଜଣାଇଛନ୍ତି ଯେ ଏହି ପ୍ରକଳ୍ପକୁ ଠିକ୍ ଭାବେ କାର୍ଯ୍ୟକାରୀ କରାଯାଇନଥିଲା। ରାଜ୍ୟ ସଡ଼କ କ୍ଷେତ୍ର ଆଠ ବର୍ଷରୁ ଅଧିକ ସମୟ ଧରି ସରକାରଙ୍କ ଅନୁମୋଦନ ଅପେକ୍ଷାରେ ରହିଥିଲା। ଫଳରେ ମାର୍ଗଦର୍ଶନ, ସମନ୍ୱୟ ଏବଂ ପ୍ରାଥମିକତାର ଅଭାବ ଦେଖାଦେଇଥିଲା। ପର୍ଯ୍ୟାପ୍ତ ସର୍ବେକ୍ଷଣ ଓ ଅନୁସନ୍ଧାନ ବିନା ଡିପିଆରଗୁଡ଼ିକର ତ୍ରୁଟିପୂର୍ଣ୍ଣ ପ୍ରସ୍ତୁତି ଯୋଗୁଁ ପ୍ରକଳ୍ପ କାର୍ଯ୍ୟର ପରିସରକୁ ବାରମ୍ବାର ବଦଳାଇବାକୁ ପଡ଼ିଥିଲା। ଏହା ଦ୍ବାରା ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ବିଳମ୍ବ ହୋଇଥିଲା। ତାହା ଠିକାଦାରଙ୍କୁ ଅଯଥା ଫାଇଦା ଦେଇଥିଲା। ଅଧିକ ଲିଡ୍ ଚାର୍ଜ, ଅଗ୍ରହଣୀୟ ଓଭରହେଡ୍ ଚାର୍ଜ ଏବଂ ଭୁଲ୍ ଭଡ଼ା ଶୁଳ୍କ ପ୍ରଦାନ ଯୋଗୁଁ ଠିକାଦାରମାନଙ୍କୁ ଅଯଥା ଫାଇଦା ମିଳିଥିଲା ବୋଲି ସିଏଜି କହିଛନ୍ତି।
ସିଏଜି ଜଣାଇଛନ୍ତି ଯେ ରାଜ୍ୟ ସଡ଼କ କ୍ଷେତ୍ର ନୀତି ଅନୁମୋଦନ ନହେବା, ଅପର୍ଯ୍ୟାପ୍ତ ସର୍ଭେ ଓ ତ୍ରୁଟିପୂର୍ଣ ଡିପିଆର ଯୋଗୁଁ ୩୧୦.୬୫ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ହୋଇଥିଲା। ଖରାପ କାମ କାରଣରୁ ବିଶ୍ୱ ବ୍ୟାଙ୍କର ୪୮.୩୭ କୋଟି ଟଙ୍କାର ଋଣ ସ୍ଥଗିତ ରହିଥିଲା। ଯାହାଫଳରେ ରାଜ୍ୟ ରାଜକୋଷ ଉପରେ ଅତିରିକ୍ତ ବୋଝ ପଡ଼ିଥିଲା । ଜମି ଅଧିଗ୍ରହଣ, ଥଇଥାନ ଓ କ୍ଷତିଗ୍ରସ୍ତଙ୍କ ଥଇଥାନ ଓ ଉପଯୋଗିତା ସ୍ଥାନାନ୍ତରରେ ବିଳସ ଯୋଗୁଁ ବାରମାର ଚୁକ୍ତି ବାତିଲ ହେବା ସହ କାମ ଶେଷ ହେବାରେ ବିଳମ୍ବ ହୋଇଥିଲା। ଏହି ପ୍ରକଳ୍ପର ମୂଲ୍ୟ ଓ ସମୟ ଅଧିକ ହେବା ସହିତ ରାସ୍ତାକୁ ଯାତାୟତ ଯୋଗ୍ୟ କରିବା ନିମନ୍ତେ ରକ୍ଷଣାବେକ୍ଷଣ ପାଇଁ ବିଭାଗକୁ ଅତିରିକ୍ତ ଖର୍ଚ୍ଚ କରିବାକୁ ପଡ଼ିଥିଲା। ପ୍ରକଳ୍ପର ଆର୍ଥିକ ପରିଚାଳନା ନିର୍ଦ୍ଧାରିତ ମାନଦଣ୍ଡ ଓ ମାନକ ଏବଂ ପୋଡାଲ ବ୍ୟବସ୍ଥା ସହିତ ସୁସଙ୍ଗତ ନଥିଲା। ଆବଣ୍ଟିତ ପାଣ୍ଠିର ଠିକ୍ ସମୟରେ ଉପଯୋଗ ନହେବା ଫଳରେ ୨୦୧୯-୨୨ ରେ ୫୭.୮୨ କୋଟି ଟଙ୍କା ଆତ୍ମସମର୍ପଣ କରାଯାଇଥିଲା।
ବିଶେଷ କରି ଗତ ଦୁଇ ବର୍ଷ ମଧ୍ୟରେ ୫୦ପ୍ରତିଶତରୁ ଅଧିକ ପାଣ୍ଠି ଆତ୍ମସମର୍ପଣ କରାଯାଇଥିଲା ବୋଲି ସିଏଜି ଜଣାଇଛନ୍ତି। ପ୍ରକଳ୍ପ ସମ୍ପୂର୍ଣ ହେବାରେ ବିଳମ୍ବ ଯୋଗୁଁ କନ୍ସଲ୍ଟାନ୍ସି ସେବା ରଦ୍ଦ କରିବାକୁ ପଡ଼ିଥିଲା ଯାହାଫଳରେ ଅତିରିକ୍ତ ବ୍ୟୟବରାଦ ହୋଇଥିଲା। ବିଭାଗର ଅବହେଳା ଯୋଗୁଁ ପ୍ରକଳ୍ପର ତଦାରଖରେ ଅବହେଳା ଦେଖାଦେଇଥିଲା। ଏଲ୍ଇସି ବୈଠକ ନିୟମିତ ଆୟୋଜନ କରାଯାଉନଥିବାରୁ ପ୍ରକଳ୍ପର ଗୁଣାତ୍ମକ ଯୋଜନା ଓ କାର୍ଯ୍ୟକାରିତା ପ୍ରଭାବିତ ହୋଇଥିଲା। ପ୍ରକଳ୍ପ କାର୍ଯ୍ୟ ନିମ୍ନ ମାନର ଓ ମନ୍ଥର ରହିଥିଲା। ଯଦିଓ ୨୦ବର୍ଷ ପାଇଁ ଏହି ରାସ୍ତାଗୁଡ଼ିକର ଡିଜାଇନ୍ କରାଯାଇଥିଲା, କିନ୍ତୁ ସମ୍ପର୍ଣ୍ଣ ହେବାର ତିନି ମାସ ମଧ୍ୟରେ ରାସ୍ତା ଗୁଡ଼ିକର ଅନେକ ଫାଟ ସୃଷ୍ଟି ହୋଇଥିଲା। ତୃତୀୟ ପକ୍ଷ ତଦାରଖ ଅଭାବରୁ ଗୁଣବରା ସୁନିଶ୍ଚିତ କରିବାରେ ବିଫଳତା ଦେଖାଦେଇଥିଲା। ଏହା ବ୍ୟତୀତ ପ୍ରକଳ୍ପ ଅଧୀନରେ ରାସ୍ତା ନିର୍ମାଣ ସରିବା ପରେ ସଡ଼କ ଉପଭୋକ୍ତା ସନ୍ତୁଷ୍ଟି ସର୍ବେକ୍ଷଣ ନହେବା ଫଳରେ ପ୍ରକଳ୍ପ ଫଳାଫଳର ମୂଲ୍ୟାଙ୍କନ ହୋଇପାରି ନଥିଲା