ଚେକ୍‌ ଯାହାର, ଦାୟିତ୍ବ ତାହାର: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ:ବ୍ୟାଙ୍କ ଚେକ୍ ସଂପର୍କରେ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଚେକ୍‌ ଯାହା ନାଁରେ ରହିଛି ସେହି ବ୍ୟକ୍ତି ହିଁ ସେଥିପାଇଁ ଦାୟୀ ରହିବ। କୌଣସି ପରିସ୍ଥିତିରେ ଦାୟିତ୍ବରୁ ଖସିଯାଇ ପାରିବ ନାହିଁ। ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ବିଚାରପତି ଏଏସ୍‌ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହା କହିଛନ୍ତି। ଏକ ଚେକ୍‌ ବାଉନ୍ସ ମାମଲାର ଆବେଦନକୁ ଅନୁମତି ପ୍ରଦାନ କରିବା ସମୟରେ ଖଣ୍ଡପୀଠ ଏହା କହିଛନ୍ତି।

ଏପରିକି ଯଦି ହସ୍ତାକ୍ଷର ବିଶେଷଜ୍ଞ ମଧ୍ୟ ବି କୁହନ୍ତି ଚେକ୍‌ରେ ଚେକ୍‌ଧାରୀ ବିବରଣୀ ଲେଖିନାହାନ୍ତି ତାହେଲେ ମଧ୍ୟ ସଂପୃକ୍ତ ବ୍ୟକ୍ତି ଏଥିପାଇଁ ଦାୟୀ ନୁହନ୍ତି ବୋଲି ଦାବି କରିପାରିବେ ନାହିଁ। ସଂପୃକ୍ତ ମାମଲାରେ ଅଭିଯୁକ୍ତ ଦର୍ଶାଇଥିଲେ ଯେ ସେ ଅର୍ଥରାଶି ପାଇବା ବ୍ୟକ୍ତିକୁ ଦସ୍ତଖତ ଥିବା ବ୍ଲାଙ୍କ ଚେକ୍ ଦେଇଥିଲେ। କିନ୍ତୁ ଚେକ୍‌ରେ ଲେଖାଯାଇଥିବା ଅନ୍ୟାନ୍ୟ ବିବରଣୀ ସେ ଲେଖିଛନ୍ତି କି ନାହିଁ ତାହା ଯାଞ୍ଚ କରିବା ଲାଗି ଜଣେ ହସ୍ତାକ୍ଷର ବିଶେଷଜ୍ଞଙ୍କୁ ନିଯୁକ୍ତ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ କହିଥିଲେ। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯଦି ଚେକ୍‌ଟି ଋଣ ପରିଶୋଧ କିମ୍ବା ଅନ୍ୟକୌଣସି ଦେୟ ପରିଶୋଧ ପାଇଁ ରହିଥିବା ପ୍ରମାଣ ହୋଇନାହିଁ ତାହେଲେ ଚେକ୍‌ରେ ଦସ୍ତଖତ କରିଥିବା ବ୍ୟକ୍ତି ସେଥିପାଇଁ ଦାୟୀ ରହିବେ। ଏ କ୍ଷେତ୍ରରେ ଚେକ୍‌ରେ ଅନ୍ୟାନ୍ୟ ବିବରଣୀ ଚେକ୍‌ଧାରୀ ଲେଖିଛନ୍ତି କିମ୍ବା ଅନ୍ୟ କେହି ଲେଖିଛି ତାହାର କୌଣସି ମାନେ ନାହିଁ। ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ଚଳିତବର୍ଷ ମେ’ ମାସରେ ଚେକ୍ ବାଉନ୍ସ ମାମଲାର ତ୍ବରିତ ବିଚାର ପାଇଁ ୫ଟି ରାଜ୍ୟରେ ସ୍ବତନ୍ତ୍ର ଅଦାଲତ ଗଠନ ନିର୍ଦ୍ଦେଶ ଦେଇଥିଲେ। ନେଗୋସିଏବଲ୍ ଇନଷ୍ଟ୍ରୁମେଣ୍ଟସ ଆଇନ ଅନୁଯାୟୀ ଅଦାଲତ ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ସ୍ଥାପନ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା।

ସମ୍ବନ୍ଧିତ ଖବର