ଜ୍ୟୁରିକ୍: ପର୍ବତ ଆକୃତିର ବିଶ୍ବ ପ୍ରସିଦ୍ଧ ଚକ୍ଲେଟ୍ ‘ଟୁବ୍ଲରୋନ୍’ ୨୦୨୩ରୁ ଆଉ ତା’ର ପ୍ୟାକେଟ୍ରେ ‘ସୁଇଜର୍ଲାଣ୍ଡ୍’ ବୋଲି ଲେଖିବ ନାହିଁ। କାରଣ, ପ୍ରଥମେ ସୁଇଜର୍ଲାଣ୍ଡ୍ରେ ପ୍ରସ୍ତୁତ ହୋଇଥିବା ଏହି ଚକ୍ଲେଟ୍ ଏବେ ବିଶ୍ବର ଅନ୍ୟାନ୍ୟ ଦେଶରେ ମଧ୍ୟ ଉତ୍ପାଦନ କରାଯିବ।
୧୯୦୮ରେ ଟୁବ୍ଲର୍ ପାରିବାରିକ ସଂସ୍ଥାପିତ ଏହି ତ୍ରିକୋଣାକାର ଚକ୍ଲେଟ୍ ସୁଇଜର୍ଲାଣ୍ଡର କେନ୍ଦ୍ରାଞ୍ଚଳ ବନ୍ ନଗରୀରୁ ଉତ୍ପାଦିତ ହୋଇ ଆସୁଥିଲା।
କିନ୍ତୁ, ଏହି ଚକ୍ଲେଟ୍ ବ୍ରାଣ୍ଡ୍ର ମାଲିକ ଆମେରିକାର ପ୍ରଖ୍ୟାତ ଖାଦ୍ୟ ଉତ୍ପାଦନକାରୀ କମ୍ପାନି ‘ମଣ୍ଡେଲିଜ୍ ଇଣ୍ଟର୍ନ୍ୟାସ୍ନାଲ୍’ କହିଛି, ଚାହିଦା ବଢୁଥିବାରୁ ଚଳିତ ବର୍ଷ ଶେଷ ସୁଦ୍ଧା ‘ଟୁବ୍ଲରୋନ୍’ ସ୍ଲୋଭାକିଆରେ ନୂଆ ଉତ୍ପାଦନ କେନ୍ଦ୍ର ଖୋଲିବ। ତେଣୁ, ଆଇନଗତ କାରଣରୁ, ବିଶେଷକରି ‘ସୁଇସ୍ ଲ’ ଅନୁସାରେ, ‘ଟୁବ୍ଲରୋନ୍’ର ପ୍ୟାକେଟ୍ ଉପରୁ ସୁଇଜର୍ଲାଣ୍ଡ୍ ଶବ୍ଦଟି ଉଠାଇବାକୁ ପଡ଼ିବ ବୋଲି କମ୍ପାନି କହିଛି।
/sambad/media/post_attachments/wp-content/uploads/2022/06/t-33.jpg)
ସ୍ଲୋଭାକିଆ କାରଖାନାରୁ ‘ମଣ୍ଡେଲିଜ୍ ଇଣ୍ଟର୍ନ୍ୟାସ୍ନାଲ୍’ ‘ମିଲ୍କା’ ଏବଂ ‘ସୁସାର୍ଡ’ ଚକ୍ଲେଟ୍ ମଧ୍ୟ ଉତ୍ପାଦନ କରେ।
ଏଥିସହ, ପୂର୍ବପରି ବନ୍ କାରଖାନାରେ ମଧ୍ୟ ଉତ୍ପାଦନ ପାଇଁ ଅର୍ଥ ବିନିଯୋଗ ବଜାୟ ରହିବ ବୋଲି ଇ-ମେଲ୍ ବିବୃତିରେ ‘ମଣ୍ଡେଲିଜ୍ ଇଣ୍ଟର୍ନ୍ୟାସ୍ନାଲ୍’ ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫ୍ପି’କୁ କହିଛି।
ସୂଚନାଯୋଗ୍ୟ, ବର୍ଷକୁ ‘ଟୁବ୍ଲରୋନ୍’ ୭ ବିଲିୟନ୍ ଚକ୍ଲେଟ୍ ବାର୍ ଉତ୍ପାଦନ କରେ। ସେଥିରୁ ୯୭% ବିଶ୍ବର ୧୨୦ଟି ଦେଶକୁ ରପ୍ତାନି କରାଯାଏ। ବିମାନ ବନ୍ଦରର ‘ଡିୟୁଟି-ଫ୍ରି’ ଦୋକାନରେ ‘ଟୁବ୍ଲରୋନ୍’ ଚକ୍ଲେଟ୍ ସବୁବେଳେ ମିଳୁଥାଏ।