ଆଜି ଅକ୍ଷୟ ତୃତୀୟା, ୧୦% ଅଧିକ ବିକ୍ରି ଆଶା

ମୁମ୍ବାଇ: ମଙ୍ଗଳବାର ଅକ୍ଷୟ ତୃତୀୟା। ଏହି ଦିନ ସୁନା ଓ ମୂଲବାନ ଧାତୁ ଗ୍ରାହକମାନେ କିଣିଥାନ୍ତି। ଚଳିତବର୍ଷ ଦେଶରେ ଅକ୍ଷୟ ତୃତୀୟା ଦିନ ସୁନା ବଜାର ଭଲ ରହିବ ବୋଲି ବ୍ୟବସାୟୀମାନେ ଆଶାବ୍ୟକ୍ତ କରିଛନ୍ତି। ଗତ ଅକ୍ଷୟ ତୃତୀୟା ତୁଳନାରେ ଚଳିତବର୍ଷ ସୁନା ବିକ୍ରିରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଦେଖାଦେବ। ମୂଲ୍ୟରେ ସ୍ଥିରତା ଏବଂ ଖାଉଟିଙ୍କ ମନୋଭାବ ସକାରାତ୍ମକ ଥିବା କାରଣରୁ ଚଳିତବର୍ଷ ବିକ୍ରି ଭଲ ରହିବ ବୋଲି କୁହାଯାଉଛି।

ବି‌ଶେଷଜ୍ଞଙ୍କ କହିବାନୁଯାୟୀ, ଚଳିତବର୍ଷ ଫେବ୍ରୁଆରି ମଧ୍ୟଭାଗ ବେଳକୁ ସୁନା ଦର ୧୦ ଗ୍ରାମ ପିଛା ୩୩,୭୦୦ ଟଙ୍କା ଥିଲା। ଏବେ ଏହା ପ୍ରାୟ ୩୧୫୦୦ ଟଙ୍କା ସ୍ତରକୁ ଖସିଆସିଛି। ତେଣୁ ସୁନା ଓ ସୁନା ଗହଣା ବିକ୍ରିରେ ଜୋରଦାର ବୃଦ୍ଧି ଦେଖାଦେବ। ବର୍ତମାନର ବିକ୍ରି ଧାରାକୁ ଲକ୍ଷ୍ୟ କଲେ ଅକ୍ଷୟ ତୃତୀୟାରେ ବିକ୍ରି ଅଭିବୃଦ୍ଧି ଅତିକମ୍‌ରେ ୧୦ ପ୍ରତିଶତ ରହିବ ବୋଲି ସର୍ବ ଭାରତୀୟ ଜେମ୍ସ ଆଣ୍ଡ ଜୁଏଲାରି ଡେମେଷ୍ଟିକ୍ କାଉନସିଲ ଅଧ୍ୟକ୍ଷ ଅନନ୍ଥ ପଦ୍ମନାଭନ କହିଛନ୍ତି। ବିଶ୍ବ ସ୍ବର୍ଣ୍ଣ ପରିଷଦର ଏମଡି ସୋମାସୁନ୍ଦରମ ପିଆର୍ କୁହନ୍ତି, ଗତବର୍ଷର ଅକ୍ଷୟ ତୃତୀୟା ତୁଳନାରେ ଚଳିତବର୍ଷର ଅକ୍ଷୟ ତୃତୀୟା ଭଲ ରହିବ ବୋଲି ଆଶା ରଖାଯାଇଛି। ପୂର୍ବରୁ ଜିଏସଟି ଓ ବିମୁଦ୍ରୀକରଣ ଯୋଗୁ ଗହଣା ବଜାର ବହୁମାତ୍ରାରେ ପ୍ରଭାବିତ ହୋଇଥିଲା। କିନ୍ତୁ ଏବେ ପରିସ୍ଥିତି ସ୍ବାଭାବିକ ହୋଇଛି। ଗ୍ରାହକଙ୍କ ସକାରାତ୍ମକ ମନୋଭାବରୁ ଅଧିକ ଲାଭ ସଂଗଠିତ ଗହଣା ସୋରୁମ୍ ଗୁଡ଼ିକ ଅଧିକ ମାତ୍ରାରେ ଉଠାଇବେ ବୋଲି ସେ କହିଛନ୍ତି। ତେବେ ଯେଉଁଠି ଏବେ ନିର୍ବାଚନ ବାକି ଅଛି ସେସବୁ ସ୍ଥାନରେ ଗ୍ରାହକମାନେ ଏବେ ସୁନା କିଣିବାକୁ ଟିକେ ପଛଘୁଞ୍ଚା ଦେଇପାରନ୍ତି ବୋଲି ସେ ସ୍ବୀକାର କରିଛନ୍ତି।

ସମ୍ବନ୍ଧିତ ଖବର