ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କଗୁଡ଼ିକ ମଧ୍ୟରେ ହେବାକୁ ଯାଉଥିବା ମିଶ୍ରଣକୁ ବିରୋଧ କରି ଆସନ୍ତାକାଲି ଦୁଇଟି କର୍ମଚାରୀ ସଂଘ ‘ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ) ଓ ଭାରତୀୟ ବ୍ୟାଙ୍କ କର୍ମଚାରୀ ମହାସଂଘ (ବେଫି) ତରଫରୁ ସାରା ଦେଶରେ ୨୪ ଘଣ୍ଟିଆ ଧର୍ମଘଟ କରାଯିବ। ରିପୋର୍ଟ ଲେଖା ହେବା ସୁଦ୍ଧା ମିଳିଥିବା ସୂଚନା ମୁତାବକ ଶ୍ରମ ମନ୍ତ୍ରଣାଳୟ ଓ ବ୍ୟାଙ୍କ ସଂଘ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହେବା ପରେ କର୍ମଚାରୀମାନେ ପୂର୍ବ ନିର୍ଧାରିତ ତାରିଖରେ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ଏଆଇବିଇଏର ସାଧାରଣ ସମ୍ପାଦକ ଭେଙ୍କଟଚଲମ୍ କହିଛନ୍ତି ଯେ, ଶ୍ରମ ମନ୍ତ୍ରଣାଳୟର କେନ୍ଦ୍ରୀୟ ଶ୍ରମ କମିସନରଙ୍କ ସହ ଦିଲ୍ଲୀରେ ଆଲୋଚନା ହୋଇଥିଲା। ଏଥିରେ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ଓ ଅର୍ଥ ମନ୍ତ୍ରଣାଳୟ ଏବଂ ଆର୍ଥିକ ସେବା ବିଭାଗର ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଧର୍ମଘଟ ନକରିବାକୁ ଆଇବିଏ ତରଫରୁ କର୍ମଚାରୀ ସଂଘଙ୍କୁ ଅନୁରୋଧ କରାଯାଇଥିଲା। କିନ୍ତୁ ସଂଘ ଯେଉଁ ଦାବି ଉପସ୍ଥାପନ କରିଥିଲେ ତାହାକୁ ସମାଧାନ କରିବା ଲାଗି ଆଇବିଏ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା। ବୈଠକରୁ କୌଣସି ସକାରାତ୍ମକ ଫଳ ନମିଳିବାରୁ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଧର୍ମଘଟ କରିବାକୁ ଆମେ ନିଷ୍ପତ୍ତି ନେଇଛୁ ବୋଲି ସେ କହିଛନ୍ତି। ଏହି ଧର୍ମଘଟକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସର୍ବଭାରତୀୟ ଶ୍ରମିକ ସଂଗଠନ କଂଗ୍ରେସ ସମର୍ଥନ ପ୍ରଦାନ କରିଛନ୍ତି।
ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଓ ସିଣ୍ଡିକେଟ୍ ବ୍ୟାଙ୍କ ଏହି ଧର୍ମଘଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଯେହେତୁ ଏହି ଦୁଇ ସଂଘରେ ଆମର ଅଧିକାଂଶ କର୍ମଚାରୀ ସଦସ୍ୟ ନାହାନ୍ତି ତେଣୁ ବ୍ୟାଙ୍କର କାରବାର ବିଶେଷ ପ୍ରଭାବିତ ହେବନାହିଁ। ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ କୁହାଯାଇଛି ଯେ କାରବାର ସ୍ବାଭାବିକ ରଖିବାକୁ ଉଦ୍ୟମ କରାଯିବ। ଉଲ୍ଲେଖଯୋଗ୍ୟ, ଦେଶର ୧୦ଟି ସରକାରୀ ବ୍ୟାଙ୍କକୁ ମିଶାଇ ୪ଟି ବଡ଼ ବ୍ୟାଙ୍କ ଗଠନ କରିବାକୁ ସରକାର ଘୋଷଣା କରିଛନ୍ତି। ମିଶ୍ରଣ ମାଧ୍ୟମରେ ସରକାର ୬ଟି ବ୍ୟାଙ୍କକୁ ବନ୍ଦ କରିବାକୁ ଚାହୁଥିବା ଅଭିଯୋଗ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/bank.jpg)