ଆକାଶରେ ଉଡ଼ିବ ନା ତାଲା ପଡ଼ିବ? ଜେଟ୍‌ର ଭାଗ୍ୟ ନିର୍ଧାରଣ ଆଜି

ପାଇଲଟ୍‌ଙ୍କ ଧର୍ମଘଟ ସ୍ଥଗିତ

ନୂଆଦିଲ୍ଲୀ: ଜେଟ୍‌ ଏୟାରୱେଜ୍‌ ଆକାଶରେ ଉଡ଼ିବ ନା କଂପାନିରେ ତାଲା ପଡ଼ିବ? ଆସନ୍ତାକାଲି ଏହି ନିଷ୍ପତ୍ତି ଗ୍ରହଣ କରାଯିବ। ଜେଟ୍‌ର ଭବିଷ୍ୟତ ଦୃଷ୍ଟିରୁ ସୋମବାରଟି ବେଶ ଗୁରୁତ୍ବପୂର୍ଣ୍ଣ। ଯେଉଁ କଂପାନି ପାଖରେ ଏକଦା ୧୨୩ଟି ବିମାନ ଥିଲା ଏବେ ତାହା ପାଖରେ ଆଉ ୭ଟି ବିମାନ ରହିଯାଇଛି। ତାହା ପୁଣି ଅତି କଷ୍ଟେମଷ୍ଟେ ଆକାଶରେ ଉଡ଼ୁଛି। ଆସନ୍ତାକାଲି ଜେଟ୍‌କୁ ୧୫୦୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ଉପରେ ଏହାକୁ ଋଣ ଦେଇଥିବା ବ୍ୟାଙ୍କଗୁଡ଼ିକ ଏକ ବୈଠକରେ ବିଚାରବିମର୍ଶ କରିବେ। ପାଣ୍ଠି ଦେବାକୁ ଯଦି ବ୍ୟାଙ୍କଗୁଡ଼ିକ ମନା କରିଦେବେ କିମ୍ବା ବିଳମ୍ବରେ ପାଣ୍ଠି ଦେବେ ବୋଲି କହିବେ ତେବେ ଜେଟ୍‌ର ସବୁ ବିମାନ ଠିଆ ହୋଇଯିବ। ଆସନ୍ତାକାଲି କଂପାନିର ପାଇଲଟ୍‌ମାନେ ମଧ୍ୟ ମୁମ୍ବାଇରେ ଥିବା ଜେଟ୍‌ ଏୟାରୱେଜ୍‌ର ମୁଖ୍ୟ କାର୍ଯ୍ୟାଳୟରେ ଏକତ୍ରୀତ ହୋଇ ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବେ। ଆସନ୍ତାକାଲି ଠାରୁ ବିମାନ ଉଡ଼ାଇବେ ନାହିଁ ବୋଲି ଜେଟ୍‌ର ୧୧୦୦ ପାଇଲଟ୍‌ ଘୋଷଣା କରିସାରିଛନ୍ତି। ଯେହେତୁ କଂପାନି ପାଖରେ ଏବେ ମାତ୍ର ୫-୭ଟି ବିମାନ ରହିଯାଇଛି, ତେଣୁ ପାଇଲଟ୍‌ମାନଙ୍କ ଆନ୍ଦୋଳନ କଂପାନି ଉପରେ କୌଣସି ବଡ଼ ଧରଣର ପ୍ରଭାବ ପକାଇବ ନାହିଁ। ଜେଟ୍‌କୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସମେତ ୨୬ଟି ବ୍ୟାଙ୍କ ୮୦୦୦ କୋଟି ଟଙ୍କାର ଋଣ ଦେଇଥିଲେ। କଂପାନି ଋଣ ଶୁଝିବାରେ ବିଫଳ ହେବା ପରେ ଏହାର ମାଲିକାନାସତ୍ତ୍ବ ବ୍ୟାଙ୍କଗୁଡ଼ିକ ହାତକୁ ଚାଲିଆସିଛି। ଜେଟ୍‌କୁ ବଞ୍ଚାଇବା ପାଇଁ ଏହାର ପ୍ରତିଷ୍ଠାନା ନରେଶ ଗୋୟଲ୍ କଂପାନିରୁ ବିଦାୟ ନେଇଛନ୍ତି ଏବଂ ମାଲିକାନା ଅଂଶଧନକୁ ବ୍ୟାଙ୍କଗୁଡ଼ିକ ହାତକୁ ଟେକିଦେଇଛନ୍ତି। ଜେଟ୍‌କୁ ବଞ୍ଚାଇ ରଖିବା ପାଇଁ ୧୫୦୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ମାର୍ଚ ୨୫ରେ କୁହାଯାଇଥିଲା। ଏପର୍ଯ୍ୟନ୍ତ ସେହି ଟଙ୍କା ମିଳିନାହିଁ। ପାଣ୍ଠି ଅଭାବ ଯୋଗୁ କଂପାନି ବିମାନ ପାଇଁ ତେଲ କିଣିପାରୁନାହିଁ। ତିନି ମାସ ହେଲା ଜେଟ୍‌ର ପାଇଲଟ୍‌ ଏବଂ ଇଞ୍ଜିନିୟରମାନେ ଦରମା ପାଇନାହାନ୍ତି। ଲିଜ୍ ସୂତ୍ରରେ ବିମାନ ଦେଇଥିବା ସଂସ୍ଥାଗୁଡ଼ିକୁ ପେମେଣ୍ଟ୍‌ ଦେଇନପାରିବାରୁ ସେମାନେ ଦେଇଥିବା ବିମାନଗୁଡ଼ିକୁ ଫେରାଇ ନେଇଛନ୍ତି। ଜେଟ୍‌ରେ ୧୬୦୦୦ ପାଖାପାଖି କର୍ମଚାରୀ କାମ କରୁଛନ୍ତି। ସେମାନଙ୍କୁ ଦରମା ଦେବାରେ କଂପାନି ସମସ୍ୟା ସାମ୍ନା କରୁଛି। ଉଲ୍ଲେଖଯୋଗ୍ୟ, ଜେଟ୍‌କୁ ବିକ୍ରି କରିବା ପାଇଁ ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କ ଠାରୁ ଆବେଦନ ଆହ୍ବାନ କରିଛନ୍ତି। ଏତିହାଦ୍, ନରେଶ ଗୋୟଲ ଏବଂ ଏୟାର କାନାଡା ଭଳି କଂପାନି ଜେଟ୍‌କୁ କିଣିବାକୁ ଆଗ୍ରହ ଦେଖାଇଛନ୍ତି।

ଅଧା ଦରମାରେ, ଅନ୍ୟତ୍ର ପଳାଉଛନ୍ତି କର୍ମଚାରୀ

ନୂଆଦିଲ୍ଲୀ: ଆର୍ଥିକ ସଂକଟ ଦେଇ ଗତି କରୁଥିବା ଜେଟ୍‌ ଏୟାରୱେଜ୍‌ର କର୍ମଚାରୀ ମାନେ ଏବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବଜାରରେ ସେମାନଙ୍କ ଦରମା କମିଯାଇଛି। ଯେଉଁମାନଙ୍କୁ ପୂର୍ବରୁ ଅନ୍ୟ କମ୍ପାନି ଅଧିକ ପଇସା ଦେଇ ଡାକୁଥିଲେ ‌ଏବେ ସେମାନେ କମ୍ ଦରମାରେ ଅନ୍ୟ କମ୍ପାନିରେ ‌ଯୋଗ ଦେଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଜେଟ୍‌ ଏୟାରୱେଜ୍‌ର ପାଇଲଟମାନଙ୍କୁ ୨୫ରୁ ୩୦ ପ୍ରତିଶତ କମ୍ ଦରମାରେ ଚାକିରି କରିବାକୁ କୁହାଯାଉଛି। ସେହିଭଳି ଇଞ୍ଜିନିୟରମାନଙ୍କୁ ୫୦ ପ୍ରତିଶତ କମ୍ ବେତନରେ ଚାକିରି କରିବାକୁ ପରାମର୍ଶ ଦିଆଯାଉଛି। କିଛିଦିନ ପୂର୍ବରୁ ସ୍ପାଇସଜେଟ୍ ସମେତ ଅନ୍ୟ କେତେକ ଏୟାରଲାଇନ୍ସ ଜେଟ୍ ଏୟାରୱେଜ୍‌ର ଯେଉଁ ପାଇଲଟ୍ ଓ ଇଞ୍ଜିନିୟରମାନଙ୍କୁ ଅଧିକ ବେତନ ଦେଇ ସେମାନଙ୍କ କମ୍ପାନିରେ ଯୋଗଦେବାକୁ ଡାକୁଥିଲେ ଏବେ ସେମାନେ ସେମାନଙ୍କୁ କମ୍ ବେତନ ଦେଉଛନ୍ତି। କର୍ମଚାରୀମାନେ କମ୍ ବେତନରେ ଅନ୍ୟ କମ୍ପାନିରେ ଚାକିରି କରିବାକୁ ରାଜିହେବାର ସର୍ବପ୍ରଥମ କାରଣ ହେଲା ଜେଟ୍‌ ଏୟାରୱେଜ୍ ବନ୍ଦ ହୋଇଯିବା ଆଶଙ୍କା। ଏତଦବ୍ୟତୀତ ଏହାର ଅନ୍ୟ ଯେଉଁ କାରଣଟି ରହିଛି ତାହା ହେଲା ଜେଟ ଏୟାରୱେଜ୍ କର୍ମଚାରୀମାନଙ୍କ ହାରାହାରି ବେତନ ଅନ୍ୟ ଏୟାରଲାଇନ୍ସ ତୁଳନାରେ ଅଧିକ ରହିଛି। ସ୍ପାଇସ ଜେଟ୍ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ସିନିୟର ‌ଏୟାରକ୍ରାଫ୍ଟ ମେଣ୍ଟେନାନ୍ସ ଇଞ୍ଜିନିୟର ପଦ ପାଇଁ ଆବେଦନ କରିଥିବା ଜଣେ କର୍ମଚାରୀଙ୍କୁ କମ୍ପାନି ଗୁଡ଼ିକ ମାସିକ ଦେଢ଼ ଲକ୍ଷରୁ ୨ ଲକ୍ଷ ଟଙ୍କା ବେତନ ଦେବାକୁ ରାଜି ଅଛନ୍ତି। କିନ୍ତୁ ସେ ଏବେ ଜେଟ୍ ଏୟାରୱେଜ୍‌ରେ ମାସିକ ୪ ଲକ୍ଷ ଟଙ୍କା ବେତନ ପାଉଛନ୍ତି।ଜେଟ୍ ଏୟାରୱେଜର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୪ରୁ ୫ ବର୍ଷର ଅଭିଜ୍ଞତା ଥିବା ପାଇଲଟମାନେ ବେତନ ମିଳିବା ବିଳମ୍ବ ହେଉଥିବାରୁ ସେମାନେ ଅନ୍ୟ କମ୍ପାନିକୁ ଚାଲି ଯାଉଛନ୍ତି।

ପାଇଲଟ୍‌ଙ୍କ ଧର୍ମଘଟ ସ୍ଥଗିତ
ମୁମ୍ବାଇ: ‌ଜେଟ୍‌ ଏୟାରୱେଜ୍୍‌ର ପାଇଲଟ୍‌ମାନେ ପ୍ରସ୍ତାବିତ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛନ୍ତି। ଆସନ୍ତାକାଲି ଠାରୁ ବିମାନ ଉଡ଼ାଇବେ ନାହିଁ ବୋଲି କଂପାନିର ୧୧୦୦ ପାଇଲଟ୍‌ ଚରମବାଣୀ ଶୁଣାଇଥିଲେ। ତେବେ ଆସନ୍ତାକାଲି କଂପାନି କର୍ତୃପକ୍ଷ ଏବଂ ଋଣ ପ୍ରଦାନକାରୀ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ହେବାକୁ ଥିବାରୁ ପାଇଲଟ୍‌ମାନେ ଧର୍ମଘଟକୁ ଟାଳି ଦେଇଛନ୍ତି। ଆସନ୍ତାକାଲିର ବୈଠକ ପରେ ସେମାନ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଧାରଣ କରିବେ। ତେବେ ନ୍ୟାସନାଲ ଏଭିଏଟର୍ସ ଗିଲ୍ଡ (ଏନଏଜି)ର ସଦସ୍ୟ ଥିବା ପାଇଲଟମାନେ ଜେଟ୍ ଏୟାରୱେଜ୍‌ର ପରିଚାଳନା କର୍ତ୍ତୃପକ୍ଷଙ୍କୁ ଭେଟି ବାକିଆ ବେତନ ପ୍ରଦାନ ପାଇଁ ଦାବି କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଡିସେମ୍ବର ମଧ୍ୟଭାଗରୁ ସେମାନଙ୍କ ବେତନ ମିଳିନାହିଁ। ଏନଏଜିର ସଦସ୍ୟ ଥିବା ଜଣେ ବରିଷ୍ଠ ପାଇଲଟ କହିଛନ୍ତି, ସାଢ଼େ ୩ ମାସ ହେଲା ଆମକୁ ବେତନ ମିଳିନାହିଁ। ମ୍ୟାନେଜମେଣ୍ଟକୁ ଆମେ ବେତନ ଦେବା ଲାଗି ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ପୂର୍ବରୁ ସମୟ ଦେଇଥିଲୁ। ପରେ ଏହି ସମୟସୀମାକୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏବେ ପୁଣି ସେହି ଧର୍ମଘଟକୁ ସ୍ଥଗିତ ରଖାଯାଇଛି।

ସମ୍ବନ୍ଧିତ ଖବର