ଆଜି ଗୁଆଲି ଲୁହାପଥର ଖଣି ନିଲାମ, ଟିଏସ୍‌ ଆଲଏଜ୍ ପାଇଲା ସୁକିନ୍ଦା କ୍ରୋମାଇଟ୍ ଖଣି

ଭୁବନେଶ୍ବର: ରାଜ୍ୟ ସରକାର ଆଉ ଦୁଇଟି ଖଣିର ନିଲାମ ଆରମ୍ଭ କରିଛନ୍ତି। ଆଜି ଟାଟା ଷ୍ଟିଲ୍‌ର ସହଯୋଗୀ ସଂସ୍ଥା ଟିଏସ୍‌ ଆଲଏଜ୍‌ ସୁକିନ୍ଦା କ୍ରୋମାଇଟ୍‌ ଖଣି ହାସଲ କରିଛି। ସରକାର ଧାର୍ଯ୍ୟ କରିଥିବା ହାରାହାରି ବିକ୍ରି ମୂଲ୍ୟର ୯୩.୭% ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇ କଂପାନି ଏହି ଖଣିକୁ ପାଇଛି। ଏହା ହେଉଛି କଂପାନିକୁ ମିଳିଥିବା ତୃତୀୟ ଖଣି। ଏହା ପୂର୍ବରୁ ଟିଏସ୍‌ ଆଲଏଜ୍‌କୁ ସରୁଆବିଲ କ୍ରୋମ୍ ଓ କର୍ମଦା ଖଣି ମିଳିଥିଲା। ସୁକିନ୍ଦା କ୍ରୋମାଇଟ୍‌ ଖଣିକୁ ପାଇବା ଦୌଡ଼ରେ ଟିଏସ୍‌ ଆଲଏଜ୍ ସହିତ ରୁଙ୍ଗଟା, ଏମ୍‌ଏସ୍‌ପିଏଲ୍‌ ଓ ବେଦାନ୍ତ ଲିମିଟେଡ୍‌ ଭଳି କଂପାନି ଥିଲେ। ‌ଶେଷରେ ଟିଏସ୍‌ ଆଲଏଜ୍‌କୁ ଏହି ଖଣି ମିଳିଛି। ଯାଜପୁର ଜିଲ୍ଲାରେ ଥିବା ଏହି ଖଣି ୪୦୬ ହେକ୍ଟର ପର୍ଯ୍ୟନ୍ତ ବ୍ୟାପିଥିବା ବେଳେ ଏବେ ସୁକିନ୍ଦା କ୍ରୋମାଇଟ ଖଣି ଟାଟା ଷ୍ଟିଲ୍ ପାଖରେ ରହିଛି। ଚଳିତ ମାସ ୩୧ ତାରିଖରେ ଏହି ଖଣିର ଲିଜ୍ ଅବଧି ଶେ‌ଷ ହେବାକୁ ଯାଉଛି। ଆସନ୍ତାକାଲି କେନ୍ଦୁଝରର ବଡ଼ବିଲ ଠାରେ ୩୬୫ ହେକ୍ଟର ଅଞ୍ଚଳରେ ଥିବା ଗୁଆଲି ଲୁହାପଥର ଖଣିର ନିଲାମ ହେବ। ଏଥିପାଇଁ ଫ୍ଲୋର୍‌ ମୂଲ୍ୟ ୧୦୫ ପ୍ରତିଶତ ଧାର୍ଯ୍ୟ କରାଯାଇଛି। ଏହି ଖଣି ପାଇବା ପାଇଁ ଟାଟା ଷ୍ଟିଲ୍‌, ଜେଏସ୍‌ଡବ୍ଲୁ ଷ୍ଟିଲ୍, ଆଦାନି ଗ୍ରୁପ୍, ଜେଏସ୍‌ପିଏଲ୍‌, ଆର୍‌ପି ସାଓ, କେଜେଏସ୍‌ ଆଲୁୱାଲିଆ ଭଳି ସଂସ୍ଥା ପ୍ରତିଦ୍ବନ୍ଦ୍ବିତା କରିବେ। ଗୁଆଲି ଲୁହାପଥର ଖଣିରେ ୧୯୫ ନିୟୁତ ଟନ୍ ଲୁହାପଥର ଗଚ୍ଛିତ ରହିଛି। କିଛି ଦିନ ତଳେ ରାଜ୍ୟ ସରକାର ୧୯ଟି ଖଣିର ନିଲାମ କରିଥିଲେ।

ସମ୍ବନ୍ଧିତ ଖବର