ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଆୟୁଷ୍ମାନ ଭାରତ ବା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସୁରକ୍ଷା ସ୍କିମ୍ (ଏନ୍ଏଚ୍ପିଏସ୍) ଘୋଷଣା କରିପାରନ୍ତି। ଲାଲ୍କିଲ୍ଲାରେ ସ୍ୱାଧୀନତା ଦିବସ ଉପଲକ୍ଷେ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ଉଦ୍ବୋଧନ ଦେବା ବେଳେ ମୋଦୀ ଏହି ସ୍କିମ୍ ଘୋଷଣା କରିବେ ବୋଲି ଆଶା କରାଯାଉଛି। ସେପ୍ଟେମ୍ବର ଶେଷ ସୁଦ୍ଧା ଏହି ସ୍କିମ୍କୁ ଦେଶବ୍ୟାପୀ ଲାଗୁ ପାଇଁ ଯୋଜନା ରହିଛି। ଉକ୍ତ ସ୍କିମ୍ରେ ଦେଶର ୫ କୋଟିରୁ ଊର୍ଧ୍ୱ ପରିବାରଙ୍କୁ ସାମିଲ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ଷକୁ ପରିବାର ପିଛା ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସୁବିଧା ଦିଆଯିବ। ଜଣେ ଅଧିକାରୀଙ୍କ ମୁତାବକ ଏହି ସ୍କିମ୍କୁ କାର୍ଯ୍ୟକାରୀ କରିବାକୁ ୨୨ଟି ରାଜ୍ୟ ସହମତି ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ସାମାଜିକ ଅର୍ଥନୈତିକ ଜାତି ଜନଗଣନା (ଏସ୍ଇସିସି) ତଥ୍ୟକୁ ଭିତ୍ତିକରି ବିଶ୍ୱର ଏହି ସର୍ବବୃହତ୍ ବୀମା ସ୍କିମ୍ ନିମନ୍ତେ ଉଭୟ ଗ୍ରାମ ଓ ସହରାଞ୍ଚଳରୁ ୮୦% ହିତାଧିକାରୀ ଚିହ୍ନଟ କରାଯାଇଛି।