ଆଜି ରିଜର୍ଭ ବ୍ୟାଙ୍କ-ସରକାର ବୈଠକ, ଉର୍ଜିତଙ୍କ ଉପରେ ନଜର

ନୂଆଦିଲ୍ଲୀ: ସୋମବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଦୁଇ ପକ୍ଷ ମଧ୍ୟରେ ମତଭେଦ ସୃଷ୍ଟି ହେବା ପରେ ଏହା ହେଉଛି ପ୍ରଥମ ବୈଠକ। ତେଣୁ ଏହା ଉପରେ ସାରା ଦେଶର ନଜର ରହିବ। ଆସନ୍ତାକାଲିର ବୈଠକ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ୍‌ଙ୍କ ଭାଗ୍ୟ ନିର୍ଧାରଣ କରିବ ବୋଲି ମଧ୍ୟ ଆଲୋଚନା ହେଉଛି। ଦୁଇ ପକ୍ଷ ମଧ୍ୟରେ ଚାଲିଥିବା ବିବାଦର ରେଖା ସମ୍ପୂର୍ଣ୍ଣ ସ୍ପଷ୍ଟ। ସରକାର ଚାହୁଁଛନ୍ତି ରିଜର୍ଭ ବ୍ୟାଙ୍କ ଋଣ ନୀତିକୁ ସହଜ କରୁ ଯଦ୍ବାରା ସୁବିଧାରେ ଋଣ ମିଳିପାରିବ। ରିଜର୍ଭ ବ୍ୟାଙ୍କ କହୁଛି ଯେ ଜାଣିଶୁଣି ସରକାର ଆମ କାମରେ ହସ୍ତକ୍ଷେପ କରୁଛନ୍ତି। ଏହି ବିବାଦରେ ରିଜର୍ଭ ବ୍ୟାଙ୍କକୁ ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କ ସମେତ ସମସ୍ତ ବିରୋଧୀ ଦଳ ସମର୍ଥନ କରୁଛନ୍ତି। ରିଜର୍ଭ ବ୍ୟାଙ୍କ ବୋର୍ଡରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଓ ଡେପୁଟି ଗଭର୍ଣ୍ଣରଙ୍କ ବ୍ୟତୀତ ସରକାରଙ୍କ ଦ୍ବାରା ମନୋନୀତ ସଦସ୍ୟ ମଧ୍ୟ ଅଛନ୍ତି। ବୋର୍ଡରେ ମୋଟ ୧୮ ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟବର୍ତି କୁହାଯାଉଥିବା ଚାରି ଜଣ ସଦସ୍ୟ ଅଛନ୍ତି। ସେମାନଙ୍କ ନାମ ହେଉଛି ଏସ୍‌ ଗୁରୁମୂର୍ତ୍ତି, ସତୀଶ ମରାଠେ, ରେବତୀ ଆୟାର ଓ ସଚିନ୍ ଚତୁର୍ବେଦୀ। ସରକାର ଯେଉଁମାନଙ୍କୁ ମନୋନୀତ କରିଛନ୍ତି ସେମାନଙ୍କ ଜରିଆରେ କାମ ହାସଲ କରିବାକୁ ସରକାର ପ୍ରୟାସ କରି‌ବେ। ସେମାନେ ବୋର୍ଡ ଉପରେ ଚାପ ପକାଇବା କାମ କରିବେ। ଏଭଳି କିଛି ଯୋଜନା ସରକାର ପ୍ରସ୍ତୁ୍ତ କରିଥିବା କୁହାଯାଉଛି। ରିଜର୍ଭ ବ୍ୟାଙ୍କ ଭଣ୍ଡାରକୁ ସରକାରଙ୍କ ପାଇଁ ଖୋଲିବା, ୧୧ଟି ବ୍ୟାଙ୍କ ଉପରେ ଋଣ ଆବଣ୍ଟନ ନକରିପାରିବା ନେଇ ଯେଉଁ କଟକଣା ଲଗାଯାଇଛି ତାହା ହଟାଇବା ଓ ସୁଧ ହାରରେ ହ୍ରାସ କରିବା ପାଇଁ ଏହି ଚାରି ସଦସ୍ୟ ବୋର୍ଡ ଉପରେ ଚାପ ପକାଇବେ।

ଉଲ୍ଲେଖଯୋଗ୍ୟ, ଗତ ମାସରେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ଏକ ସାର୍ବଜନୀନ ସଭାରେ କହିଥିଲେ ଯେ, ରିଜର୍ଭ ବ୍ୟାଙ୍କ କାମରେ ସରକାର ହସ୍ତକ୍ଷେପ କରୁଛନ୍ତି। ଏଭଳି ହେଲେ ଆର୍ଥିକ ବଜାରରେ ପ୍ରଳୟ ଆସିବ। ତାଙ୍କର ଏହି ମନ୍ତବ୍ୟରୁ ଜଣାପଡ଼ିଥିଲା ଯେ ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ସମ୍ପକର୍ ଆଦୌ ଭଲ ନାହିଁ।

ସରକାର କ’ଣ ଚାହୁଁଛନ୍ତି
ଋଣ ନିୟମ କୋହଳ ହେଉ
୧୧ଟି ସରକାରୀ ବ୍ୟା‌ଙ୍କ ଉପରୁ କଟକଣା ହଟୁ
ରିଜର୍ଭ ବ୍ୟାଙ୍କ ନିଜ ଭଣ୍ଡାର ଖୋଲା କରୁ
ରିଜର୍ଭ ବ୍ୟାଙ୍କ କ’ଣ କହୁଛି
ସରକାର ଆମ କାମରେ ହସ୍ତକ୍ଷେପ କରୁଛନ୍ତି
ବ୍ୟାଙ୍କ ସ୍ବାଧୀନତା ହରଣ କରିବାକୁ ଚାହୁଁଛନ୍ତି
ସଜାଗ ନରହିଲେ ଆଜେଣ୍ଟିନା ଭଳି ସମସ୍ୟା ସୃଷ୍ଟି ହେବ

ସମ୍ବନ୍ଧିତ ଖବର