ଜୁମ୍ ଆପ୍ ଜରିଆରେ ହୋଇଥିବା ଭିଡିଓ କନଫରେନ୍ସିଂରେ ବେରୋଜଗାର୍ ହୋଇଗଲେ ୩,୭୦୦ କର୍ମଚାରୀ
ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ଲାଗୁ ହୋଇଥିବା ଲକ୍ଡାଉନ୍ ହେତୁ ଅନେକ କର୍ମଚାରୀ ସେମାନଙ୍କ ଚାକିରି ହରାଇଛନ୍ତି। ଏବେ ଦେଶର ଅଗ୍ରଣୀ ରାଇଡିଂ କମ୍ପାନି ଉବେର ଉପରେ ମଧ୍ୟ ଲକ୍ଡାଉନ୍ର କୁପ୍ରଭାବ ଦେଖିବାକୁ ମିଳିଛି। ଉବେର ଜୁମ୍ ଆପ୍ ଜରିଆରେ କରିଥିବା ଗୋଟାଏ ୩ ମିନିଟ୍ର ଭିଡିଓ କନଫରେନ୍ସିଂ କଲ୍ରେ ୩,୭୦୦ କର୍ମଚାରୀଙ୍କର ଛଟେଇ କରିଛି କମ୍ପାନି। ଭିଡିଓ କନଫରେନ୍ସିଂ କଲ୍ଟି ଥଲା ଉବେର୍ ମୁଖ୍ୟ ରଫିନ୍ ଚାଭେଲିଉଙ୍କ ନିକଟରୁ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଏହି କଲ୍ କରିବାକୁ ନେଇ ରଫିନ୍ ଖୁବ୍ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ‘ଆମେ ୩ ହଜାର ୭୦୦ କର୍ମଚାରୀଙ୍କୁ ଛଟାଇ କରୁଥିବା କଥା ଅତ୍ୟନ୍ତ ଦୁଃଖର ସହ କହୁଛୁ। ଆଜି ହେଉଛି କମ୍ପାନିରେ ଆପଣମାନଙ୍କର ଶେଷ ଦିନ। ଆପଣମାନେ କମ୍ପାନି ପାଇଁ ଅନେକ କିଛି କରିଛନ୍ତି। ତା ସତ୍ତ୍ବେ କମ୍ପାନି ନିରୁପାୟ। କମ୍ପାନିର ବ୍ୟବସାୟ ଅଧା ହୋଇ ଯାଇଥିବାରୁ ଓ କାମ କମ୍ ଥିବାରୁ ଆମେ କର୍ମଚାରୀ କାଢ଼ିବାକୁ ବାଧ୍ୟ ହୋଇଛୁ।’
ମୁଖ୍ୟଙ୍କର ଏହି ଗୋଟାଏ କଲ୍ରେ ଚାକିରି ହରାଇଥିବା କର୍ମଚାରୀମାନଙ୍କ ମଧ୍ୟରୁ ଅନେକ ଦୁଃଖ ପ୍ରକାଶ କରିଥିବା ବେଳେ ଆହୁରି କେହି କେହି କ୍ରୋଧ ପ୍ରକାଶ କରିଛନ୍ତି। ବିନା କୌଣସି ପୂର୍ବ ନୋଟିସ୍ରେ କମ୍ପାନି ଏପରି ଅଚାନକ କର୍ମଚାରୀଙ୍କ ଛଟେଇ କରିବା ନେଇ ନିଜର କ୍ଷୋଭ ପ୍ରକାଶ କରିଛନ୍ତି କର୍ମଚାରୀ।
ଉଲ୍ଲେଖଯୋଗ୍ୟ, ଉବେର ଚଳିତବର୍ଷର ପ୍ରଥମ ତ୍ରୈମାସିକରେ ୨.୯ ବିଲିୟନ୍ ଡଲାର କ୍ଷତି ସହି ସରିଲାଣି। ଏହି କାରଣରୁ ସେ ବାଇକ୍ ଓ ସ୍କୁଟର୍ ବ୍ୟବସାୟକୁ ୮୫ ମିଲିୟନ୍ ଡଲାରର ଲାଇମ୍ ନାମକ ଏକ କମ୍ପାନିକୁ ବିକ୍ରି କରୁଛି।