ୟେସ୍ ବ୍ୟାଙ୍କ ଉପରୁ କଟକଣା ହଟିଲା, ଆଜିଠୁ ସବୁ ପ୍ରକାର ସେବା ମିଳିବ

ଘଣ୍ଟାଏ ପୂର୍ବରୁ ଖୋଲିବ ଶାଖା

ମୁମ୍ବାଇ: ୟେସ୍‌ ବ୍ୟାଙ୍କ ଉପରେ ଲଗାଯାଇଥିବା କଟକଣାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରତ୍ୟାହାର କରିନେଇଛି। ବ୍ୟାଙ୍କର ସମସ୍ତ ସେବାକୁ ସକ୍ରିୟ କରାଯାଇଛି। ଆସନ୍ତାକାଲି ଠାରୁ ଗ୍ରାହକମାନେ ୟେସ୍ ବ୍ୟାଙ୍କରେ ସବୁ ପ୍ରକାର ସେବା ପାଇପାରିବେ। ବ୍ୟାଙ୍କ ଖୋଲିବା ପରେ ଗ୍ରାହକମାନେ ବିପୁଳ ପରିମାଣର ଟଙ୍କା ଉଠାଇପାରନ୍ତି ବୋଲି ଅନୁମାନ କରାଯାଉଛି। ‌‌ସେଥିପାଇଁ ବ୍ୟାଙ୍କ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛି। ଉଠାଣରେ ହେବାକୁ ଥିବା ହଠାତ୍‌ ବୃଦ୍ଧିର ମୁକାବିଲା କରିବା ଲାଗି ୟେସ୍ ବ୍ୟାଙ୍କ ୩୦ ହଜାର କୋଟି ଟଙ୍କା ରଖିଛି। ବ୍ୟାଙ୍କିଙ୍ଗ୍‌ ସେବା ସ୍ବାଭାବିକ ହୋଇଥିବା ବିଷୟରେ ୟେସ୍ ବ୍ୟାଙ୍କ ତରଫରୁ ଟୁଇଟ୍‌ କରି ଅବଗତ କରାଯାଇଛି। ୟେସ୍ ବ୍ୟାଙ୍କ ଶାଖାଗୁଡ଼ିକ ଚଳିତ ମାସ ୧୯-୨୧ ପର୍ଯ୍ୟନ୍ତ ଏକ ଘଣ୍ଟା ପୂର୍ବରୁ ଅର୍ଥାତ ସକାଳ ସାଢ଼େ ୮ଟାରୁ ଖୋଲିବ। ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ବରିଷ୍ଠ ନାଗରିକଙ୍କ ପାଇଁ ଶାଖାରେ କାରବାର ସମୟ ଅପରାହ୍ନ ୫ଟା ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଘୋର ଆର୍ଥିକ ସଙ୍କଟରେ ପଡ଼ିଯାଇଥିବା ୟେସ୍ ବ୍ୟାଙ୍କ ଉପରେ ଚଳିତ ମାସ ୫ ତାରିଖରେ ୩୦ ଦିନ ପାଇଁ କଟକଣା ଲଗାଯାଇଥିଲା। ଏହି ସମୟ ସୀମା ଶେଷ ହେବା ପୂର୍ବରୁ କଟକଣାକୁ ହଟାଇ ନିଆଯାଇଛି। କଟକଣା ସମୟରେ ଗ୍ରାହକମାନେ ସର୍ବାଧିକ ୫୦ ହଜାର ଟଙ୍କା ଉଠାଇପାରିବେ ବୋଲି ଘୋଷଣା କରାଯାଇଥିଲା। ଆସନ୍ତାକାଲି ଠାରୁ କିନ୍ତୁ ଗ୍ରାହକମାନେ ଯେତେ ଟଙ୍କା ଦରକାର ତାହା ଉଠାଇପାରିବେ। ୟେସ୍‌ ବ୍ୟାଙ୍କକୁ ଉଦ୍ଧ‌ାର କରିବା ଲାଗି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଓ ଆକ୍ସିସ୍ ବ୍ୟାଙ୍କ ଆଦି ହାତ ମିଳାଇଛନ୍ତି। ବ୍ୟାଙ୍କର ପୁନର୍ଗଠନ ପରେ ବର୍ତ୍ତମାନ ପ୍ରଶାସକ ଦାୟିତ୍ବ ତୁଲାଉଥିବା ପ୍ରଶାନ୍ତ କୁମାର ପରିଚାଳନା ନିର୍ଦେଶକ ଓ ସିଇଓ ଭାବେ କାର୍ଯ୍ୟ କରିବେ।

ସମ୍ବନ୍ଧିତ ଖବର