ନୂଆଦିଲ୍ଲୀ : ସାରା ଦେଶରେ ଟମାଟୋ ଦାମ୍ ୧୦୦ ଟଙ୍କାରୁ ଅଧିକ ରହିଥିବା ବେଳେ ଲୋକମାନଙ୍କ ପାଖରେ ତାହାକୁ ସୁଲଭ ମୂଲ୍ୟରେ ପହଞ୍ଚାଇବା ଲାଗି ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରଙ୍କ ଇ-କମର୍ସ ପ୍ଲାଟଫର୍ମ ଓ‌ପନ୍ ନେଟ୍‌ୱର୍କ ଫର ଡିଜିଟାଲ୍ କମର୍ସ (ଓଏନ୍‌ଡିସି) ଜରିଆରେ କିଲୋପିଛା ୭୦ ଟଙ୍କାରେ ଟମାଟୋ ବିକ୍ରି ଆରମ୍ଭ ହୋଇଛି। ସରକାରୀ କୃଷି ବିପଣନ ସଂସ୍ଥା ଏନ୍‌ସିସିଏଫ୍‌ ପକ୍ଷରୁ ଅନଲାଇନ୍‌ରେ ଟମାଟୋ ବିକ୍ରି ଆରମ୍ଭ ହୋଇଛି। ତେବେ କେଉଁ ଅଞ୍ଚଳର ଗ୍ରାହକମାନେ ଏହି ବରାଦ ଦେଇପାରିବେ ତାହା ସ୍ପଷ୍ଟ କରାଯାଇନାହିଁ।

Advertisment

ଏନ୍‌ସିସିଏଫ୍‌ର ପରିଚାଳନା ନିର୍ଦ୍ଦେଶକ ଆନିସ୍ ଯୋସେଫ୍‌ ଚନ୍ଦ୍ରା କହିଛନ୍ତି ଯେ ପେଟିଏମ୍‌, ମ୍ୟାଜିକ୍‌ପିନ୍‌, ମାଇଁଷ୍ଟୋର୍‌ ଓ ପିନ୍‌କୋଡ୍‌ ଭଳି ଆପ୍‌ରେ ଥିବା ଓଏନ୍‌ଡିସି ଜରିଆରେ ଗ୍ରାହକମାନେ ରିହାତି ଦାମ୍‌ର ଟମାଟୋ କିଣିପାରିବେ। ପ୍ରତିଦିନ ପୂର୍ବାହ୍ନ ୯ଟା ୩୦ରୁ ଅପରାହ୍ନ ୩ଟା ୩୦ରେ ବରାଦ ଦେଇହେବ ଏବଂ ତା’ପର ଦିନ ଟମାଟୋ ଘରେ ପହଞ୍ଚିବ। ବର୍ତ୍ତମାନ ଗ୍ରାହକମାନେ କେବଳ ୨ କେଜି ଟମାଟୋ ପାଇଁ ବରାଦ ଦେଇପାରିବେ ବୋଲି ସେ କହିଛନ୍ତି। ଜୁଲାଇ ପ୍ରଥମ ସପ୍ତାହରୁ ଦେଶରେ ହଠାତ୍‌ ଟମାଟୋ ଦାମ୍‌ରେ ୪୦୦ ପ୍ରତିଶତ ଭଳି ବୃଦ୍ଧି ହୋଇଥିଲା। ଫଳରେ ଗ୍ରାହକମାନଙ୍କ ପାଇଁ ତାହା କିଣିବା କଷ୍ଟକର ହୋଇପଡ଼ିଛି। ଲୋକମାନଙ୍କୁ ରିହାତିରେ ଟମାଟୋ ବିକିବା ଲାଗି ଦୁଇ ସରକାରୀ କଂପାନି ନାଫେଡ୍‌ ଓ ଏନ୍‌ସିସିଏଫ୍‌କୁ ସରକାର ଦାୟିତ୍ବ ଦେଇଛନ୍ତି। ସେମ‌ାନେ ଦେଶର କିଛି ପ୍ରମୁଖ ସହରରେ ରିହାତି ଟମାଟୋ ଉପଲବ୍ଧ କରାଉଛନ୍ତି। ଏହି ଦୁଇ ସଂସ୍ଥା ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ମଣ୍ଡିରୁ ଟମାଟୋ ଆଣି ଦେଶର ଅଭାବ ଥିବା ସ୍ଥାନଗୁଡ଼ିକରେ ପହଞ୍ଚାଉଛନ୍ତି। ସାଧାଣର ବଜାର ଓ ହାଟରେ ଟମାଟୋ ଦାମ୍‌ ଏବେ କେଜି ପିଛା ୧୩୦ ଟଙ୍କାରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।