ବିଶ୍ୱର ଶ୍ରେଷ୍ଠ ୧୦୦ ବ୍ୟାଙ୍କ ମଧ୍ୟରେ ରହିଛି ଭାରତର ଗୋଟିଏ ବ୍ୟାଙ୍କ, ତାହା ହେଉଛି ଷ୍ଟେଟ୍‌ ବ୍ୟାଙ୍କ

୫୫ତମ ସ୍ଥାନରେ ଷ୍ଟେଟ୍‌ ବ୍ୟାଙ୍କ, ଚୀନ୍‌ର ସର୍ବାଧିକ ୧୬ଟି, ଆମେରିକାର ୧୧ଟି

ନୂଆଦିଲ୍ଲୀ : ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧିରେ ବ୍ୟାଙ୍କଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ବିଶ୍ବର ‌ଯେତେ ଅର୍ଥନୈତିକ ମହାଶକ୍ତି ରହିଛନ୍ତି ସେମାନଙ୍କ ପାଖରେ ବୃହତ ଆକାରର ବ୍ୟାଙ୍କ ରହିଛି। ଭାରତ କିନ୍ତୁ ସେଭଳି ବଡ଼ ବ୍ୟାଙ୍କ ସୃଷ୍ଟି କରିବାରେ ଏପର୍ଯ୍ୟନ୍ତ ସଫଳ ହୋଇନାହିଁ।

ବିଶ୍ବର ଶ୍ରେଷ୍ଠ ୧୦୦ଟି ବ୍ୟାଙ୍କ ଭିତରେ ଭାରତର ଗୋଟିଏ ବ୍ୟାଙ୍କ ସ୍ଥାନ ପାଇଛି। ତାହା ହେଉଛି ଷ୍ଟେଟ୍‌ ବ୍ୟାଙ୍କ। ଅନ୍ୟ ଦେଶର ବଡ଼ ବ୍ୟାଙ୍କଗୁଡ଼ିକ ତୁଳନାରେ ଷ୍ଟେଟ୍‌ ବ୍ୟାଙ୍କ ବହୁତ ଛୋଟ ବୋଲି କୁହାଯାଉଛି। ‌ଏହି ତାଲିକାରେ ଷ୍ଟେଟ୍‌ ବ୍ୟାଙ୍କ ୫୫ତମ ସ୍ଥାନରେ ରହିଛି। ବିଶ୍ବର ଶ୍ରେଷ୍ଠ ୪ଟି ବ୍ୟାଙ୍କ ହେଉଛି ଚୀନ୍‌ର। ତାହା ହେଉଛି ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ୍‌ କମର୍ସିଆଲ୍‌ ବ୍ୟାଙ୍କ ଅଫ୍‌ ଚୀନ୍, ଚୀନ୍ କନଷ୍ଟ୍ରକ୍ସନ ବ୍ୟାଙ୍କ, ଏଗ୍ରିକଲଚର୍‌ ବ୍ୟାଙ୍କ ଅଫ୍‌ ଚୀନ୍ ଏବଂ ଚୀନ୍ ବ୍ୟାଙ୍କ ଲିମିଟେଡ୍‌। ପଞ୍ଚମ ସ୍ଥାନରେ ରହିଛି ଜାପାନର ମିତସୁବିଶି ୟୁଏଫ୍‌ଜି ଫାଇନାନ୍ସିଆଲ୍ ଗ୍ରୁପ୍। ଆମେରିକାର ଜେପି ମୋର୍ଗାନ୍ ଷଷ୍ଠ ସ୍ଥାନରେ ରହିଛି। ବିଶ୍ବର ଶ୍ରେଷ୍ଠ ୧୦୦ ବ୍ୟାଙ୍କ ମଧ୍ୟରେ ଚୀନ୍‌ର ସର୍ବାଧିକ ୧୬ଟି ଓ ଆମେରିକାର ଦ୍ବିତୀୟ ସର୍ବାଧିକ ୧୧ଟି ବ୍ୟାଙ୍କ ରହିଛି। ଜାପାନର ୯ଟି ବ୍ୟାଙ୍କ ଏହି ତାଲିକାରେ ଥିବା ବେଳେ ଦକ୍ଷିଣ କୋରିଆର ୬ଟି ବ୍ୟାଙ୍କ ରହିଛି।

ଏସିଆର ଶ୍ରେଷ୍ଠ ୫୦ଟି ବ୍ୟାଙ୍କ ଭିତରେ ଚୀନ୍‌ର ୨୧ଟି, ଜାପାନର ୮, କୋରିଆର ୬, ଅଷ୍ଟ୍ରେଲିଆର ୪, ତାଇୱାନର ୪, ସିଙ୍ଗାପୁରର ତିନିଟି ଏବଂ ଭାରତର ଦୁଇଟି ବ୍ୟାଙ୍କ ରହିଛି। ସେହି ଦୁଇ ବ୍ୟାଙ୍କ ହେଉଛି ଷ୍ଟେଟ୍‌ ବ୍ୟାଙ୍କ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ। ଭାରତରେ ଯଦିଓ ସରକାରୀ ଓ ଘରୋଇ କ୍ଷେତ୍ର‌ର ଅନେକ ବ୍ୟାଙ୍କ ରହିଛି କିନ୍ତୁ ସେଗୁଡ଼ିକ ବିଶ୍ବ ସ୍ତରୀୟ ବ୍ୟାଙ୍କ ଭଳି ବଡ଼ ହୋଇପାରିନାହାନ୍ତି। ବିଶାଳୟକାୟ ବ୍ୟାଙ୍କ ସୃଷ୍ଟି କରିବା ଲାଗି ନିକଟରେ ସରକାର ୧୦ଟି ସରକାରୀ ବ୍ୟାଙ୍କ ମଧ୍ୟରେ ମିଶ୍ରଣ କରି ୪ଟି ବଡ଼ ବ୍ୟାଙ୍କ ସୃଷ୍ଟି କରିବାକୁ ଘୋଷଣା କରିଛନ୍ତି। କିନ୍ତୁ ଆକାର ଦୃଷ୍ଟିରୁ ସେଗୁଡ଼ିକ ଷ୍ଟେଟ୍‌ ବ୍ୟାଙ୍କ ପାଖାପାଖି ପହଞ୍ଚିପାରିବେ ନାହିଁ। ଭାରତରେ ଷ୍ଟେଟ୍‌ ବ୍ୟାଙ୍କ ୫୨ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ସହିତ ଏକ ନମ୍ବର ସ୍ଥାନରେ ଥିବା ବେଳେ ଦ୍ବିତୀୟ ସ୍ଥାନରେ ଥିବା ପିଏନ୍‌ବିର ସମ୍ପତ୍ତି ପରିମାଣ ହେଉଛି ୧୮ ଲକ୍ଷ କୋଟି ଟଙ୍କା।

ସମ୍ବନ୍ଧିତ ଖବର