ଫୋନ୍ ପେକୁ ମିଳିଲା ୱାଲ୍ମାର୍ଟର ସାଥ୍; ୨୦୦ ମିଲିୟନ ଡଲାର ପାଣ୍ଠି ପାଇ କମ୍ପାନି ପାଲଟିଲା ସବୁଠୁ ଅଧିକ ଶକ୍ତିଶାଳୀ
ନୂଆଦିଲ୍ଲୀ: ଭାରତର ସବୁଠୁ ବଡ ଅନ୍ଲାଇନ୍ ନେଣଦେଶ ପ୍ଲାଟଫର୍ମ ଫୋନ୍ ପେକୁ ମିଳିଛି ୱାଲମାର୍ଟର ସାଥ୍। ଶୁକ୍ରବାର ଦିନ କମ୍ପାନି ପକ୍ଷରୁ କୁହାଯାଇଛି ଯେ ଫୋନ୍ ପେକୁ ୱାଲମାର୍ଟରୁ ୨୦୦ ମିଲିୟନ ଡଲାର (ପ୍ରାୟ ୧,୬୪୯ କୋଟି) ଅତିରିକ୍ତ ନିବେଶ ମିଳିଛି। ଏହାଫଳରେ ଫୋନ୍ ପେ ଦେଶର ସବୁଠାରୁ ବଡ଼ ଅନ୍ଲାଇନ୍ ପେମେଣ୍ଟ୍ ପ୍ଲାଟଫର୍ମ ବା ଫିଣ୍ଟେକ୍ କମ୍ପାନି ହୋଇପାରିଛି।
ଏକ ବିବୃତି ପ୍ରକାଶ କରି କମ୍ପାନି କହିଛି ଯେ ଏହି ନୂତନ ବିନିଯୋଗ ମାଧ୍ୟମରେ ୧ ବିଲିୟନ ଆମେରିକୀୟ ଡଲାର ସଂଗ୍ରହ ହୋଇଛି। ଏହି କ୍ରମରେ କମ୍ପାନି ଏକାଧିକ ବିଶ୍ୱ ନିବେଶକଙ୍କଠାରୁ ୬୫୦ ମିଲିୟନ ଡଲାର (ପ୍ରାୟ ୫,୩୬୦ କୋଟି ଟଙ୍କା) ଯୋଗାଡ଼ କରିଛି। ଏହି ପାଣ୍ଠି ମାଧ୍ୟମରେ ଫୋନ୍ ପେକୁ ଭାରତରେ ୟୁପିଆଇ କାରବାର ବିକାଶରେ ସାହାଯ୍ୟ ମିଳିବ।
ଗତବର୍ଷ ଫୋନ୍ ପେର ଭାରତରୁ ଡୋମିସାଇଲ୍ ପରିବର୍ତ୍ତନ ଏହି ପାଣ୍ଠି ସଂଗ୍ରହ କରିବାରେ ସାହାଯ୍ୟ କରିଛି, ଯାହାକି ନୂତନ ବିନିଯୋଗ ପାଇଁ ସୁଯୋଗ ଦେଉଛି। କମ୍ପାନି ପକ୍ଷରୁ ଆହୁରି ବି କୁହାଯାଇଛି ଯେ ଫୋନ୍ ପେ ଅଧିକ ପୁଞ୍ଜି ବିନିଯୋଗ ଆଶା କରୁଛି, ଯାହା ଠିକ୍ ସମୟରେ ଘୋଷଣା କରାଯିବ।
ବୀମା, ଧନ ପରିଚାଳନା, ଋଣ ପ୍ରଦାନ, ଷ୍ଟକ୍ବ୍ରୋକରିଂ, ଓଏନ୍ଡିସି ଆଧାରିତ ବାଣିଜ୍ୟ ଏବଂ ଆକାଉଣ୍ଟ ଏଗ୍ରିଗେଟର ଭଳି ନୂତନ ବ୍ୟବସାୟର ଆରମ୍ଭ ଏବଂ ବିସ୍ତାର ପାଇଁ କମ୍ପାନି ଏହି ପାଣ୍ଠି ସଂଗ୍ରହ କରିଛି।
ଫୋନ ପେ ସିଇଓ ତଥା ପ୍ରତିଷ୍ଠାତା ସମୀର ନିଗମ କହିଛନ୍ତି, ‘ଆମର ଦୀର୍ଘ ଦିନର ଆଶାକୁ ସମର୍ଥନ କରିଥିବାରୁ ଆମେ ୱାଲମାର୍ଟକୁ ଧନ୍ୟବାଦ ଦେବାକୁ ଚାହୁଁଛୁ। ଆମେ ଆମ ବିକାଶର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ବେଶ୍ ଉତ୍ସାହିତ। ଆମେ ସାରା ଦେଶରେ ଭାରତୀୟ ଗ୍ରାହକ ଏବଂ ବ୍ୟବସାୟୀଙ୍କ ପାଇଁ ନୂତନ ଅଫର୍ ଆଣୁଛୁ ।’