ଟୋକିଓ : ଜାପାନି କଂଜୁମର ଇଲେକ୍ଟ୍ରୋନିକ୍ସ କମ୍ପାନି ତୋସିବା ପ୍ରାୟ ୪୦୦୦ କର୍ମଚାରୀଙ୍କୁ ଛଟେଇ କରିବ। କମ୍ପାନିର ପୁନର୍ଗଠନ ପ୍ରକ୍ରିୟାର ମାଧ୍ୟମରେ ଏସବୁ ଛଟେଇ କରାଯିବ । ତୋସିବାର ନୂଆ ମାଲିକ ଜାପାନ ଇଣ୍ଡଷ୍ଟ୍ରିଆଲ ପାର୍ଟନର୍ସଙ୍କ ନେତୃତ୍ୱରେ ଗଠିତ ଏକ କନସୋର୍ଟିୟମ ଏହି ନିଷ୍ପତ୍ତି ନେଇଛି।

Advertisment

ବିଗତ କିଛି ବର୍ଷ ଧରି ଆଭ୍ୟନ୍ତରୀଣ ଅବ୍ୟବସ୍ଥା ଓ ଦୁର୍ନୀତି ଅଭିଯୋଗ ନେଇ ତୋସିବାର ସ୍ଥିତ ଭଲ ନଥିଲା । ଏହା ପରେ ଗତ ଡିସେମ୍ବର ମାସରେ ଜାପାନ ଇଣ୍ଡଷ୍ଟ୍ରିଆଲ ପାର୍ଟନର୍ସ ନେତୃତ୍ବରେ ଏକ କନସୋର୍ଟିୟମ ଏହାକୁ ୧୩ ବିଲିୟନ ଡଲାରରେ ଅଧିଗ୍ରହଣ କରିଥିଲା । ଅଧିଗ୍ରହଣ ପରେ ଏହାର ବ୍ୟୟ ହ୍ରାସ ଓ ରାଜସ୍ବ ବୃଦ୍ଧି ପାଇଁ କମ୍ପାନିର ପୁନର୍ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ଯୋଜନାର ଅଂଶସ୍ବରୂପ ପ୍ରାୟ ୪୦୦୦ କର୍ମଚାରୀ ବା ଘରୋଇ ମାନବ ସମ୍ବଳର ୬ ପ୍ରତିଶତ ଛଟେଇ କରାଯାଉଛି । ଖର୍ଚ୍ଚକାଟ କରିବାକୁ କମ୍ପାନି ଆଉ ଏକ ନିଷ୍ପତ୍ତି ନେଇଛି । ତାହା ହେଉଛି କମ୍ପାନିର ଅଫିସଗୁଡ଼ିକୁ କେନ୍ଦ୍ରୀୟ ଟୋକିଓରୁ କାଓ୍ବାସାକିକୁ ସ୍ଥାନାନ୍ତର କରାଯିବ ।

ସୂଚନାଯୋଗ୍ୟ ଯେ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ଏବଂ ଇଲେକ୍ଟ୍ରିକାଲ ଉତ୍ପାଦ ଉତ୍ପାଦନ କରିଥାଏ । କମ୍ପ୍ୟୁଟର, ଲାପଟପ୍, ଟେଲିଭିଜନ, ହୋମ ଆପ୍ଲାଏନ୍ସ ଏବଂ ଅନ୍ୟାନ୍ୟ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଏହି କମ୍ପାନୀ ପ୍ରସିଦ୍ଧ । ଭାରତର ବି ଏହାର ଏକ ବଡ଼ ବଜାର ରହିଛି । ତେବେ ଏସବୁ ଛଟେଇ କେବଳ ଜାପାନରେ ହେବ । ଭାରତ କିମ୍ବା ଅନ୍ୟ ଦେଶରେ କମ୍ପାନିର କର୍ମଚାରୀଙ୍କ ଛଟେଇ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।