ଭୁବନେଶ୍ବର: ବାତ୍ୟା ‘ଫନି’କୁ ଏକ ମାସ ଇତିମଧ୍ୟରେ ବିତିଗଲାଣି। ଏହାଦ୍ବାରା ରାଜ୍ୟର ପର୍ଯ୍ୟଟନ ଶିଳ୍ପ ଗୁରୁତର କ୍ଷତିଗ୍ରସ୍ତ ହୋଇଛି। ଏବେ ବି ଏହା ଅଣ୍ଟା ସଳଖି ଠିଆ ହେବାକୁ ପ୍ରୟାସ ଜାରି ରଖିଛି। ରାଜ୍ୟର ପର୍ଯ୍ୟଟନ ଶିଳ୍ପର ପୁନରୁଦ୍ଧାର ପାଇଁ ଓଡ଼ିଶା ହୋଟେଲ୍ ଓ ରେସ୍ତୋରାଁ ସଂଘ (ଏଚ୍‌ଆର୍‌ଏଓ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହଯୋଗ ଲୋଡ଼ିଛି। ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ୩୦୦୦ କୋଟି ଟଙ୍କାର ସ୍ବତନ୍ତ୍ର ଅନୁଦାନ ଘୋଷଣା କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଏଚ୍‌ଆର୍‌ଏସ୍‌ଓ ଓ ଇଆଇଏଟିଓ-ପୂର୍ବାଞ୍ଚଳର ଅଧ୍ୟକ୍ଷ ଜେ କେ ମହାନ୍ତି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏ ନେଇ ଏକ ଚିଠି ଲେଖିଛନ୍ତି। ଏହାର ନକଲ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ସଚିବଙ୍କ ନିକଟକୁ ପଠାଯାଇଛି।

Advertisment

ଏଚ୍‌ଆର୍‌ଏଓ ତରଫରୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଲେଖାଯାଇଥିବା ଚିଠିରେ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି। ଦୀର୍ଘ ସମୟ ପାଇଁ ନିଆଯାଇଥିବା ଋଣର ମୂଳଧନ ଓ ସୁଧ ଉପରେ ୨ ବର୍ଷର ମୋରାଟୋରିଅମ୍ ଅବଧି ପ୍ରଦାନ କରିବା ଏବଂ ବାତ୍ୟା ଦ୍ବାରା ପ୍ରଭାବିତ ହୋଇଥିବା ହୋଟେଲ ଗୁଡ଼ିକର ପୁନରୁଦ୍ଧାର ପାଇଁ ସୁଧ ମୁକ୍ତ ମୋରାଟୋରିଅମ୍ ଅବଧି ସହିତ ନୂଆ ଋଣ ମଞ୍ଜୁର କରିବା ପାଇଁ ବ୍ୟାଙ୍କଗୁଡ଼ିକୁ ନିର୍ଦେଶ ଦେବାକୁ ଦାବି କରାଯାଇଛି। ବୀମା ରାଶି ଶୀଘ୍ର ପ୍ରଦାନ କରିବା ପାଇଁ ସମସ୍ତ ବୀମା କଂପାନିକୁ ନିର୍ଦେଶ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ପୁରୀ, ଭୁବନେଶ୍ବର ଓ କଟକ ସହର ପାଖାପାଖି ଥିବା ପର୍ଯ୍ୟଟନ ସ୍ଥଳ ଏବଂ ତାହାର ଆଖାପାଖ ଅଞ୍ଚଳଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଦାବି କରାଯାଇଛି। ବାତ୍ୟା ଫନି ଦ୍ବାରା କେବଳ ହୋଟେଲ ଗୁଡ଼ିକର ୫୦୦ କୋଟି ଟଙ୍କା‌ କ୍ଷତି ହୋଇଥିବା ଆକଳନ କରାଯାଇଛି। ତାହାକୁ ଶୀଘ୍ର ଭରଣା କରିବା ନିମନ୍ତେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ହୋଟେଲ ଶିଳ୍ପରେ କାମ କରୁଥିବା କଂପାନିଗୁଡ଼ିକୁ ପିଏଫ୍ ଏବଂ ଇଏସ୍‌ଆଇ ଯୋଗଦାନରେ ଦୁଇ ବର୍ଷର ରିହାତି ପ୍ରଦାନ କରିବା ଏବଂ ହୋ‌ଟେଲ୍ ଶିଳ୍ପକୁ ସ୍ବତନ୍ତ୍ର ଟିକସ ଛାଡ଼ ସୁବିଧା ପ୍ରଦାନ କରିବାକୁ ଏଚ୍‌ଆର୍‌ଏଓ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କୁ ସଂଘ ତରଫରୁ ଏକ ଦୀର୍ଘମିଆଦୀ ଯୋଜନା ମଧ୍ୟ ପ୍ରଦାନ କରାଯାଇଛି। ଭୁବନେଶ୍ବରର ବିମାନ ବନ୍ଦରରୁ ସିଧାସଳଖ ଅଧିକ ବିମାନ ଚଳାଚଳ ଆରମ୍ଭ କରିବା ଏବଂ ଦେଶର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସହ ଭୁବନେଶ୍ବରକୁ ବିମାନ ଦ୍ବାରା ଯୋଡ଼ିବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। ବାଲାଂଦେଶ, ଆମେରିକା, ବ୍ରିଟେନ, କାନାଡା, ଅଷ୍ଟ୍ରେଲିଆ, ମାଲେସିଆ, ଶ୍ରୀଲଙ୍କା, ରୁଷିଆ, ଜର୍ମାନି ଓ ଫ୍ରାନ୍ସରେ ଆନ୍ତର୍ଜାତିକ ରୋଡ୍‌ ସୋ’ ଆୟୋଜନ କରିବାକୁ ଦାବି କରାଯାଇଛି। ବିଦେଶରେ ଓଡ଼ିଶାର ପ୍ରଚାର ପ୍ରସାର ପାଇଁ ସ୍ବତନ୍ତ୍ର କେନ୍ଦ୍ରୀୟ ସହାୟତା ଯୋଗାଇ ଦେବାକୁ କୁହାଯାଇଛି।

ଅନ୍ୟ ରାଜ୍ୟଗୁଡ଼ିକରେ ତାରକା ହୋଟେଲ୍ ସଂଖ୍ୟା ଅଧିକ ଥିବା ବେଳେ ଓଡ଼ିଶାରେ ମାତ୍ର ୮ଟି ‌ଷ୍ଟାର୍‌ ହୋଟେଲ୍‌ ରହିଛି। ଓଡ଼ିଶାରେ ଅଧିକ ସଂଖ୍ୟକ ହୋଟେଲ୍ କୋଠରି ନିର୍ମାଣ କରିବା ନିମନ୍ତେ ୧୦୦୦ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିବାକୁ କୁହାଯାଇଛି। ରାଜ୍ୟରେ‌ ବୌଦ୍ଧ ସର୍କିଟ୍ ବିକଶିତ କରିବା ନିମନ୍ତେ ୧୦୦ କୋଟି ଟଙ୍କାର ସହାୟତା ଦେବାକୁ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। ବିଶ୍ବ ବାଣିଜ୍ୟ ସଂଗଠନ ସହଯୋଗରେ ଏକ ଆନ୍ତର୍ଜାତିକ ମାନର କନ୍‌ଭେନ୍‌ସନ୍‌ ସେଣ୍ଟର୍‌ ସ୍ଥାପନ କରିବା ନିମନ୍ତେ ୫୦୦ କୋଟି, ଚିଲିକାର ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ପାଇଁ ୫୦୦ କୋଟି, ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍‌ର ବିକାଶ ପାଇଁ ୨୫୦ କୋଟି ଓ ସାମୁକା ବେଳାଭୂମିର ବିକାଶ ପାଇଁ ୬୫୦ କୋଟିର ଅନୁଦାନ ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। ଏହା ବ୍ୟତୀତ ଜିଏସ୍‌ଟିକୁ ୨୮%ରୁ କମାଇ ୮% କରିବାକୁ ମଧ୍ୟ ଦାବି କରାଯାଇଛି।

ଏଚ୍‌ଆର୍‌ଏଓର ଦାବି
ନୂଆ ହୋଟେଲ୍‌ କୋଠରି ନିର୍ମାଣ ପାଇଁ ୧୦୦୦ କୋଟି
ବୌଦ୍ଧ ସର୍କିଟର ବିକାଶ ପାଇଁ ୧୦୦ କୋଟି
ଆନ୍ତର୍ଜାତିକ କନ୍‌ଭେନ୍‌ସନ୍ ସେଣ୍ଟର୍‌ ନିର୍ମାଣ ପାଇଁ ୫୦୦ କୋଟି
ଚିଲିକାର ପାରିପାର୍ଶ୍ବିକ ବିକାଶ ପାଇଁ ୫୦୦ କୋଟି
ପୁରୀ-କୋଣାର୍କ ‌ମେରାଇନ ଡ୍ରାଇଭର୍‌ ବିକାଶ ପାଇଁ ୨୫୦ କୋଟି
ସାମୁକା ବେଳାଭୂମିର ବିକାଶ ପାଇଁ ୬୫୦ କୋଟି
ପୁରୁଣା ଋଣ ଉପରେ ସୁବିଧା‌ ଦିଆଯାଉ
ପୁନରୁଦ୍ଧାର ପାଇଁ ନୂଆ ଋଣ ମଞ୍ଜୁର କରାଯାଉ
ବୀମା ରାଶି ଶୀଘ୍ର ଦିଆଯାଉ