ଭୁବନେଶ୍ବର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବାକୁ ଯାଉଥିବା ବେଳେ ବଜେଟ୍ରୁ ରହିଥିବା ଆଶା ସମ୍ପର୍କରେ ଓଡ଼ିଶା ହୋଟେଲ୍ ଓ ରେସ୍ତୋରାଁ ସଂଘ (ଏଚ୍ଆର୍ଏଓ)ର ଅଧ୍ୟକ୍ଷ ଜେ କେ ମହାନ୍ତି ତାଙ୍କୁ ଏକ ଚିଠି ଲେଖିଛନ୍ତି। ପର୍ଯ୍ୟଟନକୁ ଅଗ୍ରାଧିକାର କ୍ଷେତ୍ର ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି। ଏହି କ୍ଷେତ୍ରକୁ ଭିତ୍ତିଭୂମି ମାନ୍ୟତା ଦେଲେ ଉପଯୁକ୍ତ ସୁଧ ହାରରେ ଘରୋଇ ପୁଞ୍ଜିନିବେଶ ମିଳିପାରିବ ଯାହା ଦ୍ବାରା ସର୍ବଭାରତୀୟ ସ୍ତରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏବେ କେବଳ ୨୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶରେ ନିର୍ମାଣ କରାଯାଉଥିବା ହୋଟେଲ୍କୁ ଭିତ୍ତିଭୂମି ମାନ୍ୟତା ଦିଆଯାଉଛି। ସେହି ରାଶିକୁ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିବାକୁ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି। ଶିଳ୍ପ କ୍ଷେତ୍ର ପାଇଁ ଲାଗୁ ହୋଇଥିବା ବିଦ୍ୟୁତ ଦର ହୋଟେଲ୍ ପାଇଁ ଲାଗୁ କରିବାକୁ ସେ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ବ୍ୟାଙ୍କଗୁଡ଼ିକ ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ର ଓ ଏହି କ୍ଷେତ୍ରର ପ୍ରମୋଟର ଓ ଉଦ୍ୟୋଗୀମାନଙ୍କୁ ଉଚ୍ଚ-ବିପଦ ବର୍ଗରେ ସ୍ଥାନିତ କରିଥିବା ଚିନ୍ତାର ବିଷୟ। ସେଥିପାଇଁ ଫାଇନାନ୍ସ ମିଳିବାରେ ଅସୁବିଧା ହେଉଥିବା ସେ ଜଣାଇଛନ୍ତି। ୭୫୦୦ ଟଙ୍କାରୁ ଅଧିକ ମୂଲ୍ୟର ହୋଟେଲ୍ କୋଠରି ଉପରେ ଲଗାଯାଇଥିବା ୧୮% ଜିଏସ୍ଟିକୁ କମ୍ କରି ସବୁ ପ୍ରକାର କୋଠରି ପାଇଁ ସମାନ ଭାବେ ୧୨% ଟିକସ ହାର ଲାଗୁ କରିବାକୁ ସେ ଅନୁରୋଧ କରିଛନ୍ତି। ୨୦୨୩ ଏପ୍ରିଲ୍ରୁ ୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଦୁଇ ବର୍ଷ ପାଇଁ ସର୍ବନିମ୍ନ ବିକଳ୍ପ ଟିକସ (ଏମ୍ଏଟି)କୁ କୋହଳ କରିବାକୁ ସେ କହିଛନ୍ତି। ଆତିଥେୟତା କ୍ଷେତ୍ର ପାଇଁ ଇସିଏଲ୍ଜିଏସ୍ ଋଣର ଅବଧି ବଢ଼ାଇବାକୁ ମଧ୍ୟ ସେ କହିଛନ୍ତି। ହୋଟେଲ ରହଣୀକୁ ଲିଭ୍ ଟ୍ରାଭେଲ୍ ଆଲାଉନ୍ସ (ଏଲ୍ଟିଏ)ରେ ସାମିଲ କରିବା ପାଇଁ ସେ ଅର୍ଥମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପର୍ଯ୍ୟଟନ ଭିତ୍ତିଭୂମିରେ ନିବେଶ ପାଇଁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ଭାରତରୁ ସେବା ରପ୍ତାନି ସ୍କିମ୍ରେ ହୋଟେଲ୍କୁ ସାମିଲ କରିବା ଲାଗି ସେ ଅନୁରୋଧ କରିଛନ୍ତି।