ଚୀନକୁ ପଛରେ ପକାଇବା ପାଇଁ ଏହି ସହରରେ ନିର୍ମାଣ ହେଉଛି ବିଶାଳ ଖେଳନା କାରଖାନା

ନୂଆଦିଲ୍ଲୀ: ପିଲାମାନଙ୍କ ପ୍ରଥମ ପସନ୍ଦ ହେଉଛି ଖେଳନା | ଆଉ ଭାରତରେ ଚୀନ ଖେଳନାର ବ୍ୟବହାର ବହୁଳ ଭାବେ ହେଉଛି | ଗୋଟିଏ ପଟେ ନିଜ ଦେଶର ଖେଳନା ଭାରତରେ ବିକ୍ରି କରି ପ୍ରଚୁର ଲାଭ ପାଉଥିବାବେଳେ ଅନ୍ୟ ପଟେ କିନ୍ତୁ ଭାରତ ବିରୋଧରେ ଚୀନ ଷଡଯନ୍ତ୍ର କରୁଛି | ଏହାକୁ ନଜରରେ ରଖି ଏବେ ଖେଳନା ନିର୍ମାଣରେ ଭାରତକୁ ସ୍ୱାବଲମ୍ବୀ କରିବା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ନୋଏଡାର ସେକ୍ଟର ୩୩ ରେ ଏକ ଟୟ ପାର୍କ ନିର୍ମାଣ କରାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି | ଏହି ପାର୍କରେ ଖେଳନା କାରଖାନା ସ୍ଥାପନ ପାଇଁ ୧୩୪ ଜଣ ଶିଳ୍ପପତିଙ୍କୁ ଜମି ଦିଆଯାଇଛି | ବାସ୍ତବରେ, ଚାଇନାର ଖେଳନା ଶିଳ୍ପକୁ କଡା ଟକ୍କର ଦେବା ପାଇଁ ନୋଏଡାଠାରେ ଏହି ଟୟ ପାର୍କର ନିର୍ମାଣ କରାଯିବ |

୧୩୪ ଜଣ ଶିଳ୍ପପତି ପ୍ରାୟ ୪୧୦.୧୩ କୋଟି ଟଙ୍କା ବିନିଯୋଗ କରିବେ ଏବଂ ଟୟ ପାର୍କରେ ସେମାନଙ୍କର କାରଖାନା ସ୍ଥାପନ କରିବେ | ଏହି ଖେଳନା କାରଖାନାଗୁଡ଼ିକରେ ୬୧୫୭ ଜଣ ଲୋକ ସ୍ଥାୟୀ ନିଯୁକ୍ତି ପାଇବେ | ସୂଚନାଯୋଗ୍ୟ ଯେ ଗତ ବର୍ଷ ମନ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖେଳନା ଉତ୍ପାଦନରେ ଦେଶର ଭୂମିକା ବଢାଇବା ବିଷୟରେ କହିଥିଲେ, ଯାହା ପରେ ଖେଳନା ବ୍ୟବସାୟକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନେକ ନିଷ୍ପତ୍ତି ନେଇଥିଲେ।

ଆଉ ଖେଳନା ଉତ୍ପାଦନ ୟୁନିଟ୍ ପାଇଁ ୧୦୦ ଏକରରୁ ଅଧିକ ଜମି ଆବଣ୍ଟିତ ହୋଇଛି | ଟୟ ପାର୍କରେ ଖେଳନା କାରଖାନା ସ୍ଥାପନ ପାଇଁ ଏପର୍ଯ୍ୟନ୍ତ ୧୩୪ କମ୍ପାନୀକୁ ଜମି ଆବଣ୍ଟନ କରାଯାଇଛି। ଖୁବ୍ ଶୀଘ୍ର ଯେଉଁ କମ୍ପାନୀଗୁଡିକ ଜମି ପାଇବେ ସେମାନେ ଟୟ ପାର୍କରେ କାରଖାନା ସ୍ଥାପନ କାର୍ଯ୍ୟ ଆରମ୍ଭ କରିବେ |

ସମ୍ବନ୍ଧିତ ଖବର