ଭୁବନେଶ୍ବର: ଚଳିତ ବର୍ଷ ଉତ୍ସବ ଋତୁରେ ଚମତ୍କାର ଗାଡ଼ି ବିକ୍ରି ହୋଇଛି। ଦୀର୍ଘଦିନ ପରେ ଗୋଟିଏ ମାସରେ ରାଜ୍ୟରେ ଏକ ଲକ୍ଷରୁ ଅଧିକ ଗାଡ଼ି ବିକ୍ରି ହୋଇଛି। ରାଜ୍ୟରେ ମାସକୁ ହାରାହାରି ୫୦-୬୦ ହଜାର ମଧ୍ୟରେ ଗାଡ଼ି ବିକ୍ରି ହୋଇଥାଏ। ମାତ୍ର ଚଳିତ ବର୍ଷ ଅକ୍ଟୋବରରେ ରେକର୍ଡ ୧,୦୮,୧୦୪ ଗାଡ଼ି ବିକ୍ରିର ମାଇଲଖୁଣ୍ଟ ହାସଲ ହୋଇଛି। ଫେଡେରେସନ୍ ଅଫ୍ ଅଟୋମୋବାଇଲ୍ ଡିଲର୍ସ ଆସୋସିଏସନ୍ (ଏଫ୍ଏଡିଏ)ର ସୂଚନା ଅନୁସାରେ ଅକ୍ଟୋବର ମାସରେ ଦୁଇଚକିଆଠାରୁ ଆରମ୍ଭ କରି କାର୍ ପର୍ଯ୍ୟନ୍ତ ସବୁ ପ୍ରକାର ଗାଡ଼ି ବିକ୍ରି ବଢ଼ିଛି। ମାତ୍ର ଟ୍ରାକ୍ଟର ବିକ୍ରିରେ ହ୍ରାସ ଘଟିଛି। ଆଲୋଚ୍ୟ ମାସରେ ୮୯,୧୫୦ଟି ଦୁଇଚକିଆ ଗାଡ଼ି ବିକ୍ରି ହୋଇଛି ଯାହା ପୂର୍ବବର୍ଷ ଅକ୍ଟୋବରରେ ହୋଇଥିବା ୭୧,୫୯୪ଟି ଦୁଇଚକିଆ ତୁଳନାରେ ୨୪.୫୩ ପ୍ରତିଶତ ଅଧିକ।
ସେହିପରି ଗତବର୍ଷ ତୁଳନାରେ ତିନିଚକିଆ ଯାନ ବିକ୍ରି ୧୬.୨୩ ପ୍ରତିଶତ ବୃଦ୍ଧି ପାଇ ୨୬୬୪ରେ ପହଞ୍ଚିଛି। ବାଣିଜ୍ୟିକ ଯାନ ବିକ୍ରି ୧୫.୭୨ ପ୍ରତିଶତ ବୃଦ୍ଧି ସହ ୩୯୧୭ ହୋଇଛି। ସେହି ସମୟରେ ରାଜ୍ୟରେ ୧୧,୧୭୭ଟି କାର୍ ବିକ୍ରି ହୋଇଛି ଯାହା ୨୦୨୩ ଅକ୍ଟୋବରରେ ହୋଇଥିବା ୮୭୭୫ଟି କାର୍ ତୁଳନାରେ ୨୭.୩୭ ପ୍ରତିଶତ ଅଧିକ। ଟ୍ରାକ୍ଟର ବିକ୍ରି କିନ୍ତୁ ଏହି ମାସରେ ୩.୩୪ ପ୍ରତିଶତ ହ୍ରାସ ପାଇ ୧୧୮୭ ରହିଛି। ଏ ସମ୍ପର୍କରେ ଏଫ୍ଏଡିଏ ଓଡ଼ିଶା ଶାଖାର ଅଧ୍ୟକ୍ଷ ଅଖିଲ ପୋଦାର କହିଛନ୍ତି ଯେ ଦୀର୍ଘଦିନ ପରେ ଅକ୍ଟୋବର ଏକ ବହୁତ ଭଲ ମାସ ସାବ୍ୟସ୍ତ ହୋଇଛି। ରାଜ୍ୟର ବିକ୍ରି ଧାରା ଜାତୀୟ ସ୍ତର ଅନୁରୂପ ହୋଇନଥିଲେ ମଧ୍ୟ ପଞ୍ଜୀକରଣ ୧ ଲକ୍ଷ ମାଇଲଖୁଣ୍ଟ ଅତିକ୍ରମ କରିଛି। ଆଗାମୀ ଦିନରେ ବିକ୍ରିରେ ଆହୁରି ଦ୍ରୁତ ଅଭିବୃଦ୍ଧି ଆଶା କରାଯାଉଛି ବୋଲି ସେ କହିଛନ୍ତି। ଜାତୀୟ ସ୍ତରରେ ଅକ୍ଟୋବର ମାସରେ ୨୮,୩୨,୯୪୪ଟି ଗାଡ଼ି ବିକ୍ରି ହୋଇଛି।