ନୂଆଦିଲ୍ଲୀ : ୟୁ‌କ୍ରେନ୍‌ ସହ ଯୁଦ୍ଧ ଜାରି ରଖି ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ରୋଷର ଶିକାର ହୋଇଥିବା ରୁଷ୍‌ ସହ ଭାରତ ମୁକ୍ତ ବାଣିଜ୍ୟ ରାଜିନାମା ସ୍ବାକ୍ଷର କରିବା ଉପ‌ରେ ବିଚାର କରୁଛି। ଉଭୟ ପକ୍ଷ ମଧ୍ୟରେ ଏନେଇ ଆଲୋଚନା ଆରମ୍ଭ ହୋଇଛି। ରୁଷ୍‌ର ଉପ ମୁଖ୍ୟମନ୍ତ୍ରୀ ଡେନିସ୍‌ ମଣ୍ଟୁରୋଭ୍ ଦୁଇଦିକିଆ ଭାରତ ଗସ୍ତରେ ଆସିଛନ୍ତି। ଉଭୟ ଦେଶ ଭିତରେ ନିବେଶ ଓ ବାଣିଜ୍ୟ ସମ୍ପର୍କ କିଭଳି ମଜଭୁତ ହେବ ତାହାକୁ ନେଇ ଆଲୋଚନା ହେଉଛି ବୋଲି ସେ କହିଛନ୍ତି। ଶ୍ରୀ ମଣ୍ଟୁରୋଭ ଏକ ବାଣିଜ୍ୟ, ସଂସ୍କୃତି, ବିଜ୍ଞାନ ଓ ପ୍ରଯୁକ୍ତି ସମ୍ପର୍କିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଭାରତ ଆସିଛନ୍ତି। ଅସ୍ତ୍ରଶସ୍ତ୍ର ଯୋଗାଣରେ ଭାରତର ପ୍ରମୁଖ ସହଯୋଗୀ ରାଷ୍ଟ୍ର ଥିବା ରୁଷ୍ ଏବେ ତୈଳ କାରବାରରେ ମଧ୍ୟ ଏକ ନମ୍ବର ସ୍ଥାନରେ ରହିଛି। ୟୁକ୍ରେନ୍‌ ସହ ଯୁଦ୍ଧ ପରେ ରିହାତି ଦରରେ ତେଲ ବିକ୍ରି କରୁଥିବାରୁ ରୁଷ୍‌ଠାରୁ ଭାରତ ବିପୁଳ ତେଲ କିଣୁଛି। ୨୦୨୨-୨୩ରେ ରୁଷ୍‌ଠାରୁ ଭାରତ ଚାରି ଗୁଣା ଅଧିକ ତେଲ କିଣିଛି। ବାଣିଜ୍ୟ କାରବା‌ରରେ ରହିଥିବା ବଡ଼ ବ୍ୟବଧାନକୁ ଦୂର କରିବା ଲାଗି ଭାରତରୁ ବିଭିନ୍ନ ପ୍ରକାର ମେସିନ କିଣିବା ଉପରେ ରୁଷ୍‌ ବିଚାର କରୁଛି। ସାମରିକ କ୍ଷେତ୍ର ବ୍ୟତୀତ ବେସାମରିକ କ୍ଷେତ୍ରରେ ଭାରତରୁ କେଉଁ ସବୁ ସାମଗ୍ରୀ ମଗାଇ ହେବ ତାହାକୁ ନେଇ ବିଚାରବିମର୍ଶ ଚାଲିଛି ବୋଲି ଶ୍ରୀ ମଣ୍ଟୁରୋଭ୍ କହିଛନ୍ତି।

Advertisment

କେଉଁ କ୍ଷେତ୍ର ଉପରେ ନଜର
ହାଇଡ୍ରୋକାର୍ବନ, ଶକ୍ତି, କୋଇଲା, ଆଣବିକ ଶକ୍ତି, ସାର, ଆଇଟି, ଧାତବ, ଖଣିଜ, ଇସ୍ପାତ, ଔଷଧ ଓ ଭିତ୍ତିଭୂମି ପ୍ରକଳ୍ପ, ସୀମା ଶୁଳ୍କ, ଟିକସ ବ୍ୟବସ୍ଥା, ପରିବହନ, ବିମାନ ଯୋଗାଯୋଗ, ଲଜିଷ୍ଟିକ୍ସ, ଆର୍ଥିକ ଭିତ୍ତିଭୂମି

ଆମେରିକାର କଟକଣା ଯୋଗୁ ଡଲାରରେ କାରବାର କରିବା କଷ୍ଟକର ହୋଇପଡ଼ିଥିବାରୁ ଭାରତୀୟ ଟଙ୍କାରେ ରୁଷ୍‌ ସହ କାରବାର ଆରମ୍ଭ ହୋଇଛି। ଭାରତୀୟ ବ୍ୟାଙ୍କରେ ରୁଷ୍‌ର କିଛି ବ୍ୟାଙ୍କ ସେଥିପାଇଁ ସ୍ବତନ୍ତ୍ର ଖାତା ଖୋଲିଛନ୍ତି। ତେବେ ଟଙ୍କା କାହିଁକି ବିଶେଷ ଭାବେ ଗ୍ରହଣୀୟ ହୋଇପାରୁନି, ସେ ସମ୍ପର୍କରେ ମତ ରଖି ଶ୍ରୀ ମଣ୍ଟୁରୋଭ କହିଛନ୍ତି ଯେ ଯେହେତୁ ଭାରତରୁ ଆମେ ଅଧିକ ଜିନିଷ ଆମଦାନି କରୁନାହୁଁ, ତେଣୁ ଭାରତଠାରୁ ଯେଉଁ ପେମେଣ୍ଟ୍‌ ଟଙ୍କାରେ ମିଳୁଛି ତାହାକୁ କିଭଳି ଖର୍ଚ୍ଚ କରାଯିବ ତାହାକୁ ନେଇ ଚିନ୍ତା ରହିଛି। ରୁଷ୍‌କୁ ଭାରତରୁ କିଭଳି ରପ୍ତାନି ବଢ଼ିବ ସେ ନେଇ ଶ୍ରୀ ମଣ୍ଟୁରୋଭ୍ ଓ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଭାରତ ଓ ରୁଷ୍‌ ମଧ୍ୟରେ ଦ୍ବିପାକ୍ଷିକ ବାଣଇଜ୍ୟ କାରବାର ୨୦୨୨-୨୩ରେ ୪୦୦୦ କୋଟି ଡଲାରରୁ ଅଧିକ ଥିଲା। ୨୦୨୩-୨୪ରେ ତାହା ୫୦୦୦ କୋଟି ଡଲାର ଟପିବାର ସମ୍ଭାବନା ରହିଛି। ରୁଷ୍‌ ଏବେ ଭାରତର ଶ୍ରେଷ୍ଠ ପାଞ୍ଚ ବଡ଼ ବାଣିଜ୍ୟ ସହଯୋଗୀ ତାଲିକାରେ ମଧ୍ୟ ସ୍‌ଥାନ ପାଇଛି। ନିକଟରେ ରୁଷିଆନ୍ ଚାମ୍ବର ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି ପକ୍ଷରୁ ନୂଆଦିଲ୍ଲୀରେ ଏକ କାର୍ଯ୍ୟାଳୟ ଖୋଲାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଜଗତ୍‌କରଣକୁ ନେଇ ବିଶ୍ବବ୍ୟାପୀ ଆଉ ଏତେଟା ଉତ୍ସାହ ନଥିବାରୁ ପ୍ରତିଟି ରାଷ୍ଟ୍ର ବାଣିଜ୍ୟ କାରବାରକୁ ନେଇ ପରସ୍ପର ସହ ସ୍ବତନ୍ତ୍ର ରାଜିନାମା ସ୍ବାକ୍ଷର କରିବା ଉପରେ ଜୋର ଦେଉଛନ୍ତି। ୟୁରୋପୀୟ ସଂଘରୁ ବ୍ରିଟେନ୍‌ ବାହାରି ଆସିବା, ଚୀନ୍‌ ସହ ଆମେରିକାର ବାଣିଜ୍ୟ ଲଢ଼େଇ ଆଦି କିଛି ଘଟଣା ପରେ ମୁକ୍ତ ବାଣିଜ୍ୟ ରାଜିନାମା ଉପରେ ଅଧିକାଂଶ ଦେଶ ଜୋର ଦେଉଛନ୍ତି। ଭାରତର ସରକାର ମଧ୍ୟ କିଛି ଦେଶ ସହ ଏଭଳି ରାଜିନାମା ସ୍ବାକ୍ଷର କରିବା ଉପରେ କାମ କରୁଛନ୍ତି। ବ୍ରିଟେନ୍‌ ସହ କଥାବାର୍ତା ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି।