ନୂଆଦିଲ୍ଲୀ: ମୁକ୍ତ ବାଣିଜ୍ୟ ରାଜିନାମାକୁ ନେଇ ଭାରତ ଓ ବ୍ରିଟେନ୍ ମଧ୍ୟରେ ଦୀର୍ଘଦିନରୁ ଆଲୋଚନା ଜାରି ରହିଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ଚୁକ୍ତିକୁ ନେଇ ଏପର୍ଯ୍ୟନ୍ତ ସହମତି ହୋଇପାରୁନାହିଁ। ବ୍ରିଟେନ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଅମଳରେ ଏକ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ହୋଇଥିଲେ ମଧ୍ୟ ଚୁକ୍ତି ସ୍ବାକ୍ଷର ହୋଇପାରିନଥିଲା। ବ୍ରିଟେନ୍ରେ ପ୍ରଧାନମନ୍ତ୍ରୀ ବଦଳିଥିବା ବେଳେ ନୂଆ ଉତ୍ସାହ ନେଇ ଦୁଇ ଦେଶ ପୁଣି ଥରେ ବାଣିଜ୍ୟ ଆଲୋଚନା ଆରମ୍ଭ କରିବାକୁ ଯାଉଛନ୍ତି। ଚଳିତ ମାସରେ ଏହି ବୈଠକ ବସିବ।
୨୦୨୨ ଜାନୁଆରିରେ ଭାରତ-ବ୍ରିଟେନ୍ ମୁକ୍ତ ବାଣିଜ୍ୟ ରାଜିନାମା ଆରମ୍ଭ ହୋଇଥିଲା। ଦୁଇ ଦେଶର ନିର୍ବାଚନ ପାଖେଇ ଆସିବା ପରେ ୧ତମ ଆଲୋଚନାକୁ ସ୍ଥଗିତ ରଖାଯାଇଥିଲା। ଗତ ଶନିବାର ବ୍ରିଟେନ୍ର ନୂଆ ପ୍ରଧାନମନ୍ତ୍ରୀ କିର୍ ଷ୍ଟର୍ମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଥିଲେ। ମୁକ୍ତ ବାଣିଜ୍ୟ ରାଜିନାମାକୁ ଶୀଘ୍ର ଚୂଡ଼ାନ୍ତ କରିବା ଲାଗି ବ୍ରିଟେନ୍ ପ୍ରସ୍ତୁତ ଥିବା କହିଥିଲେ। ୨୦୨୨-୨୩ରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ପରିମାଣ ୨୦୩୬ କୋଟି ଡଲାର ଥିଲା। ୨୦୨୩-୨୪ରେ ତାହା ୨୧୩୪ କୋଟି ଡଲାରକୁ ବୃଦ୍ଧି ପାଇଛି। ମୁକ୍ତ ବାଣିଜ୍ୟ ରାଜିନାମା ସ୍ବାକ୍ଷର ହେଲେ ଏହି କାରବାର ଆହୁରି ବଢ଼ିବ ବୋଲି ଆଶା କରାଯାଉଛି।
ରାଜିନାମାରେ ସାମଗ୍ରୀ ଓ ସେବା କ୍ଷେତ୍ରକୁ ନେଇ କେତେକ ସମସ୍ୟା ରହିଛି। ଭାରତୀୟ ଶିଳ୍ପ ବ୍ରିଟେନ୍ର ସୂଚନା ପ୍ରଯୁକ୍ତି, ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅଧିକ ସୁବିଧା ଚାହୁଥିବା ବେଳେ କେତେକ ସାମଗ୍ରୀ ଉପରୁ ସୀମା ଶୁଳ୍କ ଶୂନ କରାଯାଉ ବୋଲି ଦାବି କରୁଛନ୍ତି। ଅନ୍ୟପକ୍ଷରେ ସ୍କଚ୍ ହ୍ବିସ୍କି, ଇଲେକ୍ଟ୍ରିକ୍ ଯାନ, ଚକୋଲେଟ୍ ଆଦି ଉପରୁ ଭାରତ ଏହାର ଆମଦାନି ଶୁଳ୍କ କମ୍ କରୁ ବୋଲି ବ୍ରିଟେନ୍ ଦାବି କରୁଛି। ଟେଲିଯୋଗାଯୋଗ, ଆଇନ, ବ୍ୟାଙ୍କ ଓ ବୀମା କ୍ଷେତ୍ରରେ ମଧ୍ୟ ଅଧିକ ସୁବିଧା ପାଇବାକୁ ବ୍ରିଟେନ୍ ଦାବି କରୁଛି। ଆଗକୁ ହେବାକୁ ଥିବା ବୈଠକରେ ଏହି ସବୁ ପ୍ରସଙ୍ଗରେ ସହମତି ହାସଲ କରିବା ଲାଗି ଉଭୟ ପକ୍ଷ ଉଦ୍ୟମ କରିବେ।