ଘରୋଇକରଣକୁ ଶ୍ରମିକ ସଂଘର ବିରୋଧ, ଆଜି ପାଳନ କରିବେ ପ୍ରତିବାଦ ଦିବସ

ଏଲ୍‌ଆଇସି ଅଂଶଧନ ବିକ୍ରି ଅକ୍ଟୋବର ପରେ

ନୂଆଦିଲ୍ଲୀ : ବଜେଟ୍‌ରେ ପୁଞ୍ଜିପ୍ରତ୍ୟାହାରକୁ ନେଇ ଯେଉଁ ଘୋଷଣା କରାଯାଇଛି ତାହାକୁ ଦେଶର ୧୦ଟି ପ୍ରମୁଖ ଶ୍ରମିକ ସଂଗଠନ ବିରୋଧ କରିଛନ୍ତି। ସରକାରଙ୍କ ଘରୋଇକରଣ ନୀତିକୁ ବିରୋଧ କରି ଆସନ୍ତାକାଲି ଏହି ସଂଘଗୁଡ଼ିକ ମିଳିତ ଭାବେ ସର୍ବଭାରତୀୟ ସ୍ତରରେ ପ୍ରତିବାଦ ଦିବସ ପାଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଘରୋଇକରଣ ନୀତିକୁ ସେମାନେ ଜନ ବି‌ରୋଧୀ ବୋଲି କହିବା ସହ ଶ୍ରମିକ କୋଡ୍‌କୁ ପ୍ରତ୍ୟାହାର କରିବା ଏବଂ ଗରିବ ଶ୍ରମିକମାନଙ୍କ ପରିବାରକୁ ଆୟ ଓ ଖାଦ୍ୟ ସହାୟତା ଯୋଗାଇବାକୁ ଦାବି କରିଛନ୍ତି।

ଆସନ୍ତାକାଲିର ପ୍ରତିବାଦ ଦିବସରେ ଅଂଶଗ୍ରହଣ କରିବାକୁ ଥିବା ଶ୍ରମିକ ସଂଗଠନଗୁଡ଼ିକ ହେଉଛି ଇଣ୍ଡିଆନ୍ ନ୍ୟାସନାଲ୍‌ ଟ୍ରେଡ୍ ୟୁନିୟନ କଂଗ୍ରେସ (ଆଇଏନ୍‌ଟିୟୁସି), ଅଲ ଇଣ୍ଡିଆ ଟ୍ରେଡ୍ ୟୁନିୟନ କଂଗ୍ରେସ (ଏଆଇଟିୟୁସି), ହିନ୍ଦ ମଜଦୁର ସଭା (ଏଚ୍‌ଏମ୍ଏସ୍‌), ସିଟୁ, ଅଲ ଇଣ୍ଡିଆ ୟୁନାଇଟେଡ୍ ଟ୍ରେଡ୍ ୟୁନିୟନ୍ ସେଣ୍ଟର୍‌ (ଏଆଇୟୁଟିୟୁସି), ଟ୍ରେଡ୍‌ ୟୁନିୟନ୍ କୋଅର୍ଡିନେସନ୍ ସେଣ୍ଟର୍‌ (ଟିୟୁସିସି), ସେଲ୍‌ଥ ଏମ୍ପ୍ଲୟଡ୍ ଓମେନ୍ସ ଆସୋସିଏସନ୍ (ସେବା), ଅଲ ଇଣ୍ଡିଆ ସେଣ୍ଟ୍ରାଲ୍ କାଉନ୍‌ସିଲ୍ ଅଫ୍ ଟ୍ରେଡ୍ ୟୁନିୟନ୍ (ଏଆଇସିସିଟିୟୁ), ଲେବର ପ୍ରୋଗ୍ରେସିଭ୍ ଫେଡେରେସନ୍ (ଏଲ୍‌ପିଏଫ୍) ଓ ୟୁନାଇଟେଡ୍ ଟ୍ରେଡ୍ ୟୁନିୟନ୍ କଂଗ୍ରେସ (ୟୁଟିୟୁସି)। ଆସନ୍ତାକାଲି ପ୍ରତିବାଦ ପ୍ରଦର୍ଶନ ବେଳେ ଦେଶରର ପ୍ରମୁଖ ଶିଳ୍ପ କେନ୍ଦ୍ର ଓ କର୍ମ ସ୍ଥଳଗୁଡ଼ିକରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ଏବଂ ଲେବର୍‌ କୋଡ୍‌ର କପିକୁ ପୋଡ଼ାଯିବ। ସରକାରଙ୍କ ଏହି କର୍ମଚାରୀ ବିରୋଧୀ, ଚାଷୀ ବି‌ରୋଧୀ ଓ ଦେଶ ବିରୋଧୀ ନୀତି ବିରୋଧରେ କର୍ମକ୍ଷେତ୍ର ଠାରୁ ଆରମ୍ଭ କରି ଆବାସିକ ଅଞ୍ଚଳ ପର୍ଯ୍ୟନ୍ତ ସବୁ ସ୍ଥାନରେ ବ୍ୟାପକ ଅଭିଯାନ ଆରମ୍ଭ କରିବାକୁ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ କର୍ମଚାରୀମାନଙ୍କୁ ଆହ୍ବାନ ଦିଆଯାଇଛି। ସରକାରଙ୍କ ନୀତିକୁ ବିରୋଧ କରି ଆଗାମୀ ଦିନରେ ଏହି ପ୍ରତିବାଦକୁ ଆହୁରି ବ୍ୟାପକ କରାଯିବ ବୋଲି କୁହାଯାଇଛି। ସଂଘଗୁଡ଼ିକ ପକ୍ଷରୁ ଯୁଗ୍ମ ଭାବେ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ କୃଷକମାନଙ୍କ ପାଇଁ କୌଣସି ସୁବିଧା ଘୋଷଣା କରାଯାଇନାହିଁ। କେବଳ ଋଣର ସୀମା ବୃଦ୍ଧି କରାଯାଇଛି। ଚାଷୀମାନଙ୍କ ଦାବିକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। କୃଷି ଆଇନ ପ୍ରତ୍ୟାହାର କରିବା ଲାଗି ଚାଷୀମାନେ ଆନ୍ଦୋଳନ କରୁଥିବା ବେଳେ ଏହି ଆଇନ ସେମାନଙ୍କ ପାଇଁ ବରଦାନ ବୋଲି ସରକାର କହୁଛନ୍ତି। ଗରିବ ଲୋକମାନଙ୍କ ସ୍ବାର୍ଥକୁ ବଜେଟ୍‌ରେ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। କର୍ପୋରେଟ୍ ଜଗତ ପାଇଁ ଅନେକ ସୁବିଧା ଘୋଷଣା କରାଯାଇଥିବା ବେଳେ ଲୋକମାନଙ୍କ ଉପରେ ସେସ୍‌ ବୋଝ ଲଦିଦିଆଇଛି। ଜୀବନଜୀବିକାକୁ ନେଇ ଲୋକମାନେ ସଂଘର୍ଷ କରୁଥିବା ବେଳେ ସେମାନଙ୍କ ଉପରେ ଆହୁରି ଚାପ ଦିଆଯାଇଛି ବୋଲି ଶ୍ରମିକ ସଂଗଠନଗୁଡ଼ିକ କହିଛନ୍ତି।

ଏଲ୍‌ଆଇସି ଅଂଶଧନ ବିକ୍ରି ଅକ୍ଟୋବର ପରେ
ନୂଆଦିଲ୍ଲୀ : ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ଅଂଶଧନକୁ ‌ଅକ୍ଟୋବର ପରେ ବିକ୍ରି କରିବା ବିଷୟରେ କେନ୍ଦ୍ର ସରକାର ବିଚାର କରୁଥିବା ଜଣାପଡ଼ିଛି। ଚଳିତ ବର୍ଷ ବଜେଟ୍‌ରେ ପୁଞ୍ଜିପ୍ରତ୍ୟାହାରକୁ ନେଇ ବଡ଼ ଯୋଜନା ଘୋଷଣା କରାଯାଇଛି। ଗତବର୍ଷ ବିକ୍ରି ହୋଇପାରିନଥିବା ଏୟାର ଇଣ୍ଡିଆ ଓ ଏଚ୍‌ପିସିଏଲ୍‌ ସମେତ ଆଉ କେତେକ ସଂସ୍ଥାର ଅଂଶଧନ ବିକ୍ରି ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ବ୍ୟତୀତ ଦୁଇଟି ସରକାରୀ ବ୍ୟାଙ୍କ ଓ ଏକ ବୀମା କଂପାନିର ଅଂଶଧନ ବିକ୍ରି କରାଯିବ। ଏହି ତିନି ସଂସ୍ଥାର ନାମ ଜଣାପଡ଼ିନାହିଁ।

ପୁଞ୍ଜିପ୍ରତ୍ୟାହାରରୁ ସରକାର ୧.୭୫ ଲକ୍ଷ କୋଟି ଟଙ୍କା ହାସଲ କରିବାକୁ ବଜେଟ୍‌ରେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ସରକାର ସିପିଙ୍ଗ୍‌ କର୍ପୋରେସନ୍ ଅଫ୍ ଇଣ୍ଡିଆ ଓ ଆଇଡିବିଆଇ ବ୍ୟାଙ୍କର ଅଂଶଧନ ମଧ୍ୟ ବିକ୍ରି କରିବେ। ଏଲ୍‌ଆଇସି ଓ ଆଇଡିବିଆଇ ବ୍ୟାଙ୍କର ଅଂଶଧନ ବିକିବା ଲାଗି ଆଇନରେ ଦରକାର ହେଉଥିବା ସଂଶୋଧନ କରିବା ଲାଗି ସରକାର ଅର୍ଥ ବିଲ୍‌ରେ ପଦକ୍ଷେପ ଗ୍ରହଣ କରିଛନ୍ତି। ବଜେଟ୍‌ ସହିତ ଏହି ବିଲ୍‌କୁ ଗତକାଲି ସଂସଦରେ ଉପସ୍ଥାପନ କରାଯାଇଛି। କରୋନା ମହାମାରୀ ଦ୍ବାରା ଗୁରୁତର ଭାବେ ପ୍ରଭାବିତ ଅର୍ଥନୀତିକୁ ସଙ୍କଟରୁ ଉଦ୍ଧାର କରିବା ଲାଗି ସରକାର ବିପୁଳ ପରିମାଣର ବ୍ୟୟ କରିବେ ବୋଲି ଘୋଷଣା କରିଛନ୍ତି। ସେହି ଟଙ୍କାର ସିଂହ ଭାଗ ଅଂଶ ପୁଞ୍ଜିପ୍ରତ୍ୟାହାର ଓ ସରକାରୀ ସମ୍ପତ୍ତିଗୁଡ଼ିକୁ ଉପାର୍ଜନକ୍ଷମ କରିବାରେ ବ୍ୟବହାର କରାଯିବ। ସରକାର ଏୟାର ଇଣ୍ଡିଆ, ବିପିସିଏଲ୍‌, ପୱନ ହଂସ, ବିଇଏମ୍‌ଏଲ୍‌, ସିପିଙ୍ଗ କର୍ପୋରେସନ୍ ଓ ଏନ୍‌ଆଇଏନ୍‌ଏଲ୍‌ ଏବଂ ଫେରୋ ସ୍କ୍ରାପ୍ ନିଗମ ଲିମିଟେଡ୍‌ର ଘରୋଇକରଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର