ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଲଢ଼େଇ ଭାରତୀୟ ଧନୀମାନଙ୍କୁ ଗୁରୁତର ପ୍ରଭାବିତ କରିଛି। ଷ୍ଟକ୍ ବଜାରରେ କମ୍ପାନି ସେୟାର ମୂଲ୍ୟ କମ୍ ହେବାରୁ ସେମାନେ ବିପୁଳ ପାଣ୍ଠି ହରାଇଛନ୍ତି। ବ୍ଲୁମ୍‌ବର୍ଗ ବିଲିଓନେୟାର ଇଣ୍ଡେକ୍ସ ତଥ୍ୟ ଅନୁସାରେ ୨୦୨୫ରେ ଭାରତୀୟ ଧନୀମାନେ ୨.୬୩ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମୁଖ୍ୟ ମୁକେଶ ଅମ୍ବାନି, ଆଦାନୀ ଗ୍ରୁପ୍ ମୁଖ୍ୟ ଗୌତମ ଆଦାନୀ, ଏଚ୍‌ସିଏଲ୍‌ ଟେକ୍ ପ୍ରତିଷ୍ଠାତା ଶିବ ନାଦରଙ୍କ ସମ୍ପତ୍ତିରେ ବଡ଼ ଧରଣର ହ୍ରାସ ଘଟିଛି। ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନି ୩୪୨ କୋଟି ଡଲାର (୨୯,୪୪୫ କୋଟି ଟଙ୍କା) ହରାଇଛନ୍ତି। ତାଙ୍କ ସମ୍ପତ୍ତି ପରିମାଣ ୮୭୨୦ କୋଟି ଡଲାରକୁ ହ୍ରାସ ପାଇଛି। ଗୌତମ ଆଦାନୀଙ୍କ ସମ୍ପତ୍ତିରେ ୬୦୫ ‌କୋଟି ଡଲାର (୫୨, ୦୮୮ କୋଟି ଟଙ୍କା) ହ୍ରାସ ହୋଇଛି। ସର୍ବାଧିକ କ୍ଷତି ସହିଛନ୍ତି ଏଚ୍‌ସିଏଲ୍‌ ଟେକ୍‌ର ଶିବ ନାଦର। ତାଙ୍କ ସମ୍ପତ୍ତି ୯୦,୪୦୧ କୋଟି ଟଙ୍କା (୧୦୫୦ କୋଟି ଡଲାର) କମ୍ ହୋଇଛି। ଦେଶର ଅନ୍ୟତମ ବଡ଼ ଧନୀ ମହିଳା ସାବିତ୍ରୀ ଜିନ୍ଦଲ ୨୪୦ କୋଟି ଡଲାର ହରାଇଥିବା ବେଳେ ସନ୍ ଫାର୍ମାର ଦିଲ୍ଲୀପ ସାଂଘଭି ୩୩୪ କୋଟି ଡଲାର ହରାଇଛନ୍ତି। ଚଳିତ ମାସ ୨ରେ ବିଭିନ୍ନ ଦେଶ ଉପରେ ଟ୍ରମ୍ପ ପାଲଟା ଶୁଳ୍କ ଲଗାଇବା ପରେ ଷ୍ଟକ୍ ବଜାରରେ ଅସ୍ଥିରତା ସୃଷ୍ଟି ହୋଇଥିଲା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟିରେ ପ୍ରାୟ ୪.୫ ପ୍ରତିଶତ ହ୍ରାସ ଘଟିଛି। ବୈଦେଶିକ ସଂସ୍ଥାଗତ ନିବେଶକମାନେ ମଧ୍ୟ ବିପୁଳ ପାଣ୍ଠି ପ୍ରତ୍ୟାହାର କରୁଛନ୍ତି। ଏହାର ପ୍ରଭାବରେ ଭାରତୀୟ ଧନୀଙ୍କ କମ୍ପାନିର ସେୟାର ମୂଲ୍ୟ କମ୍ ହେଉଥିବାରୁ ସେମାନଙ୍କ ସମ୍ପତ୍ତି ହ୍ରାସ ପାଉଛି।

Advertisment

ନିବେଶକଙ୍କ ଡୁବିଲାଣି ୧୧.୩ ଲକ୍ଷ କୋଟି
ମୁମ୍ବାଇ: ଚଳିତ ମାସ ୨ରେ ଶୁଳ୍କ ଲଢ଼େଇ ଆରମ୍ଭ ହେବା ପରେ ଭାରତୀୟ ନିବେଶକମାନେ ୧୧.୩ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ଥିବା ସମସ୍ତ କମ୍ପାନିର ମୋଟ ବଜାର ପୁଞ୍ଜି ପରିମାଣ ୪୦୧ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ଏପ୍ରିଲ୍‌ ୨ରେ ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୬ ପ୍ରତିଶତ ସହିତ ବିଭିନ୍ନ ଦେଶ ଉପରେ ପାଲଟା ଶୁଳ୍କ ଲଗାଇଥିଲେ। ତାହା ଏପ୍ରିଲ୍ ୯ରୁ ଲାଗୁ ହେବାର ଥିଲା। ମାତ୍ର ସେହିଦିନ ସେ ଶୁଳ୍କକୁ ୯୦ ଦିନ ପର୍ଯ୍ୟନ୍ତ ଟାଳି ଦେଇଥିଲେ। ଶୁଳ୍କକୁ ନେଇ ସେ ନେଉଥିବା ନିଷ୍ପତ୍ତି ପ୍ରଭାବରେ ଷ୍ଟକ୍ ବଜାର କାରବାର ପ୍ରଭାବିତ ହେଉଛି। ସେୟାର ମୂଲ୍ୟ କମ୍ ହେଉଥିବାରୁ ନିବେଶକମାନେ କ୍ଷତି ସହୁଛନ୍ତି।