୨୦୦୦ ଟଙ୍କିଆକୁ ନେଇ ଅଡ଼ୁଆରେ ବ୍ୟବସାୟୀ

ରଖିଲେ ଚିନ୍ତା ବଢ଼ୁଛି, ନରଖିଲେ ଗ୍ରାହକ ଫେରୁଛନ୍ତି

ଭୁବନେଶ୍ବର : ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ୍ ବଦଳ ଏବଂ ଜମା ପ୍ରକ୍ରିୟା ଚଳିତମାସ ୨୩ ତାରିଖରୁ ଆରମ୍ଭ କରିଛନ୍ତି। ଏଭଳି ସ୍ଥିତିରେ ପାଖରେ ୨୦୦୦ ଟଙ୍କିଆ ନୋଟ୍‌ ରଖିଥିବା ବ୍ୟକ୍ତିମାନେ ତାହା ବିନିମୟରେ ବଜାରରୁ ବିଭିନ୍ନ ପ୍ରକାର ସାମଗ୍ରୀ କିଣୁଛନ୍ତି। ଫଳରେ ସେମାନଙ୍କର ଦୁଇଟି ଉଦ୍ଦେଶ୍ୟ ସାଧିତ ହେଉଛି। ଗୋଟିଏ ହେଲା ସେମାନଙ୍କ ପାଖରୁ ୨୦୦୦ ଟଙ୍କିଆ ନୋଟ ଅନ୍ୟ ବ୍ୟକ୍ତିଙ୍କ ନିକଟକୁ ଚାଲିଯାଉଛି। ଏହାକୁ ବଦଳାଇବା କିମ୍ବା ଜମା କରିବା ପାଇଁ ସେମାନଙ୍କୁ ଆଉ ବ୍ୟାଙ୍କକୁ ଯିବାକୁ ପଡ଼ୁନାହିଁ।

ପେଟ୍ରୋଲ ପମ୍ପ, ପାଇକାରୀ ବ୍ୟବସାୟୀମାନଙ୍କ ପାଖକୁ ଅଧିକ ମାତ୍ରାରେ ୨୦୦୦ ଟଙ୍କିଆ ନୋଟ୍ ଆସୁଛି। ରାଜ୍ୟରେ ପେଟ୍ରୋଲ ପମ୍ପଗୁଡ଼ିକରେ ଦିନକୁ ଯେତିକି ପେଟ୍ରୋଲ ଓ ଡିଜେଲ ବିକ୍ରି ହେଉଛି ସେଥିରେ ୬୦ ପ୍ରତିଶତ ନଗଦ ଅର୍ଥରେ ହେଉଥିବାବେଳେ ୪୦ ପ୍ରତିଶତ ବିକ୍ରି ଡିଜିଟାଲ କାରବାର ମାଧ୍ୟମରେ ହେଉଛି। ୬୦ ପ୍ରତିଶତ ନଗଦ ଅର୍ଥରେ ହେଉଥିବା ବ୍ୟବସାୟ ମଧ୍ୟରୁ ପୂର୍ବରୁ ୨୦୦୦ ଟଙ୍କିଆ ନୋଟ୍‌ର ମାତ୍ରା ପ୍ରାୟ ୫ ପ୍ରତିଶତ ରହିଥିଲା। କିନ୍ତୁ ଏବେ ତାହା ୩୦ରୁ ୩୫ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ଉତ୍କଳ ପେ‌ଟ୍ରୋଲିୟମ ଡିଲର ସଂଘର ସାଧାରଣ ସଂପାଦକ ସଂଜୟ ଲାଠ କହିଛନ୍ତି। ଏହାବ୍ୟତୀତ ଡାଲି, ଚାଉଳ, ତେଲ ଭଳି ସାମଗ୍ରୀର ପାଇକାରୀ ବିକ୍ରେତାମାନଙ୍କ ପାଖକୁ ପ୍ରତିଦିନ ମାତ୍ରାଧିକ ୨୦୦୦ ଟଙ୍କିଆ ନୋଟ୍ ନେଇ ଗ୍ରାହକମାନେ ଆସୁଛନ୍ତି। ଏଥିଯୋଗୁ ବ୍ୟବସାୟୀମାନେ ଅଡ଼ୁଆରେ ପଡ଼ୁଛନ୍ତି। ଗୋଟିଏ ପଟେ ବ୍ୟାଙ୍କଗୁଡ଼ିକ ୨୦୦୦ ଟଙ୍କିଆ ବଦଳ ସମୟରେ ନାନା ତଥ୍ୟ ରଖୁଥିବାରୁ ବ୍ୟବସାୟୀମାନେ ଅଧିକ ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କରେ ଜମା କରିବାକୁ ଭୟ କରୁଛନ୍ତି। ଆଗାମୀ ଦିନରେ ଅଯଥାରେ ଆୟକର ଏବଂ ଇଡି ଭଳି ସଂସ୍ଥାର ସମ୍ମୁଖୀନ ହେବା ଭୟ ସେମାନଙ୍କ ମନକୁ ଘାରୁଛି। ଅନ୍ୟପକ୍ଷରେ ଗ୍ରାହକଙ୍କ ଠାରୁ ୨୦୦୦ ଟଙ୍କିଆ ନୋଟ୍ ନରଖିଲେ ସେମାନଙ୍କ ବ୍ୟବସାୟ ମଧ୍ୟ ବାଧାପ୍ରାପ୍ତ ହେଉଛି।

ବ୍ୟବସାୟୀଙ୍କ ପାଖକୁ ଆସୁଛି ଦିନକୁ ୫୦ରୁ ୭୦ଟି ୨ ହଜାର ଟଙ୍କିଆ
ପେଟ୍ରୋଲ ପମ୍ପରେ ନଗଦ କାରବାରରେ ୨ ହଜାର ଟଙ୍କିଆ ଅଂଶ ୩୫%କୁ ବୃଦ୍ଧି

ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡାଙ୍କ କହିବାନୁଯାୟୀ, ପୂର୍ବରୁ କାଁ ଭାଁ ୨୦୦୦ ଟଙ୍କିଆ ନୋଟ୍ ଆସୁଥିଲା। ଦିନେ ଦିନେ ୨ରୁ ୩ଟି ୨୦୦୦ ଟଙ୍କିଆ ନୋଟ୍ ପାଇକାରୀ ବ୍ୟବସାୟୀଙ୍କ ପାଖକୁ ଆସୁଥିବାବେଳେ ଏବେ ଦିନକୁ ୫୦ରୁ ୭୦ଟି ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍ ସେମାନଙ୍କ ନିକଟକୁ ଆସୁଛି। ଏହା ସେମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ବ୍ୟାଙ୍କରେ ୨୦୦୦ ଟଙ୍କିଆ ଜମା କରିଲେ ଭବିଷ୍ୟତରେ କୌଣସି ଅସୁବିଧାରେ ପଡ଼ିବେ ନାହିଁ ବୋଲି ତାହାର ଗ୍ୟାରେଣ୍ଟି କେହି ଦେଉନାହାନ୍ତି। ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ୍ ଜମା କରିଲେ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବନାହିଁ ବୋଲି ସରକାର ଏ ନେଇ ସ୍ପଷ୍ଟ କରିବା ଆବଶ୍ୟକ। କିମ୍ବା ୨୦୦୦ ଟଙ୍କିଆ ସେମାନେ ଗ୍ରାହକଙ୍କ ଠାରୁ ରଖିପାରିବେ ନାହିଁ ବୋଲି ତାହା ଜଣାନ୍ତୁ। ଏହାହେଲେ ଭବିଷ୍ୟତରେ ଆୟକର ବିଭାଗର ଅଚାନକ ନୋଟିସ ସେମାନଙ୍କ ହୃତସ୍ପନ୍ଦନ ବଢ଼ାଇବ ନାହିଁ କିମ୍ବା ସ୍ବାସ୍ଥ୍ୟ ବିଗାଡ଼ିକ ନାହିଁ ବୋଲି ଶ୍ରୀ ପଣ୍ଡା ମତ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ ବଦଳାଇବା ଏବଂ ଜମା କରିବା ପାଇଁ ଗତ ୨୩ ତାରିଖରୁ ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଲୋକଙ୍କୁ ସମୟ ଦେଇଛନ୍ତି। ଲୋକମାନେ ଥରକେ ୧୦ଟି ୨ ହଜାର ଟଙ୍କିଆ ନୋଟ ଜଣେ ବଦଳାଇ ପାରିବେ ବୋଲି ନିୟମ ଧାର୍ଯ୍ୟ ହୋଇଛି। କିନ୍ତୁ ଏହି ରାଶି ଜମା ନେଇ କୌଣସି ସୀମା ଧାର୍ଯ୍ୟ କରାଯାଇନାହିଁ।

ସମ୍ବନ୍ଧିତ ଖବର