ନୂଆଦିଲ୍ଲୀ: ଗତକାଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦରୁ ଉର୍ଜିତ ପଟେଲ୍‌ ଇସ୍ତଫା ଦେଇଛନ୍ତି। ଯଦିଓ ବ୍ୟକ୍ତିଗତ କାରଣ ଯୋଗୁ ସେ ଇସ୍ତଫା ଦେଇଥିବା କହିଛନ୍ତି, କିନ୍ତୁ ମୂଳ କାରଣ ଯେ ସରକାରଙ୍କ ସହିତ ମତଭେଦ ତାହା କାହାକୁ ଅଛପା ନାହିଁ। ତେବେ ଉର୍ଜିତ ଏକମାତ୍ର ଗଭର୍ଣ୍ଣର ନୁହନ୍ତି ଯାହାଙ୍କର ସରକାରଙ୍କ ସହିତ ମତଭେଦ ରହିଥିଲା। ନରସିଂହ ରାଓ ଓ ଅଟଳ ବିହାରୀ ବାଜପେୟୀଙ୍କ ସରକାରକୁ ବାଦ ଦେଲେ ସ୍ବାଧୀନ ଭାରତର ଅନ୍ୟ ସମସ୍ତ ସରକାରଙ୍କ ଅମଳରେ ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ମତଭେଦ ରହିଥିଲା। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କଠାରୁ ଆରମ୍ଭ କରି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପର୍ଯ୍ୟନ୍ତ ସବୁ ସରକାରଙ୍କର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ସହି ମତଭେଦ ରହିଥିଲା। ସରକାର ବନାମ ରିଜର୍ଭ ବ୍ୟାଙ୍କ ବିଷୟରେ ଆମର ଏହି ସ୍ବତନ୍ତ୍ର ଆଲେଖ୍ୟ:

Advertisment

୧୯୩୫: ସାର୍‌ ଅସ୍‌ବର୍ଣ୍ଣ ସ୍ମିଥ୍
ସୁଧ ହାର ଓ ବିନିମୟ ଦରକୁ ନେଇ ସରକାରଙ୍କ ସହିତ ମତଭେଦ ଦେଖାଦେବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରଥମ ଗଭର୍ଣ୍ଣର ସାର୍‌ ଅସବର୍ଣ୍ଣ ସ୍ମିଥ୍ ନିଜ ପଦରୁ ଇସ୍ତଫା ଦେଇଥିଲେ। ସେ କୌଣସି ବ୍ୟାଙ୍କ ନୋଟ୍‌ରେ ନିଜର ଦସ୍ତଖତ ଦେଇନଥିଲେ।
୧୯୪୭-୧୯୫୭: ବେନେଗଲ୍ ରାମା ରାଓ
ପୂର୍ବତନ ଅର୍ଥମନ୍ତ୍ରୀ ଟିଟିକେ କୃଷ୍ଣମଚାରୀ ରିଜର୍ଭ ବ୍ୟାଙ୍କ କାମରେ ହସ୍ତକ୍ଷେପ କରିବାରୁ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହି ସମୟରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଥିବା ସାର ବେନେଗଲ୍ ରାମା ରାଓ ଏହାକୁ ନେଇ ଆପତ୍ତି ଉଠାଇଥିଲେ ଓ ସେହି ସମୟର ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁଙ୍କ ପତ୍ର ଲେଖି ଅଭିଯୋଗ କରିଥିଲେ। କିନ୍ତୁ ସମସ୍ୟାର ସମାଧାନ ନହେବାରୁ ଶ୍ରୀ ରାଓ ନିଜ ପଦରୁ ୧୯୫୭ ଜାନୁଆରି ୭ରେ ଇସ୍ତଫା ଦେଇଥିଲେ।
୧୯୭୫: ଏସ୍‌ ଜଗନ୍ନାଥ
ଋଣ ସୀମା ବଢ଼ାଇବାକୁ ନେଇ ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଥିଲା। ୧୯୫୭ ମେ’ ୧୯ ତାରିଖରେ ସେହି ସମୟର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଏସ୍‌ ଜଗନ୍ନାଥ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ସେ ଆଇଏମ୍ଏଫ୍‌ରେ ଭାରତର କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ କାମ କରିଥିଲେ।
୧୯୭୭: କେ ଆର୍‌ ପୁରୀ
ଜନତା ପାର୍ଟି ଶାସନ ଭାର ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ଓ ତାଙ୍କ ଅର୍ଥ ମନ୍ତ୍ରୀ ହିରୁଭାଇ ପଟେଲ୍‌ ସେତେବେଳ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାମ କରୁଥିବା କେ ଆର୍‌ ପୁରୀଙ୍କ ଇସ୍ତଫା ମାଗିଥିଲେ। ୧୯୭୭ ମେ’ ୨ରେ ପୁରୀ ନିଜ ପଦରୁ ଇସ୍ତଫା ଦେଇଥିଲେ।
୧୯୮୨-୧୯୮୫: ମନମୋହନ ସିଂହ
ଇନ୍ଦୀରା ଗାନ୍ଧୀଙ୍କ ସରକାରରେ ପ୍ରଣବ ମୁଖାର୍ଜୀ ଅର୍ଥ ମନ୍ତ୍ରୀ ଭାବେ କାମ କରୁଥିଲେ। ସେହି ସମୟରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଥିଲେ ଡକ୍ଟର ମନମୋହନ ସିଂହ। ସେହି ସମୟରେ ଇସ୍ତଫା ଦେବାକୁ ଆଗ୍ରହ ପ୍ରକାଶ କରିଥିବା ମନମୋହନଙ୍କୁ ଇନ୍ଦୀରା ମନାଇବାରେ ସଫଳ ହୋଇଥିଲେ। ଏହା ପରେ ରାଜୀବ ଗାନ୍ଧୀଙ୍କ ସରକାର ଆସିବା ପରେ ମନମୋହନଙ୍କୁ ଯୋଜନା ଆୟୋଗକୁ ପଠାଇ ଦିଆଯାଇଥିଲା।
୧୯୮୫: ରାମ ନାରାୟଣ ମାଲହୋତ୍ରା
ମନମୋହନ ସିଂହଙ୍କ ସ୍ଥାନରେ ପୂର୍ବତନ ଅର୍ଥ ସଚିବ ରାମ ନାରାୟଣ ମାଲହୋତ୍ରାଙ୍କୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବ‌େ ନିଯୁକ୍ତି ଦିଆଯାଇଥିଲା। ଅଧିକ ଲାଭାଂଶକୁ ନେଇ ତାଙ୍କର ସେହି ସମୟର ଅର୍ଥମନ୍ତ୍ରୀ ଯଶୋବନ୍ତ ସିହ୍ନାଙ୍କ ସହିତ ମତଭେଦ ଦେଖାଦେଇଥିଲା। ୧୯୯୦ରେ ମାଲ୍‌ହୋତ୍ରା ନିଜ ପଦରୁ ଇସ୍ତଫା ଦେଇଥିଲେ।
୨୦୦୩-୦୮: ୱାଇ ଭି ରେଡ୍ଡି
ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବ‌େ କାମ କରୁଥିବା ୱାଇ ଭି ରେଡ୍ଡି ଘରୋଇ ବ୍ୟାଙ୍କରେ ବିଦେଶୀ ପୁଞ୍ଜିନିବେଶ ସୀମା ବଢ଼ାଇବା ପାଇଁ ସରକାର ଆଣିଥିବା ପ୍ରସ୍ତାବକୁ ବିରୋଧ କରିଥିଲେ। ତାଙ୍କର ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ଙ୍କ ସହ ମତଭେଦ ଥିଲା।
୨୦୦୮-୧୩: ଡି ସୁବ୍ବାରାଓ
ସୁଧ ହାର ଭଳି କେତେକ ପ୍ରସଙ୍ଗକୁ ନେଇ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍ ଓ ତାଙ୍କ ସମୟରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବ‌େ କାମ କରୁଥିବା ଡି ସୁବ୍ବାରାଓଙ୍କ ମତଭେଦ ରହିଥିଲା। ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ବହୁତ ଉତ୍ତେଜନାପୂର୍ଣ୍ଣ ଥିଲା।
୨୦୧୩-୧୬: ରଘୁରାମ ରାଜନ
ସରକାରଙ୍କ ଯୋଜନାଗୁଡ଼ିକୁ ଖୋଲାଖୋଲି ବିରୋଧ କରିବାକୁ ସଙ୍କୋଚ ପ୍ରକାଶ କରୁନଥିଲେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଓ ତାଙ୍କର ସମ୍ପର୍କ ଆଦୌ ଭଲ ନଥିଲା। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ରାଜନଙ୍କୁ ସରକାର ଦ୍ବିତୀୟ ସୁଯୋଗ ଦେଇନଥିଲେ।