ଭୁବନେଶ୍ବର: ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଓଡ଼ିଶାର କଟକ ସମେତ ଦେଶର ୧୫ଟି ସହରରେ ଡ୍ରାଇଭ୍ ଟେଷ୍ଟ୍ କରାଯାଇଥିଲା। ଟେଲିକମ୍ କଂପାନିଗୁଡ଼ିକ ପ୍ରଦାନ କରୁଥିବା ସେବାର ବିଭିନ୍ନ ମାନଦଣ୍ଡର ଅନୁଶୀଳନ କରିବା ଲାଗି ଏହି ପରୀକ୍ଷା କରାଯାଉଛି। କଟକରେ କରାଯାଇଥିବା ପରୀକ୍ଷାରେ ସବୁ ଟେଲିକମ୍ କଂପାନି କଲ୍ ଡ୍ରପ୍କୁ ନିର୍ଧାରିତ ଲକ୍ଷ୍ୟ ୨% ମଧ୍ୟରେ ରଖିବାରେ ସଫଳ ହୋଇଛନ୍ତି। ଯେଉଁ କିଛି କଲ୍ ଡ୍ରପ୍ ହୋଇଥିଲା ତାହା କେବଳ ବିଏସ୍ଏନ୍ଏଲ୍ର ୨ଜି ଓ ୩ଜି ନେଟ୍ୱର୍କରେ ଦେଖିବାକୁ ମିଳିଥିଲା। ଅନ୍ୟ ତିନି କଂପାନି ଜିଓ, ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆର କଲ୍ ଡ୍ରପ୍ ହାର ଶୂନ ରହିଛି।
ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁସାରେ କଟକରେ ଭୋଲ୍ଟି ନେଟ୍ୱର୍କରେ ଭୋଡାଫୋନ୍ ଆଇଡିଆର ଡାଉନ୍ଲୋଡ୍ ସ୍ପିଡ୍ ୩୧.୧୪ ଏମ୍ବିପିଏସ୍, ଜିଓର ୧୨.୪୫ ଏମ୍ବିପିଏସ୍, ଏୟାରଟେଲ୍ର ୪୨.୩ ଏମ୍ବିପିଏସ୍ ରହିଥିବା ବେଳେ ୩ଜି ନେଟ୍ୱର୍କରେ ବିଏସ୍ଏନ୍ଏଲ୍ର ଡାଉନ୍ଲୋଡ୍ ସ୍ପିଡ୍ ୭.୧୭ ଏମ୍ବିପିଏସ୍ ରହିଥିଲା। ସେହିପରି ଭୋଲ୍ଟି ନେଟ୍ୱର୍କରେ ଭୋଡାଫୋନ୍ ଆଇଡିଆର ଅପ୍ଲୋଡ୍ ସ୍ପିଡ୍ ୧୪.୪୯ ଏମ୍ବିପିଏସ୍, ଜିଓର ୯.୪୮ ଏମ୍ବିପିଏସ୍, ଏୟାରଟେଲ୍ର ୧୩.୧ ଏମ୍ବିପିଏସ୍ ଓ ୩ଜି ନେଟ୍ୱର୍କରେ ବିଏସ୍ଏନ୍ଏଲ୍ର ଅପ୍ଲୋଡ୍ ସ୍ପିଡ୍ ୩.୦୩ ଏମ୍ବିପିଏସ୍ ରହିଥିଲା।
ଟ୍ରାଇର ହାଇଦ୍ରାବାଦ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ କଟକରେ ଡ୍ରାଇଭ୍ ଟେଷ୍ଟ କରାଯାଇଥିଲା।
ଏଥିରେ ଚଣ୍ଡିଖୋଲ, କେନ୍ଦ୍ରାପଡ଼ା ଓ ପାରାଦୀପର କିଛି ଅଞ୍ଚଳକୁ ସାମିଲ କରାଯାଇଥିଲା। ଚଳିତ ବର୍ଷ ମେ’ ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ସକାଳ ୯ଟା ରାତି ୮ଟା ମଧ୍ୟରେ ଏହି ପରୀକ୍ଷା ହୋଇଥିଲା। ଏଥିରେ ୩୮୫ କିମି ରାସ୍ତା ଏବଂ ୬ଟି ହଟ୍ସ୍ପଟ୍କୁ ସାମିଲ କରାଯାଇଥିଲା। ପ୍ରତି କଂପାନିର ନେଟ୍ୱର୍କରେ ପାଖାପାଖି ୪୧୦ କଲ୍ କରାଯାଇ ଟେଲିକମ୍ ସେବାର ବିଭିନ୍ନ ମାନକୁ ଯାଞ୍ଚ କରାଯାଇଥିଲା। କଟକର ନେତାଜୀ ମ୍ୟୁଜିୟମ୍, ଓଡ଼ିଶା ମାରିଟାଇମ୍ ମ୍ୟୁଜିୟମ୍, ଚଣ୍ଡି ମନ୍ଦିର, ବାରବାଟୀ ଷ୍ଟାଡିୟମ୍, ଡିୟର ପାର୍କ, ହାଇକୋର୍ଟ, ରେଳ ଷ୍ଟେସନ, ରେଭେନ୍ସା ବିଶ୍ବବିଦ୍ୟାଳୟ ଏବଂ କେନ୍ଦ୍ରାପଡ଼ା, ଚଣ୍ଡିଖୋଲ ଓ ପାରାଦୀପରେ ଏହି ପରୀକ୍ଷା କରାଯାଇଥିଲା। ପରୀକ୍ଷା ଚଣ୍ଡିଖୋଲ ଟ୍ରାଫିକ୍ ପୋଷ୍ଟ, କେନ୍ଦ୍ରାପଡ଼ାର ବଳଦେବଜିଉ ମନ୍ଦିର, ପାରାଦୀପର ନେହେରୁ ବଙ୍ଗଳା, କଟକର ହାଇକୋର୍ଟ, ରେଳ ଷ୍ଟେସନ ଓ ରେଭେନ୍ସା ବିଶ୍ବବିଦ୍ୟାଳୟ ଭଳି ୬ଟି ହଟ୍ସ୍ପଟ୍କୁ ମଧ୍ୟ ସାମିଲ କରାଯାଇଥିଲା।