ଟେଲିକମ୍‌ କମ୍ପାନିଙ୍କୁ ଟ୍ରାଇର ନିର୍ଦ୍ଦେଶ: ୩୦ ଦିନିଆ ‌ପ୍ଲାନ୍‌ ଆଣ

‌ନୂଆଦିଲ୍ଲୀ : ମୋବାଇଲ ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଛି ଟ୍ରାଇ। ଟେଲିକମ କମ୍ପାନିଗୁଡ଼ିକୁ ‌ଟ୍ରାଇ ୩୦ ଦିନିଆ ବୈଧତା ଥିବା ପ୍ଲାନ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛି।

ଦୂରସଂଚାର ନିର୍ଦ୍ଦେଶ ୧୯୯୯ରେ ପରିବର୍ତ୍ତନ ଆଣିବା ସହିତ ଗୁରୁବାର ଟ୍ରାଇ କମ୍ପାନିଗୁଡ଼ିକୁ କହିଛି ଅତିକମ୍‌ରେ ସେବା ପ୍ରଦାନକାରୀମାନେ ଗୋଟିଏ ପ୍ଲାନ୍ ଭାଉଚର, ଗୋଟିଏ ସ୍ପେସାଲ ଟାରିଫ୍ ଭାଉଚର ଏବଂ ଗୋଟିଏ କମ୍ବୋ ଭାଉଚର ଆଣିବେ ଯାହାର ବୈଧତା ୩୦ ଦିନ ରହିବ। ଉକ୍ତ ନିର୍ଦ୍ଦେଶରେ ଏହା ମଧ୍ୟ କୁହାଯାଇଛି ସେବା ପ୍ରଦାନକାରୀମାନେ ଅତିକମ୍‌ରେ ଏଭଳି ଗୋଟିଏ ପ୍ଲାନ ଭାଉଚର, ଗୋଟିଏ ସ୍ପେସାଲ ଟାରିଫ ଭାଉଚର ଏବଂ ଗୋଟିଏ କମ୍ବୋ ଭାଉଚର ଆଣିବେ ଯାହାର ନବୀକରଣ ପ୍ରତିମାସର ଗୋଟିଏ ତାରିଖରେ ହେବ। ଏହି ବିକଳ୍ପ ଦ୍ବାରା ଗ୍ରାହକମାନେ ଅଧିକ ଗୋଟିଏ ଉପଯୁକ୍ତ ବୈଧତା ଥିବା ଯୋଜନାକୁ ଚୟନ କରିପାରିବେ। ଗ୍ରାହକମାନଙ୍କୁ ମାସିକ ଯୋଜନାରେ ରିଚାର୍ଜ କରିଲେ ମଧ୍ୟ ସେମାନଙ୍କୁ କେତେକ କ୍ଷେତ୍ରରେ ୧୩ ଥର ରିଚାର୍ଜ କରିବାକୁ ପଡ଼ୁଛି ବୋଲି ଗ୍ରାହକମାନେ ଟ୍ରାଇ ନିକଟରେ ଅଭିଯୋଗ କରିଥିଲେ। ଏଥିପାଇଁ ସେମାନେ ଠକାମିର ଶିକାର ହେଉଥିବା ଅନୁଭବ କରୁଛନ୍ତି। ଟ୍ରାଇ ପକ୍ଷରୁ ମଗାଯାଇଥିବା ମତାମତରେ ବିଭିନ୍ନ ପକ୍ଷ ଭିନ୍ନ ଭିନ୍ନ ମତ ଦେଇଥିଲେ। ଗ୍ରାହକମାନେ ମାସିକିଆ ଯୋଜନା ସପକ୍ଷରେ କହିଥିବାବେଳେ ଟେଲିକମ କମ୍ପାନିଗୁଡ଼ିକ ବର୍ତ୍ତମାନର ବ୍ୟବସ୍ଥା ସପକ୍ଷରେ କହିଥିଲେ। ତେବେ ଅନ୍ତର୍ଜାତୀୟ ସ୍ତରରେ ଭୋଡାଫୋନ, ଭେରିଜନ୍ ଆଦି କମ୍ପାନି ଗୋଟିଏ ମାସ ଯେତେଦିନ ହେଲେ ମଧ୍ୟ ସେମାନେ ମାସିକ ପ୍ରିପେଡ୍ ଯୋଜନାରେ ଗୋଟିଏ ପୂରା ମାସ ପାଇଁ ବୈଧତା ପ୍ରଦାନ କରୁଛନ୍ତି। ଭାରତରେ ଟେଲିକମ୍ କମ୍ପାନି ଗୁଡ଼ିକ ମୁଖ୍ୟତଃ ୨୮ ଦିନ, ୫୪ ଦିନ କିମ୍ବା ୮୪ ଦିନର ବୈଧତା ଥିବା ପ୍ୟାକେଜ୍ ଗ୍ରାହକଙ୍କୁ ପ୍ରଦାନ କରୁଛନ୍ତି।

ତେବେ ୩୦ ଦିନିଆ ବୈଧତା ବିଶିଷ୍ଟ ପ୍ରିପେଡ୍ ପ୍ଲାନ ଆଣିଲେ ବିଲିଂ ସାଇକଲ୍‌ରେ ଅସୁବିଧା ଦେଖାଦେବ। ଏଥିପାଇଁ ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ ପଡ଼ିବ ବୋଲି କେତେକ କମ୍ପାନି ମତ ଦେଇଛନ୍ତି। କିନ୍ତୁ ଅନ୍ୟପକ୍ଷରେ ଏହା ଗ୍ରାହକମାନଙ୍କୁ ସୁବିଧା ପ୍ରଦାନ କରିବ। ନୂଆ ରିଚାର୍ଜ କରିବା ପାଇଁ ତାରିଖ ମନେ ରଖିବା ସହଜ ହେବ।

ସମ୍ବନ୍ଧିତ ଖବର