ନେଟ୍‌ ନ୍ୟୁଟ୍ରାଲିଟି ସପକ୍ଷରେ ଟ୍ରାଇ : ମୁକ୍ତ ଓ ପକ୍ଷପାତହୀନ ରହୁ ଇଣ୍ଟରନେଟ୍‌ ସେବା

ନୂଆଦିଲ୍ଲୀ: ଏକ ମୁକ୍ତ ଓ ପକ୍ଷପାତହୀନ ଇଣ୍ଟରନେଟ୍‌ ବା ନେଟ୍‌ ନ୍ୟୁଟ୍ରାଲିଟି ସପକ୍ଷରେ ମତରଖିଛି ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ ବା ଟ୍ରାଇ । ମଙ୍ଗଳବାରଦିନ ନେଟ୍‌ ନ୍ୟୁଟ୍ରାଲିଟି ସଂପର୍କରେ ଏକ ସୁପାରିଶ ପତ୍ର ଜାରି କରି ଟ୍ରାଇ ପକ୍ଷରୁ ଏକଥା କୁହାଯାଇଛି ।

ଏହି ନିୟମାବଳୀରେ କୁହାଯାଇଛି ଯେ ଇଣ୍ଟରନେଟ୍‌ ସେବା ଯୋଗାଉଥିବା କୌଣସି କମ୍ପାନି ଏହି ସେବା, କଣ୍ଟେଣ୍ଟକୁ ନେଇ କୌଣସି ପ୍ରକାରର ପକ୍ଷପାତ, ହସ୍ତକ୍ଷେପ ବା ନିଷେଧାଜ୍ଞା ଲଗାଇପାରିବେ ନାହିଁ । ଅର୍ଥାତ୍‌ କୌଣସି ବିଷୟବସ୍ତୁ ବା କଣ୍ଟେଣ୍ଟକୁ ଜାଣିଶୁଣି ବ୍ଲକ୍‌ କରିବା, ଧୀମା କରିବା ଅଥବା ଅଗ୍ରାଧିକାର ଭିତ୍ତିରେ ଦ୍ରୁତ କରିବା ପରି କାର୍ଯ୍ୟ କୌଣସି ଇଣ୍ଟରନେଟ୍‌ ସେବା ପ୍ରଦାନକାରୀ କରିପାରିବେ ନାହି ଁ ।

ବିଗତ କିଛି ବର୍ଷଧରି କେବଳ ଭାରତ ନୁହେଁ ସାରା ବିଶ୍ୱରେ ନେଟ୍‌ ନ୍ୟୁଟ୍ରାଲିଟି ଲାଗି ଆନ୍ଦୋଳନ ଚାଲିଛି । ବିଭିନ୍ନ ସାମାଜିକ ସଂଗଠନ, ଛାତ୍ରଛାତ୍ରୀ ଫେସବୁକ୍‌ ଆଦି ସୋସିଆଲ ନେଟ୍‌ଓ୍ଵାର୍କିଂ ସାଇଟ୍‌ମାନେ ନେଟ୍‌ ନ୍ୟୁଟ୍ରାଲିଟି କୁ ସମର୍ଥନ କରୁଥିବାବେଳେ ଟେଲିକମ ଅପରେଟରମାନେ ତାହାକୁ ବିରୋଧ କରୁଛନ୍ତି ।

DNA

ନେଟ୍‌ ନ୍ୟୁଟ୍ରାଲିଟିର ଅର୍ଥ ହେଉଛି ଟେଲିକମ ସେବା ପ୍ରଦାନକାରୀ କମ୍ପାନିମାନେ ସବୁ ଇଣ୍ଟରନେଟ୍‌ ଟ୍ରାଫିକ୍‌ ପ୍ରତି ନିରପେକ୍ଷ ଭାବ ରଖିବା ଅର୍ଥାତ୍‌ କଣ୍ଟେଣ୍ଟ୍‌ର ପ୍ରକାର, ଉତ୍ସ ବା ପ୍ରସାରଣର ମାଧ୍ୟମ ନିର୍ବିଶେଷରେ ସବୁ କଣ୍ଟେଣ୍ଟ୍‌କୁ ସମାନ ବ୍ୟବହାର କରିବା । ଉଦାହରଣସ୍ୱରୂପ ହ୍ଵାଟ୍ସଆପ ସେବା ଆସିବାପରେ ଟେଲିକମ ଅପରେଟରମାନଙ୍କ ଏସଏମଏସ ସେବା ଏକରକମ ପ୍ରଭାବହୀନ ହୋଇଯାଇଛି । କିନ୍ତୁ ଯଦି ଏହାର ମୁକାବିଲା ଲାଗି କୌଣସି ଟେଲିକମ ଅପରେଟର ହ୍ଵାଟ୍ସଆପ ସେବାକୁ ବ୍ଲକ କରିଦିଅନ୍ତି ବା ତାହାର ସ୍ପୀଡକୁ ଧୀମା କରିଦିଅନ୍ତି ତାହା ନେଟନ୍ୟୁଟ୍ରାଲିଟିର ବିରୁଦ୍ଧାଚରଣ କରିବ ବୋଲି କୁହାଯାଇପାରେ ।

ସରକାରଙ୍କୁ ନିଜର ଏହି ସୁପାରିଶ ପତ୍ରରେ ଟ୍ରାଇ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଭାରତରେ ସେବା ଯୋଗାଉଥିବା ବିଭିନ୍ନ ଟେଲିକମ ଅପରେଟର ଯେପରି ନେଟ୍‌ ନ୍ୟୁଟ୍ରାଲିଟିର ମୌଳିକ ସିଦ୍ଧାନ୍ତକୁ ମାନନ୍ତି ସେଥିଲାଗି ଟେଲିକମ ଲାଇସେନ୍ସର ସର୍ତ୍ତାବଳୀରେ ଆବଶ୍ୟକ ପରିବର୍ତ୍ତନ ଅଣାଯିବା ଆବଶ୍ୟକ । ପୁଣି ଏହି ନିୟମାବଳୀଗୁଡିକ ଯେପର ଠିକ୍‌ ଭାବେ ପାଳନ ହୁଏ ତାହାର ତଦାରଖ ପାଇଁ ସବୁ ସଂପୃକ୍ତ ପକ୍ଷକୁ ନେଇ ଏକ ସଂସ୍ଥା ଗଠନ କରାଯିବା ଆବଶ୍ୟକ ।

ଗତ ବର୍ଷ ନେଟ୍‌ ନ୍ୟୁଟ୍ରାଲିଟି ସପକ୍ଷରେ ସାରାଦେଶରେ ଆନ୍ଦୋଳନ ବ୍ୟାପୀବା ପରେ ଟ୍ରାଇ ପକ୍ଷରୁ ଗତ ଜାନୁୟାରୀ ମାସରେ ଜନସାଧାରଣ, ବିଭିିନ୍ନ ପକ୍ଷ, ଶିଳ୍ପଜଗତଠାରୁ ମତାମତ ଆହ୍ଵାନ କରାଯାଇଥିଲା । ଟ୍ରାଇର ଏହି ସୁପାରିଶ ପତ୍ର ଏପରି ଏକ ସମୟରେ ଆସିଛି ଯେତେବେଳେ କି ଆମେରିକା ସରକାର ଟେଲିକମ ନିୟମରେ ସଂଶୋଧନ ଆଣିବାକୁ ଯୋଜନା କରୁଛନ୍ତି ଯଦ୍ୱାରା ଟେଲିକମ ଅପରେଟର ମାନେ ନିଜ ସେବାକୁ ସୁହାଇଲା ଭଳି ବ୍ରଡବ୍ୟାଣ୍ଡ ସେବାକୁ ଧୀମା ବା ଦ୍ରୁତ କରିପାରିବେ । ଆମେରିକାର ବର୍ତ୍ତମାନର ଟେଲିକମ ଆଇନ ନେଟ୍‌ ନ୍ୟୁଟ୍ରାଲିଟିକୁ ସମର୍ଥନ କରେ ।

ସମ୍ବନ୍ଧିତ ଖବର