ଶତାବ୍ଦୀଠୁ ମହଙ୍ଗା ହେବ ‘ଟ୍ରେନ୍‌ ୧୮’ ଯାତ୍ରା

ଭଡ଼ା ୫୦% ପର୍ଯ୍ୟନ୍ତ ଅଧିକ ରହିପାରେ

ନୂଆଦିଲ୍ଲୀ, : ଆସନ୍ତା ବଜେଟ ଅଧିବେଶନ ପରେ ଦେଶରେ ନୂଆ କରି ନିର୍ମାଣ ହୋଇଥିବା ଟ୍ରେନ-୧୮ର ଚଳାଚଳ ଆରମ୍ଭ ହେବ। ଏହି ଟେ୍ନର ନାମ ବଦଳାଇ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ରଖିବେ ବୋଲି ରେଳମନ୍ତ୍ରୀ ପୀୟୂଷ ଗୋଏଲ ସୂଚନା ଦେଇଛନ୍ତି। ଟ୍ରେନଟି ନୂଆଦିଲ୍ଲୀରୁ ବାରଣାସୀ ମଧ୍ୟରେ ଚଳାଚଳ କରିବା ସମ୍ଭାବନା ରହିଛି। ଟ୍ରେନର ଉଦଘାଟନ ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ଠାରୁ ସମୟ ମଗାଯାଇଛି। ତେବେ ଏହି ଟ୍ରେନରେ ଯାତ୍ରୀଙ୍କୁ କେତେ ଭଡ଼ା ଗଣିବାକୁ ହେବ ସେ ନେଇ ଏବେଠାରୁ ଚର୍ଚା ଆରମ୍ଭ ହୋଇଗଲାଣି। ରିପୋର୍ଟ ଅନୁଯାୟୀ, ଶତାବ୍ଦୀ ଏକ୍ସପ୍ରେସ୍ ତୁଳନାରେ ଏଥିରେ ଯାତ୍ରା ପାଇଁ ଯାତ୍ରୀଙ୍କୁ ୪୦ରୁ ୫୦% ଅଧିକ ଅର୍ଥ ଗଣିବାକୁ ପଡ଼ିପାରେ। ଏକଜିକ୍ୟୁଟିଭ୍ ଶ୍ରେଣୀରେ ଯାତ୍ରୀଙ୍କୁ ପ୍ରାୟ ୨୮୦୦ରୁ ୨୯୦୦ ଟଙ୍କା ଭଡ଼ା ଗଣିବାକୁ ପଡ଼ିପାରେ। ସେହିଭଳି ଚେୟାର କାର୍‌ର ଭଡ଼ା ୧୬୦୦ରୁ ୧୭୦୦ ଟଙ୍କା ମଧ୍ୟରେ ରହିପାରେ।
ଏହି ଟ୍ରେନକୁ ଗତ ଗୁରୁବାର ଇଆଇଜି ବା ସରକାରଙ୍କ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ସବୁଜ ସଙ୍କେତ ଦେଇସାରିଛନ୍ତି। ଟ୍ରେନର ପରୀକ୍ଷଣ ମଧ୍ୟ ସଫଳତାର ସହ ଶେଷ ହୋଇସାରିଛି। ଘଣ୍ଟାପ୍ରତି ୧୮୦ କିମି ବେଗରେ ଏହି ଟ୍ରେନଟି ଚଳାଚଳ କରିଥିବାବେଳେ ୨୦୦ କିମି ବେଗରେ ଯାତ୍ରା କରିବା କ୍ଷମତା ଏହି ଟ୍ରେନ ରଖିଛି।
ଆସନ୍ତା ବଜେଟ ପରେ ସରକାର ଏହି ଟ୍ରେନର ଚଳାଚଳ କରିବା ସମ୍ଭାବନା ରହିଛି। ରେଳମନ୍ତ୍ରୀ ପୂର୍ବରୁ ସୂଚନା ଦେଇସାରିଛନ୍ତି ଯେ, ୭୫୫ କିମି ବିଶିଷ୍ଟ ଦିଲ୍ଲୀ ଓ ବାରଣାସୀର ଦୂରତାକୁ ଟ୍ରେନ ୧୮ ଆଠ ଘଣ୍ଟା ମଧ୍ୟରେ ଅତିକ୍ରମ କରିବ। ବର୍ତମାନ ଦିଲ୍ଲୀରୁ ବାରଣାସୀକୁ ଟ୍ରେନରେ ଯାତ୍ରା କରିବା ଲାଗି ସାଢ଼େ ୧୧ ଘଣ୍ଟା ସମୟ ଲାଗୁଛି। ତେଣୁ ନୂଆ ଟ୍ରେନ ଚାଲୁ ହେଲେ ଯାତ୍ରୀଙ୍କୁ ଏହି ଦୂରତା ଅତିକ୍ରମ କରିବାକୁ ପ୍ରାୟ ସାଢ଼େ ୩ ଘଣ୍ଟା କମ୍ ସମୟ ଲାଗିବ। ‌ଏହି ଟ୍ରେନଟି ମଝିରେ କାନପୁର ଓ ପ୍ରୟାଗରାଜ ମଧ୍ୟରେ ରହଣି କରିବ। ଯାତ୍ରୀଙ୍କ ପାଇଁ ଟ୍ରେନରେ ଅନେକ ନୂଆ ସୁବିଧା ମଧ୍ୟ ରହିଛି। ଏକଜିକ୍ୟୁଟିଭ ଶ୍ରେଣୀରେ ଘୁର୍ଣ୍ଣାୟମାନ ସିଟ୍ ରହିଛି। ଏତଦବ୍ୟତୀତ ୱାଇଫାଇ, ଇନଫୋଟେନମେଣ୍ଟ୍ ଆଦି ସୁବିଧା ନୂଆ ଟ୍ରେନରେ ରହିଛି।

ସମ୍ବନ୍ଧିତ ଖବର