ଚାଷୀଙ୍କ ପାଇଁ ରେଳ ଗଡ଼ିବ, ବିମାନ ଉଡ଼ିବ

କୃଷକଙ୍କ ପାଇଁ ଚାଲିବ ‘କିଷାନ୍‌ ରେଳ’
ନଷ୍ଟ ହୋଇଯାଉଥିବା ସାମଗ୍ରୀ ପରିବହନ ପାଇଁ ଶୀତତାପ ନିୟନ୍ତ୍ରିତ ‌କୋଚ୍‌ ରହିବ
ତୀର୍ଥସ୍ଥାନକୁ ‌ଯୋଡ଼ିବ ‌ତେଜସ୍ ଭଳି ଟ୍ରେନ୍
୨୭ ହଜାର କିମି ଟ୍ରାକ୍‌ର ବିଦ୍ୟୁତ୍‌କରଣ ହେବ
ଭଡ଼ାରୁ ଆୟ ଲକ୍ଷ୍ୟ ୧.୪୭ ଲକ୍ଷ କୋଟି
ପରିଚାଳନା ଅନୁପାତ ଲକ୍ଷ୍ୟ ୯୬.୨%

ଚଳିତ ବର୍ଷ ବଜେଟ୍‌ରେ ଭାରତୀୟ ରେଳକୁ ନେଇ କେତେକ ବଡ଼ ପ୍ରକଳ୍ପ ଘୋଷଣା କରାଯାଇଛି। ବଜେଟ୍‌ରେ ଅନେକ ନୂଆ ଯାତ୍ରୀବାହୀ ଟ୍ରେନ୍‌, ତେଜସ୍ ଭଳି ଟ୍ରେନ୍, ଟ୍ରାକ୍ ପାର୍ଶ୍ବରେ ସୌର ଶକ୍ତି ପ୍ଲାଣ୍ଟ୍ ନିର୍ମାଣ କରିବା ସହିତ ଘରୋଇ ସହଭାଗିତା ବଢ଼ାଇବା ଭଳି ପ୍ରସ୍ତାବ ଘୋଷଣା କରାଯାଇଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଘରୋଇ ସରକାରୀ ସହଭାଗିତାରେ ‘କିଷାନ ରେଳ’ ଚଳାଚଳ ଆରମ୍ଭ କରାଯିବ। ଚାଷୀମାନଙ୍କୁ ସହାୟତା ପ୍ରଦାନ କରିବା ଲାଗି ଶୀଘ୍ର ନଷ୍ଟ ହୋଇଯାଉଥିବା ସାମଗ୍ରୀଗୁଡ଼ିକର ପରିବହନ ନିମନ୍ତେ ସେହି ଟ୍ରେନ୍‌ରେ ରେଫ୍ରିଜରେଟର କୋଚ୍‌ର ବ୍ୟବସ୍ଥା ରହିବ। ଉଭୟ ଏକ୍ସପ୍ରେସ୍ ଓ ମାଲ୍‌ବାହୀ ଟ୍ରେନ୍‌ରେ ଏଭଳି କୋଚ୍‌ ଯୋଡ଼ାଯିବ। ବର୍ତ୍ତମାନ ରେଳବାଇର ସହ‌ଯୋଗୀ ସଂସ୍ଥା କନ୍‌କର୍‌ ପକ୍ଷରୁ ରିଫର୍ ସେବା ପ୍ରଦାନ କରାଯାଉଛି। ଆଗାମୀ ଦିନରେ ରେଳବାଇ ରେଫ୍ରିଜରେଟର କଣ୍ଟେନର୍ ସୁବିଧା ଯୋଗାଇଦେବ।

ମେଟ୍ରୋ ମଡେଲ୍‌ରେ ବେଙ୍ଗାଲୁରୁ ପାଇଁ ୧୪୮ କିଲୋମିଟରର ୧୮,୬୦୦ କୋଟି ଟଙ୍କାର ସବ୍‌ଅର୍ବାନ୍ ପରିବହନ ପ୍ରକଳ୍ପ ବିଷୟରେ ଘୋଷଣା କରାଯାଇଛି। ଏଥିପାଇଁ କେନ୍ଦ୍ର ସରକାର ୨୦% ଇକ୍ବିଟି ପ୍ରଦାନ କରିବେ ଓ ବଳକା ରାଶି ବାହାରୁ ଅଣାଯିବ। ଦେଶର ପ୍ରମୁଖ ତୀର୍ଥସ୍ଥଳୀଗୁଡ଼ିକ ତେଜସ୍ ଭଳି ଟ୍ରେନ୍‌ ଜରିଆରେ ଯୋଡ଼ାଯିବ। ତେଜସ୍‌ ଟ୍ରେନ୍‌ ହେଉଛି ଦେଶର ପ୍ରଥମ ଘରୋଇ ଟ୍ରେନ୍ ଯାହାକୁ ଆଇଆରସିଟିସି ଚଲାଉଛି। ମୁମ୍ବାଇ ଓ ଅହମ୍ମଦାବାଦ ଭିତରେ ନିର୍ମାଣ କରାଯାଉଥିବା ହାଇସ୍ପିଡ୍ ଟ୍ରେନ୍ କରିଡର୍‌ର ନିର୍ମାଣ ୨୦୨୩ ସୁଦ୍ଧା ଶେ‌ଷ ହେବ। ଏଥି ସହିତ ବେଙ୍ଗାଲୁରୁ-ଚେନ୍ନାଇ ଟ୍ରେନ୍ ପ୍ରକଳ୍ପ ହାତକୁ ନିଆଯିବ। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ୫୫୦ରୁ ଅଧିକ ଷ୍ଟେସନରେ ୱାଇ-ଫାଇ ସୁବିଧା ମିଳୁଥିବା ବେଳେ ମାନବ ବିହୀନ ଲେବଲ୍‌ କ୍ରସିଂ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି। ୨୭,୦୦୦ କିମି ଟ୍ରାକ୍‌ର ବିଦ୍ୟୁତ୍‌କରଣ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।

ଗତବର୍ଷ ରେଳ ମନ୍ତ୍ରଣାଳୟକୁ ବଜେଟ୍‌ରେ ୧ ଲକ୍ଷ ୬୦ ହଜାର ୧୭୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ୨୦୨୦-୨୧ ପାଇଁ ୧.୭୦ ଲକ୍ଷ କୋଟି ଟଙ୍କା ଦିଆଯିବ। ୨୦୩୦ ସୁଦ୍ଧା ୫୦ ଲକ୍ଷ କୋଟି ଟଙ୍କା ନେଟ୍‌ୱର୍କରେ ନିବେଶ କରିବାକୁ ହେବ ବୋଲି ସେ କହିଛନ୍ତି। ବଜେଟ୍ ଆବଣ୍ଟନ ଅନୁସାରେ, ମୋଟ୍ ‌ବଜେଟ୍‌ ଆୟ ୨,୨୫,୯୧୩ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ୨୦୧୯-୨୦ରେ ତାହା ୨,୧୬,୬୭୫ କୋଟି ଟଙ୍କା ଥିଲା। ଚଳିତ ବର୍ଷ ବଜେଟ୍‌ରେ ରେଳବାଇ ପାଇଁ ୭୨,୨୧୫.୬୩ କୋଟି ଟଙ୍କା ଆବଣ୍ଟନ କରାଯାଇଛି ଯାହା ପୂର୍ବବର୍ଷର ୬୮,୦୧୮ କୋଟି ଟଙ୍କା ତୁଳନାରେ ୬.୧% ଅଧିକ। ୨୦୨୦-୨୧ରେ ମାଲ ଓ ଯାତ୍ରୀ ଭଡ଼ାରୁ ରେଳବାଇ ୧.୪୩ ଲକ୍ଷ କୋଟି ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖିଛି ଯାହା ୨୦୧୯-୨୦ରେ ଧାର୍ଯ୍ୟ କରାଯାଇଥିବା ୧.୨୭ ଲକ୍ଷ କୋଟି ଟଙ୍କାର ବଜେଟ୍‌ ଲକ୍ଷ୍ୟ ତୁଳନାରେ ୧୨.୨% ଅଧିକ। ଚଳିତ ଆର୍ଥିକ ବର୍ଷରେ ରେଳବାଇ ୯୫% ପରିଚାଳନା ଅନୁପାତ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ୨୦୧୮-୧୯ରେ ତାହା ୯୭.୩ ପ୍ରତିଶତ ଥିଲା। ଏହାର ଅର୍ଥ ହେଉଛି ଏକ ଟଙ୍କାର ଆୟ କରିବା ଲାଗି ରେଳବାଇ ୯୭ ଟଙ୍କା ୩୦ ପଇସା ଖର୍ଚ୍ଚ କରୁଥିଲା। ଏବେ ପ୍ରତି ଏକ ଟଙ୍କାର ଆୟ ପାଇଁ ଖର୍ଚ୍ଚକୁ ୯୫ ପଇସା ପର୍ଯ୍ୟନ୍ତ ଖସାଇବାକୁ ରେଳବାଇ ଚାହୁଛି। ୨୦୨୦-୨୧ରେ ‌ରେଳବାଇ ୯୬.୨%ର ପରିଚାଳନା ଅନୁପାତ ହାସଲ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି।

କୃଷକଙ୍କ ପାଇଁ କୃଷି ଉଡାନ୍‌ ସ୍କିମ୍‌
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଚାଷୀମାନଙ୍କ ପାଇଁ ‘କୃ‌ଷି ଉଡାନ୍ ସ୍କିମ୍’ ଆରମ୍ଭ କରାଯିବ। ଜାତୀୟ ଓ ଆନ୍ତର୍ଜାତିିକ ରୁଟ୍‌ରେ ଏହି ସ୍କିମ୍‌ରେ ବିମାନ ଉଡ଼ିବ ଯାହା ଚାଷୀମାନଙ୍କ ଉତ୍ପାଦିତ ସାମଗ୍ରୀ ପରିବହନ କରିବାରେ ସହାୟକ ହେବ। ଏହା ଚାଷୀମାନଙ୍କୁ ସେବା ସାମଗ୍ରୀର ଉଚିତ ମୂଲ୍ୟ ପ୍ରଦାନ କରିବାରେ ସାହାଯ୍ୟ କରିବ। ଏହି ସ୍କିମ୍ ଦ୍ବାରା ଉତ୍ତର ପୂର୍ବାଞ୍ଚଳ ଓ ଆଦିବାସୀ ଜିଲ୍ଲାଗୁଡ଼ିକର ଚାଷୀମାନେ ଉପକୃତ ହେବ।

ସମ୍ବନ୍ଧିତ ଖବର