ଭାରତୀୟ ରେଲୱେ ବୋର୍ଡର ଗୁରୁତ୍ବପୂର୍ଣ୍ଣ  ନିଷ୍ପତ୍ତି : ୩୧ ଯାଏଁ ଗଡିବନି ଟ୍ରେନ୍

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବାକୁ  ଭାରତୀୟ ରେଲୱେ ବୋର୍ଡ ଆଜି ଏକ ଗୁରୁତ୍ବପୂର୍ଣ୍ଣ  ନିଷ୍ପତ୍ତି ନେଇଛି । ମାର୍ଚ୍ଚ ୩୧ ତାରିଖ ଯାଏଁ ଟ୍ରେନ୍ ଚଳାଚଳ ବନ୍ଦ ରଖିବାକୁ ରବିବାର ବୋର୍ଡର ଏକ ଜରୁରି ବୈଠକରେ ନିଷ୍ପତ୍ତି ନିଆଯାଇଛି। .ଦେଶବ୍ୟାପି  ମେଲ୍ ,ଏକ୍ସପ୍ରେସ୍ ଏବଂ ପାସେଞ୍ଜର୍ ଟ୍ରେନ୍ ଚଳାଚଳ ବନ୍ଦ ରହିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । କେବଳ ମାଲବାହୀ ଟ୍ରେନକୁ କଟକଣା ବାହାରେ ରଖାଯାଇଛି।

କରୋନାଭାଇରସ୍ ସଂକ୍ରମଣ ମୁକାବିଲା ନିମନ୍ତେ କେନ୍ଦ୍ର ସରକାର ଭାରତୀୟ ରେଳ ଓ କୋଙ୍କଣ ରେଳର ସମସ୍ତ ପାସେଞ୍ଜର୍ ଟ୍ରେନ୍ ସେବା ମାର୍ଚ ୩୧ ତାରିଖ ଯାଏଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏ ସଂକ୍ରାନ୍ତରେ ଆଜି ରେଳ ମନ୍ତ୍ରାଳୟ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ସମସ୍ତ ଦୂରଗାମୀ ମେଲ୍/ଏକ୍ସପ୍ରେସ୍ ଟ୍ରେନ୍ ଏବଂ ପ୍ରିମିୟମ୍ ଟ୍ରେନ୍ ସମେତ ଇଣ୍ଟରସିଟି ଟ୍ରେନ୍  ମାର୍ଚ ୩୧ ତାରିଖ ଯାଏଁ ବନ୍ଦ ରହିବ ।

ସେହିଭଳି, ପୂର୍ବ ବିଜ୍ଞପ୍ତି ଅନୁସାରେ କୋଲକାତାର ସବ୍-ଅର୍ବାନ୍ ଟ୍ରେନ୍ ଓ ମେଟ୍ରୋ ରେଲୱେର ଟ୍ରେନଗୁଡ଼ିକ ୨୨ ତାରିଖଯାଏଁ ଚଳାଚଳ କରିବ । ଏହାପରେ, ଅର୍ଥାତ୍ ମାର୍ଚ ୨୨ ତାରିଖ ପରଠାରୁ ମାର୍ଚ ୩୧ ତାରିଖଯାଏଁ ଏହି ଟ୍ରେନଗୁଡ଼ିକର  ଚଳାଚଳ ସ୍ଥଗିତ ରହିବ ।

ଏହାଛଡ଼ା ୨୨ ତାରିଖ ଭୋର୍ ୪ଟା ପୂର୍ବରୁ ଯାତ୍ରା ଆରମ୍ଭ କରିସାରିଥିବା ଟ୍ରେନଗୁଡ଼ିକ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିବାଯାଏଁ ଯାତ୍ରା ଚାଲୁ ରଖିବେ । ମାତ୍ର ମାଲବାହୀ ଟ୍ରେନ୍ ପୂର୍ବଭଳି ଚଳାଚଳ କରିବେ ।

 

ସମ୍ବନ୍ଧିତ ଖବର