ପୁରୀ: ଭୁବନେଶ୍ୱରରୁ ନିମାପଡ଼ା ଓ ଗୋପ ଦେଇ କୋଣାର୍କ ପର୍ଯ୍ୟନ୍ତ ଚାଲିବ ଟ୍ରେନ୍। ଏଥିପାଇଁ ବିଛା ହେବ ନୂତନ ରେଳଧାରଣା। ଏହି ନୂଆ ଧାରଣା ପାଇଁ ‘ଫାଇନାଲ୍ ଲୋକେସନ୍ ସର୍ଭେ’କୁ ଅନୁମୋଦନ ମିଳିଛି। ଏ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିମାପଡ଼ା ବିଧାୟିକା ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଲିଖିତ ଭାବେ ଅବଗତ କରିଛନ୍ତି। ଏହି ଟ୍ରେନ୍ ଚଳାଚଳ ପାଇଁ ପୂର୍ବରୁ ଶ୍ରୀମତୀ ପରିଡ଼ା କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ସେହି ଚିଠିକୁ ଆଧାର କରି ଏଭଳି ପଦକ୍ଷେପ ନିଆଯାଇଥିବା କେନ୍ଦ୍ରମନ୍ତ୍ରୀଙ୍କ ପତ୍ରରେ ଉଲ୍ଲେଖ ଅଛି।
ଚିଠି ପାଇବା ପରେ ଶ୍ରୀମତୀ ପରିଡ଼ା କେନ୍ଦ୍ରମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ବହୁ ପ୍ରତୀକ୍ଷିତ ରେଳ ପ୍ରକଳ୍ପ କେବଳ ରାଜଧାନୀ ଓ ବିଶ୍ୱ ଐତିହ୍ୟ ସ୍ଥଳୀ କୋଣାର୍କ ମଧ୍ୟରେ ରେଳ ସଂଯୋଗ ସ୍ଥାପନ କରିବ ନାହିଁ, ବରଂ ଏହା ନିମାପଡ଼ା ନିର୍ବାଚନ ମଣ୍ଡଳୀର ନିମାପଡ଼ା ସମେତ ଗୋପବାସୀଙ୍କ ପାଇଁ ମଧ୍ୟ ଆଶୀର୍ବାଦ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି। ଏହି ନୂଆ ରେଳଲାଇନ୍ ସ୍ଥାନୀୟ ଅର୍ଥନୀତି ଏବଂ କୃଷି ଆଦି କ୍ଷେତ୍ର ପାଇଁ ସହାୟକ ହେବା ସହ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟସେବା ଓ ଶିକ୍ଷା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିଭାଇବ। ଗମନାଗମନ ସହ ପର୍ଯ୍ୟଟନ ପାଇଁ ଏହି ପ୍ରକଳ୍ପ ଲାଭଜନକ ସାବ୍ୟସ୍ତ ହେବ। ଏହି ଦୂରଦୃଷ୍ଟିସମ୍ପନ୍ନ ପ୍ରକଳ୍ପ ପାଇଁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦର ପାତ୍ର ବୋଲି ସେ କହିଛନ୍ତି। ଚୂଡ଼ାନ୍ତ ଅବସ୍ଥିତି ସର୍ଭେ ହେବା ପରେ ରେଳ ଲାଇନ୍ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ହେବ। ଅଧିଗ୍ରହଣ ସରିବା ପରେ ଧାରଣା ବିଛା ଆରମ୍ଭ ହେବ।