ଭୁବନେଶ୍ବର: ରାଜ୍ୟର ପରିବହନ ଲଜିଷ୍ଟିକ୍ସ ଭିତ୍ତିଭୂମିର ସର୍ବେକ୍ଷଣ କରାଯିବ। ଏଥିପାଇଁ ସଡ଼କ, ରେଳପଥ, ଅନ୍ତର୍ଦେଶୀୟ ଜଳପଥ, ସ୍ଲରି ପରିବହନ, ସାଧାରଣ ଗମନାଗମନ, ବନ୍ଦର ଓ ବିମାନ ଯୋଗାଯୋଗ ବ୍ୟବସ୍ଥା ଆଦି ସବୁ କ୍ଷେତ୍ରକୁ ବିଚାରକୁ ନିଆଯିବ। ବର୍ତ୍ତମାନ ଏହି ବ୍ୟବସ୍ଥା କିଭଳି ସ୍ଥିତିରେ ରହିଛି ତାହା ଆକଳନ କରାଯିବ। ଭବିଷ୍ୟତ ଲାଗି କିଭଳି ବ୍ୟବସ୍ଥା ଦରକାର ଓ ସେଥିପାଇଁ କ’ଣ କରିବାକୁ ହେବ ଏହି ସର୍ବେକ୍ଷଣର ରିପୋର୍ଟରେ ସୁପାରିସ କରାଯିବ।
ସର୍ବେକ୍ଷଣ ଶେଷ ହେବା ପରେ ଏକ ବ୍ୟାପକ ରିପୋର୍ଟ ପ୍ରସ୍ତୁତ କରି ତାହାକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ। ଏହି ସର୍ବେକ୍ଷଣ ଲାଗି ଇଣ୍ଡିଆନ ଚ୍ୟାମ୍ବର ଅଫ୍ କମର୍ସ (ଆଇସିସି) ପକ୍ଷରୁ ଆଜି ରାଜ୍ୟ ସରକାର ଓ କେନ୍ଦ୍ରୀୟ ସରକାରୀ ସଂସ୍ଥା ରାଇଟ୍ସ ଲିମିଟେଡ୍ ସହିତ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ ଓ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନାଙ୍କ ଉପସ୍ଥିତିରେ ଇଡ୍କୋ ସମ୍ମିଳନୀ କକ୍ଷରେ ବୁଝାମଣାପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଆଇସିସି ଆନୁକୂଲ୍ୟରେ ରାଇଟ୍ସକୁ ସର୍ବେକ୍ଷଣ କରିବା ଦାୟିତ୍ବ ପ୍ରଦାନ କରାଯାଇଛି। ରାଜ୍ୟ ସରକାର ଏଥିପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ତ୍ରିପାଠୀ ରାଜ୍ୟର ପରିବହନ ଭିତ୍ତିଭୂମିର ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ତେବେ ସ୍ଥିତିରେ ଉନ୍ନତି ଆଣିବା ଲାଗି ଶିଳ୍ପ ସଂସ୍ଥାଗୁଡ଼ିକ ସହ ନିୟମିତ ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯାଉଥିବା ସେ କହିଥିଲେ। ଏହି ଅବସରରେ ଶିଳ୍ପ ସଚିବ ହେମନ୍ତ ଶର୍ମା, ଆଇସିସି ଓଡ଼ିଶାର ଅଧ୍ୟକ୍ଷ ଜେ ବି ପାଣି, ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ, ରାଇଟ୍ସର ଜିଏମ୍ ସି ଏଲ୍ ଶାହ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/19-9.jpg)