ବିମାନରେ ଯାତ୍ରା ସବୁଠୁ ସୁରକ୍ଷିତ, ମାତ୍ର ୫୨ ଥର ଘାତକ ବିମାନ ଦୁର୍ଘଟଣା

ରେଳ, ସଡ଼କ ଦୁର୍ଘଟଣାରେ ଅଧିକ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିମାନରେ ଯାତ୍ରା କରିବା ଲାଗି ଅନେକ ଲୋକ ଭୟ କରନ୍ତି। ବିମାନ ଆକାଶରେ ଉଡ଼ୁଥିବାରୁ ଲୋକମାନେ ଏଭଳି ଭାବିଥାନ୍ତି। କିନ୍ତୁ, ଲୋକମାନେ ଗୋଟିଏ କଥା ଜାଣିନାହାନ୍ତି ଯେ ଯାତାୟାତ ପାଇଁ ସବୁଠୁ ସୁରକ୍ଷିତ ମାଧ୍ୟମ ହେଉଛି ବିମାନ ଯାତ୍ରା। ବିମାନ, ସଡ଼କ ଓ ରେଳ ଦୁର୍ଘଟଣା ଜନିତ ମୃତ୍ୟୁର ପରିସଂଖ୍ୟାନ ଅନୁଶୀଳନରୁ ଏହା ଜଣାପଡ଼ୁଛି। ୧୯୪୭ ପରଠାରୁ ବିମାନ ଦୁର୍ଘଟଣାରେ ଦେଶରେ ମାତ୍ର ୨,୭୧୩ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରତିବର୍ଷ ଏହାଠାରୁ ଶତାଧିକ ଗୁଣ ଅଧିକ ଲୋକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଉଛି। ଟ୍ରେନ୍‌ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଯଦିଓ ହ୍ରାସ ପାଇଛି ତାହା ବିମାନ ଯାତ୍ରା ଭଳି ସୁରକ୍ଷିତ ବୋଲି କୁହାଯାଇପାରିବ ନାହିଁ।

ସ୍ବାଧୀନ ଭାରତରେ ମାତ୍ର ୫୨ ଥର ଘାତକ ବିମାନ ଦୁର୍ଘଟଣା ହୋଇଛି। ୪୦ ଥର ଭାରତୀୟ କଂପାନିର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ୧୨ଟି ବିଦେଶୀ କଂପାନିର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ନିକଟରେ କେରଳ କୋଝିକୋଡ୍‌ର ଦୁର୍ଘଟଣା ହେଉଛି ୫୨ତମ ବିମାନ ଦୁର୍ଘଟଣା। ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଦ୍ବାରା ମୋଟ ୨୧୭୩ ଜଣ ଲୋକଙ୍କ ପ୍ରାଣହାନି ଘଟିଛି। ଯାତ୍ରା ସୁରକ୍ଷିତ ଓ ସୁଲଭ ହେଉଥିବାରୁ ବିମାନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ୧୯୯୫-୯୬ରୁ ୨୦୧୯-୨୦ ମଧ୍ୟରେ ବିମାନ ଯାତ୍ରୀଙ୍କ ସଂଖ୍ୟା ୯ ଗୁଣା ବୃଦ୍ଧି ପାଇଛି। ୨୦୧୧-୨୦୨୦କୁ ଭାରତୀୟ ବିମାନ ଶିଳ୍ପ ପାଇଁ ସବୁଠୁ ସୁରକ୍ଷିତ ଦଶନ୍ଧି କୁହାଯାଉଛି। ‌କୋଝିକୋଡ୍‌ ବିମାନ ଦୁର୍ଘଟଣାକୁ ବାଦ ‌ଦେଲେ ଅନ୍ୟ କୌଣସି ଦୁର୍ଘଟଣାରେ ଯାତ୍ରୀଙ୍କ ମୃତ୍ୟୁ ହୋଇନାହିଁ। ୨୦୧୦ ମେ’ରେ ମାଙ୍ଗାଲୋର ବିମାନ ବନ୍ଦରରେ ଏକ ବିମାନ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୫୮ ଜଣଙ୍କ ମୃତ୍ୟୁ ହୋଇଥିଲା। ୧୯୯୧-୨୦୦୦ ମଧ୍ୟରେ ସାତ ଥର ଘାତକ ବିମାନ ଦୁର୍ଘଟଣା ଘଟି ୫୫୨ ଜଣଙ୍କ ମୃତ୍ୟୁ ହୋଇଥିଲା। ହରିୟାନା ଆକାଶରେ ଆରବିଆନ୍ ଜୁମ୍ବୋ ଜେଟ୍‌ ଓ କାଜାକ୍ ଏୟାରଲାଇନ୍ସର ବିମାନ ମୁହାଁମୁହିଁ ହେବାରୁ ସର୍ବାଧିକ ୩୪୯ ଜଣଙ୍କ ମୃତ୍ୟୁ ହୋଇଥିଲା। ଭାରତୀୟ ବିମାନ ଚଳାଚଳ ଇତିହାସରେ ତାହା ହେଉଛି ସବୁଠୁ ବଡ଼ ଦୁର୍ଘଟଣା। ଭାରତରେ ହୋଇଥିବା ବିମାନ ଦୁର୍ଘଟଣାଗୁଡ଼ିକ ମଧ୍ୟରୁ ୮୨% ଘଟଣା ପାଇଁ ପାଇଲଟ୍‌ଙ୍କ ତ୍ରୁଟିକୁ ଦାୟୀ କରାଯାଇଛି। ୧୯୫୧ରୁ ୧୯୮୦ ଭିତରେ ୩୪ ଥର ଘାତକ ବିମାନ ଦୁର୍ଘଟଣା ଘଟିଥିଲା। ଏହାର ପରବର୍ତୀ ୩୦ ବର୍ଷ ଅର୍ଥାତ ୧୯୮୧ରୁ ୨୦୧୦ ଭିତରେ ୧୩ ଥର ଘାତକ ବିମାନ ଦୁର୍ଘଟଣା ହୋଇଛି। ଭାରତରେ ୧୯୯୬ ନଭେମ୍ବର ୧୨ରେ ହରିୟାନା, ୧୯୮୮ରେ ଅହମ୍ମଦାବାଦ, ୧୯୬୩, ୧୯୬୭ ଓ ୧୯୭୩ରେ ମୁମ୍ବାଇ, ୧୯୭୨ରେ ଦିଲ୍ଲୀ, ୧୯୯୧ରେ ଇମ୍ଫାଲ୍‌, ୧୯୬୨ରେ ଜୁନାର, ୧୯୯୦ରେ ବାଙ୍ଗାଲୋର ଓ ୨୦୨୦ ମେ’ ୨୨ରେ ମାଙ୍ଗାଲୋରରେ ଘାତକ ବିମାନ ଦୁର୍ଘଟଣା ଘଟିଛି।

ସମ୍ବନ୍ଧିତ ଖବର