ଡେରାଡୁନ: ଋଷିକେଶରୁ କର୍ଣ୍ଣପ୍ରୟାଗ ପର୍ଯ୍ୟନ୍ତ ଯିବାକୁ ପୂର୍ବରୁ ୬-୭ ଘଣ୍ଟା ସମୟ ଲାଗୁଥିଲା। କିନ୍ତୁ ଚାରିଧାମ ଯୋଜନା ଅନ୍ତର୍ଗତ ନିର୍ମାଣ କରାଯାଇଥିବା ରେଳପଥ ଦ୍ବାରା ଦୁଇ ଘଣ୍ଟାରେ ଏହି ଯାତ୍ରା ହୋଇପାରିବ ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ପର୍ଯ୍ୟଟକ, ସ୍ଥାନୀୟ ଲୋକ, ତୀର୍ଥଯାତ୍ରୀଙ୍କ ପାଇଁ ଯାତ୍ରା ଦ୍ରୁତ, ସୁରକ୍ଷିତ ଓ ସୁବିଧାଜନକ ହୋଇପାରିବ ବୋଲି ସେ କହିଛନ୍ତି। ରେଳବାଇ ପକ୍ଷରୁ ଦେଶର ସବୁଠୁ ଲମ୍ବା ୧୪.୫୭ କିମି ବିଶିଷ୍ଟ ରେଳ ସୁଡ଼ଙ୍ଗ ନିର୍ମାଣ କରିବାର ବ୍ରେକ୍ଥ୍ରୁ ହାସଲ କରାଯାଇଛି।
ଉତ୍ତରାଖଣ୍ଡର ଦୁର୍ଗମ ଅଞ୍ଚଳକୁ ରେଳ ସଂଯୋଗ ପ୍ରଦାନ କରିବା ଲାଗି ଏହି ପ୍ରକଳ୍ପ ପ୍ରସ୍ତୁତ କରାଯାଇଛି। ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସୁଡ଼ଙ୍ଗ ଟି-୮ର ବ୍ରେକ୍ଥ୍ରୁକୁ ଉଦ୍ଘାଟନ କରିଥିଲେ। ଏହି ଯୋଜନାର ପ୍ରଥମ ପର୍ଯ୍ୟାୟକୁ ୨୦୨୬ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପରେ ଟନେଲ୍ ବୋରିଂ ମେସିନ୍ ଭଳି ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇଛି।