ମୋର ବୟସ ୪୦ ବର୍ଷ। ମୁଁ ଆସନ୍ତା ୧୨ରୁ ୧୫ ବର୍ଷ ଭିତରେ କେତେ ନିବେଶ କଲେ ୧ କୋଟି ଟଙ୍କାର ପାଣ୍ଠି ହାସଲ କରିପାରିବି?
- ବିଦ୍ୟାଧର ମାଝୀ, କେନ୍ଦୁଝର
ଆପଣଙ୍କୁ ୫୫ ବର୍ଷ ବୟସ ହେବା ବେଳକୁ ୧ କୋଟି ଟଙ୍କାର ପାଣ୍ଠି ପାଇବାକୁ ହେଲେ ମୁଁ ଆପଣଙ୍କୁ ବିବିଧ ଇକ୍ବିଟି ମ୍ୟୁଚୁଆଲ୍ ଫଣ୍ଡ୍ରେ ନିବେଶ କରିବାକୁ ପରାମର୍ଶ ଦେବାକୁ ଚାହୁଛି। ୧୫ ବର୍ଷ ପର୍ଯ୍ୟନ୍ତ ନିବେଶ ଆପଣଙ୍କୁ ନିଫ୍ଟି ଦେଉଥିବା ବାର୍ଷିକ ୧୨ ପ୍ରତିଶତ ରିଟର୍ଣ୍ଣଠାରୁ ୩ ପ୍ରତିଶତ ଅଧିକ ରିଟର୍ଣ୍ଣ ପ୍ରଦାନ କରିବ। ତେଣୁ ଆପଣଙ୍କୁ ବାର୍ଷିକ ୧୫ ପ୍ରତିଶତ ରିଟର୍ଣ୍ଣ ମିଳିବା ଆଶା କରାଯାଇପାରେ। ଆପଣ ଲାର୍ଜ କ୍ୟାପ୍, ମିଡ୍ କ୍ୟାପ୍ ଓ ସ୍ମଲ୍ କ୍ୟାପ୍ରେ ୫୦:୩୦:୨୦ ଅନୁପାତରେ ନିବେଶ କରିପାରିବେ। ଏସ୍ଆଇପିରେ ମାସିକ ୧୫,୦୦୦ ଟଙ୍କା ନିବେଶ ଦରକାର। ସେହିପରି, ଏକକାଳୀନ ନିବେଶ ଲାଗି ୧୨ ଲକ୍ଷ ୨୮ ହଜାର ଟଙ୍କା ଦରକାର। ଆପଣ ନିପନ୍ ଇଣ୍ଡିଆ ଲାର୍ଜ କ୍ୟାପ୍ ଫଣ୍ଡ୍ରେ ୫୦୦୦ ଟଙ୍କା, କୋଟାକ୍ ମଲ୍ଟି କ୍ୟାପ୍ ଫଣ୍ଡ୍ରେ ୪୦୦୦ ଟଙ୍କା, ମୋତିଲାଲ ଓସ୍ବାଲ୍ ମିଡ୍କ୍ୟାପ୍ ଫଣ୍ଡରେ ୩୦୦୦ ଟଙ୍କା ଏବଂ ଏଚ୍ଡିଏଫ୍ସି ସ୍ମଲ୍ କ୍ୟାପ୍ ଫଣ୍ଡରେ ୩୦୦୦ ଟଙ୍କା ନିବେଶ କରିପାରିବେ।
ମୋ ବୟସ ୩୬ ବର୍ଷ। ମୁଁ ଏସ୍ଆଇପିରେ ମାସିକ ୧୨,୦୦୦ ଟଙ୍କା ନିବେଶ କରିବାକୁ ଚାହୁଛି। ଆସନ୍ତା ୨୪ ବର୍ଷ ପାଇଁ କେଉଁ ଫଣ୍ଡରେ ନିବେଶ କଲେ ଭଲ?
-ପ୍ରକାଶ କୁମାର ପତି, ବରଗଡ଼
ଇକ୍ବିଟି ମ୍ୟୁଚୁଆଲ ଫଣ୍ଡରେ ମାସିକ ୧୨,୦୦୦ ଟଙ୍କା ନିବେଶ କଲେ ଆପଣ ବାର୍ଷିକ ୧୫ ପ୍ରତିଶତ ରିଟର୍ଣ୍ଣ ଆଧାରରେ ୩.୩୩ କୋଟି ଟଙ୍କାର ପାଣ୍ଠି ଗଠନ କରିପାରିବେ। ଏସ୍ଆଇପି ପାଇଁ ଆପଣ ଏହି କମ୍ପାନିଗୁଡ଼ିକର ଫଣ୍ଡ୍ ବିଚାରକୁ ନେଇପାରିବେ। ଏଚ୍ଡିଏଫ୍ସି ଫ୍ଲେକ୍ସିକ୍ୟାପ୍ ଫଣ୍ଡ୍ରେ ୩୦୦୦ ଟଙ୍କା, ଏସ୍ବିଆଇ ଲାର୍ଜ ଆଣ୍ଡ୍ ମିଡ୍କ୍ୟାପ୍ ଫଣ୍ଡ୍ରେ ୩୦୦୦ ଟଙ୍କା, ମୋତିଲାଲ ଓସ୍ବାଲ୍ ମିଡ୍କ୍ୟାପ୍ ଫଣ୍ଡ୍ରେ ୩୦୦୦ ଟଙ୍କା ଓ ବନ୍ଧନ ସ୍ମଲ୍ କ୍ୟାପ୍ ଫଣ୍ଡ୍ରେ ୩୦୦୦ ଟଙ୍କା ନିବେଶ କରିପାରିବେ।
ମୋ ବୟସ ୪୪ ବର୍ଷ। ମୋ ପାଖରେ ଦଶ ଲକ୍ଷ ଟଙ୍କାର ସଞ୍ଚୟ ରାଶି ରହିଛି। ମୁଁ ମ୍ୟୁଚୁଆଲ୍ ଫଣ୍ଡରେ ୨-୩ ଲକ୍ଷ ଟଙ୍କା ନିବେଶ କରିବାକୁ ଚାହୁଛି। କେଉଁ ଫଣ୍ଡ୍ରେ ମୁଁ ନିବେଶ କରିବି?
- ସତ୍ୟ ରଞ୍ଜନ ଗିରି
ଯେହେତୁ ଆପଣଙ୍କ ବୟସ ୪୪ ବର୍ଷ ହୋଇଗଲାଣି, ମୁଁ ଭାବୁଛି ଯେ ଆପଣଙ୍କ ନୂଆ ନିବେଶ ଲାଗି ୫ ବର୍ଷ ସମୟ ଦେଇପାରିବେ। ପାଞ୍ଚ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ନିବେଶ ଲାଗି ଆପଣ ଡାଇଭର୍ସିଫାଏଡ୍ ଇକ୍ବିଟି ମ୍ୟୁଚୁଆଲ୍ ଫଣ୍ଡରେ ୧ ଲକ୍ଷ ଟଙ୍କା ଲେଖାଏଁ ନିବେଶ କରିପାରିବେ। ସେଗୁଡ଼ିକ ହେଉଛି ନିପନ୍ ଇଣ୍ଡିଆ ଲାର୍ଜ କ୍ୟାପ୍ ଫଣ୍ଡ, କୋଟାକ୍ ମଲ୍ଟିକ୍ୟାପ୍ ଫଣ୍ଡ, ଏସ୍ବିଆଇ ମିଡ୍କ୍ୟାପ୍ ଫଣ୍ଡ। ଆମେ ଆପଣଙ୍କୁ ପରାମର୍ଶ ଦେବାକୁ ଚାହୁଛୁ ଯେ ନିଜର ବିପଦ ପରିଚାଳନା କ୍ଷମତା ଏବଂ ଜୀବନର ଲକ୍ଷ୍ୟ ଅନୁସାରେ ହିଁ ଆପଣ ନିଜର ପାଣ୍ଠିକୁ ପୋର୍ଟଫୋଲିଓରେ ଆବଣ୍ଟନ କରନ୍ତୁ।
ପାଞ୍ଚ ବର୍ଷ ଧରି ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରିଥିବା ଟଙ୍କାକୁ ମୁଁ ଯଦି ଉଠାଇବି ତେବେ ତାହା ଉପରେ ଟିକସ ଲାଗିବ କି?
- ସୁନିଲ ପରିଡ଼ା, ଭୁବନେଶ୍ବର
ଆପଣ ଇକ୍ବିଟି ମ୍ୟୁଚୁଆଲ୍ ଫଣ୍ଡ୍ରେ ନିବେଶ କରିଛନ୍ତି ବୋଲି ଯଦି ବିଚାର କରାଯିବ ତେବେ ସେଥିରେ ୧୨.୫ ପ୍ରତିଶତର ଦୀର୍ଘକାଳୀନ ପୁଞ୍ଜି ଲାଭ ଟିକସ ଲାଗିବ। ଆୟକର ନିୟମରେ ଥିବ ବ୍ୟବସ୍ଥା ଅନୁସାରେ ଇକ୍ବିଟି ପାଇଁ ଗୋଟିଏ ଆର୍ଥିକ ବର୍ଷରେ ଆପଣ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୀର୍ଘକାଳୀନ ପୁଞ୍ଜି ଲାଭ ଟିକସ ପାଇଁ ଦାବି କରିପାରିବେ। ଯଦି ଦୀର୍ଘକାଳୀନ ଲାଭ ଗୋଟିଏ ଆର୍ଥିକ ବର୍ଷରେ ଏକ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବ ତେବେ ଗତ ବଜେଟ୍ ଅନୁସାରେ ଏକ ଲକ୍ଷ ଟଙ୍କାରୁ ଅଧିକ ଲାଭ ଉପରେ ୧୨.୫ ପ୍ରତିଶତ ଟିକସ ପ୍ରଦାନ କରିବାକୁ ପଡ଼ିବ।
ସୌମେନ୍ଦ୍ର ନାଥ ଦତ୍ତା
ୟୁନିଟ୍ ମୁଖ୍ୟ ତଥା ବରିଷ୍ଠ ଉପସଭାପତି
ଆନନ୍ଦ ରାଠି ପ୍ରିଫର୍ଡ