ମୋର ବୟସ ୬୦ ବର୍ଷ। କିନ୍ତୁ ମୁଁ ଏକ ଲକ୍ଷ ଟଙ୍କା ସଞ୍ଚୟ କରି ରଖିଛି। ମୁଁ ସେୟାର ମାର୍କେଟ୍ରେ ନିବେଶ କରିବାକୁ ଚାହୁଛି। କ’ଣ କରିବି। ମୁଁ ଏହି ବିଷୟରେ ଭାବି ପାରିବି କି?
- ବୁଲୁ ପଟ୍ଟନାୟକ, ଘସିପୁରା, କେନ୍ଦୁଝର
ଯେହେତୁ ଆପଣଙ୍କ ବୟସ ୬୦ ହୋଇଗଲାଣି, ତେଣୁ ସିଧାସଳଖ ଇକ୍ବିଟିରେ ନିବେଶ କରିବା ଲାଗି ପରାମର୍ଶ ଦେବା ଠିକ୍ ନୁହେଁ, କାରଣ ଷ୍ଟକ ବଜାରରେ ସିଧାସଳଖ ନିବେଶ କରିବାରେ ଅନେକ ବିପଦ ରହିଛି। ଏହା ବ୍ୟତୀତ ଆପଣ ମ୍ୟୁଚୁଆଲ ଫଣ୍ଡ୍ ଜରିଆରେ ଷ୍ଟକ ବଜାରକୁ ଆସିପାରିବେ। ସେଠାରେ ଅଭିଜ୍ଞ ଫଣ୍ଡ ମ୍ୟାନେଜରମାନେ ପାଣ୍ଠି ପରିଚାଳନା କରିଥାନ୍ତି। ଯଦି ଆପଣ ମ୍ୟୁଚୁଆଲ୍ ଫଣ୍ଡ ବିଷୟରେ ଭାବୁଛନ୍ତି ତେବେ ଆପଣଙ୍କୁ ଅନ୍ତତଃ ଦୁଇଟି ଲାର୍ଜ କ୍ୟାପ୍ ଫଣ୍ଡ ଚୟନ କରିବାକୁ ପଡ଼ିବ ଏବଂ ଉଭୟ ଫଣ୍ଡରେ ୫୦ ହଜାର ଟଙ୍କା ଲେଖାଏଁ ନିବେଶ କରିବାକୁ ହେବ। ମୁଁ ନିଶ୍ଚିତ ଯେ ପାଞ୍ଚ ବର୍ଷ ଅବଧିରେ ଏହି ଫଣ୍ଡଗୁଡ଼ିକ ଆପଣଙ୍କୁ ବ୍ୟାଙ୍କର ଏଫ୍ଡି କିମ୍ବା ସଞ୍ଚୟ ଖାତା ତୁଳନାରେ ଅଧିକ ରିଟର୍ଣ୍ଣ ପ୍ରଦାନ କରିବେ।
ନିବେଶ ପାଇଁ କିଭଳି ଷ୍ଟକ୍ ଚୟନ କରାଯାଏ? କେଉଁ ସବୁ ସାଧାରଣ ମାନଦଣ୍ଡ ବିଚାରକୁ ନେବାକୁ ପଡ଼ିଥାଏ?
- ଅକ୍ଷୟ ସାହୁ, କଟକ
ଆପଣଙ୍କୁ ପ୍ରଥମେ ଜାଣିବାକୁ ପଡ଼ିବ ଯେ ଆପଣ ଯେଉଁ ଷ୍ଟକ୍ ଚୟନ କରୁଛନ୍ତି ତାହା କେଉଁ ଶିଳ୍ପ ଅଧୀନରେ ଆସୁଛି। ଯଥା ବ୍ୟାଙ୍କ, ଆଇଟି, ଅଟୋମୋବାଇଲ୍ ନା ଧାତବ ନା ଆଉ କିଛି। ତାହା ଜାଣିବା ପରେ ସେହି ଶିଳ୍ପର ଭବିଷ୍ୟତ ଗତି କେଉଁ ଆଡ଼କୁ ଯାଉଛି ତାହା ପରଖିବାକୁ ପଡ଼ିବ। ସେହି ଶିଳ୍ପର ଅଭିବୃଦ୍ଧି ସମ୍ଭାବନା ଜାଣିବାକୁ ପଡ଼ିବ। ଏହାପରେ ଆପଣ ଜାଣିପାରିବେ ଯେ ସେହି ଶିଳ୍ପରେ କେଉଁ ଷ୍ଟକ୍ ଭଲ ପ୍ରଦର୍ଶନ କରୁଛନ୍ତି। ସାଧାରଣତଃ ଏକ ନିର୍ଦ୍ଦିଷ୍ଟ ଶିଳ୍ପ କ୍ଷେତ୍ରର ଶ୍ରେଷ୍ଠ କମ୍ପାନିରେ ନିବେଶ କରିବା ବୁଦ୍ଧିମାନର ପରିଚୟ, କାରଣ ସେହି କମ୍ପାନି ତାହାର ପ୍ରତିଦ୍ବନ୍ଦ୍ବୀ ତୁଳନାରେ ଭଲ ଗତିରେ ଆଗକୁ ବଢ଼ୁଛି। ଆମେ ମୌଳିକ ବିଷୟରେ ଚିନ୍ତା କରିବା ବେଳେ ସାଧାରଣତଃ ସୁଲଭ ମୂଲ୍ୟରେ ମିଳୁଥିବା ଏବଂ ସେହି କ୍ଷେତ୍ରର ଅନ୍ୟ କମ୍ପାନିଗୁଡ଼ିକ ତୁଳନାରେ ଅଭିବୃଦ୍ଧିର ସମ୍ଭାବନା ଅଧିକ ଥିବା କମ୍ପାନିଗୁଡ଼ିକୁ ବିଚାରକୁ ନେଇଥାଉ। ଆପଣ କେତେକ ସାଧାରଣ ମାନଦଣ୍ଡ ବିଷୟରେ ବିଚାର କରିପାରିବେ ଯଥା ଆଗାମୀ ଏକ ବର୍ଷର ପି/ଇ, ଇପିଏସ୍, ଅଗାମୀ ବର୍ଷଗୁଡ଼ିକରେ ରାଜସ୍ବ ଓ ଲାଭକୁ ନେଇ କମ୍ପାନିର ଆକଳନ। ଏହା ପରେ ସେହି ମାନଦଣ୍ଡଗୁଡ଼ିକୁ ସେହି କ୍ଷେତ୍ରର ଅନ୍ୟ କମ୍ପାନିଗୁଡ଼ିକର ମାନଦଣ୍ଡ ସହ ତୁଳନା କଲେ ଆପଣ ଭଲ ଷ୍ଟକ୍ କେଉଁଟି ଜାଣିପାରିବେ। ଯଦି ଷ୍ଟକ୍ର ମୂଲ୍ୟ ପ୍ରତିଦ୍ବନ୍ଦ୍ବୀ ସଂସ୍ଥା ତୁଳନାରେ କମ୍ ହୋଇଥିବ ତେବେ ଆପଣ ସେଥିରେ ନିବେଶ କରିପାରିବେ।
ମୋର ବୟସ ୩୦ ବର୍ଷ ଏବଂ ନିକଟରେ ମୁଁ ବିବାହ କରିଛି। ମୁଁ ମ୍ୟୁଚୁଆଲ ଫଣ୍ଡରେ ନିବେଶ ଆରମ୍ଭ କରିପାରିବି କି?
- ସନ୍ତୋଷ ମହାନ୍ତି, ରାଉରକେଲା
ପ୍ରଥମେ ଆପଣ ନିଷ୍ପତ୍ତି ନିଅନ୍ତୁ ଯେ କେତେ ବର୍ଷ ଭିତରେ ଆପଣ କେତେ ପରିମାଣର ପାଣ୍ଠି ଗଠନ କରିବାକୁ ଚାହୁଛନ୍ତି। ମୁଁ ଆଶା କରୁଛି ଯେ ଆପଣ ନିଶ୍ଚିତ ଚାକିରି କରୁଥିବେ ଏବଂ ମାସିକ ରୋଜଗାର ଥିବ। ସାଧାରଣତଃ ନିଜ ଆୟର ୨୦-୩୦ ପ୍ରତିଶତ ରାଶିକୁ ନିବେଶ ଉଦ୍ଦେଶ୍ୟ ଲାଗି ରଖାଯାଇଥାଏ। ମ୍ୟୁଚୁଆଲ ଫଣ୍ଡରେ ନିୟମିତ ନିବେଶ କରିବାର ଶ୍ରେଷ୍ଠ ଉପାୟ ହେଉଛି ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ୍ (ଏସ୍ଆଇପି)। ଆପଣ ଲାର୍ଜ କ୍ୟାପ, ମିଡ୍ କ୍ୟାପ ଓ ସ୍ମଲ କ୍ୟାପ୍ ଭଳି ଫଣ୍ଡଗୁଡ଼ିକ ମଧ୍ୟରୁ ନିଜ ପସନ୍ଦର ଫଣ୍ଡ୍ ଚୟନ କରିପାରିବେ ଏବଂ ସେହି ଫଣ୍ଡଗୁଡ଼ିକରେ ଆପଣଙ୍କ ପାଣ୍ଠି ଆବଣ୍ଟନ କରିପାରିବେ।
ଟ୍ରେଡିଂ ଟ୍ରେଣ୍ଡ୍
/sambad/media/post_attachments/wp-content/uploads/2024/07/gjgdgjgjgj-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)