ନୂଆଦିଲ୍ଲୀ: ପ୍ରଥମ ବନ୍ଦେ ଭାରତ ସ୍ଲିପର ବା ବନ୍ଦେ ସ୍ଲିପର ଟ୍ରେନ୍ର ନିର୍ମାଣ ଶେଷ ହୋଇ ଏବେ ପରୀକ୍ଷଣ ଚାଲିଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି। ଏହା ବନ୍ଦେ ଭାରତ ଟ୍ରେନର ସ୍ଲିପର ସଂସ୍କରଣ। ଅପେକ୍ଷାକୃତ ଭାବେ ଦୂର ଯାତ୍ରା (୭୦୦ରୁ ୧୦୦୦ କିମି)କୁ ଦୃଷ୍ଟିରେ ରଖି ଏହି ଟ୍ରେନ୍ ନିର୍ମାଣ କରାଯାଇଛି। ଭାରତ ଆର୍ଥ ମୁଭର୍ସ ଲିମିଟେଡ (ବିଇଏମ୍ଏଲ୍) ପକ୍ଷରୁ ଏହି ଟ୍ରେନ୍ର ନିର୍ମାଣ କରାଯାଉଛି। ୨୦୨୪-୨୫ ଆର୍ଥିକବର୍ଷ ଶେଷ ସୁଦ୍ଧା ବିଇଏମ୍ଏଲ୍ ୧୦ଟି ଟ୍ରେନ ହସ୍ତାନ୍ତର କରିବା ନେଇ ଯୋଜନା ରହିଛି। ଅନ୍ତର୍ଜାତୀୟ ସ୍ତରରେ ଏଭଳି ଟ୍ରେନର ଗୋଟିଏ ବଗି ନିର୍ମାଣ ପାଇଁ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। କିନ୍ତୁ ଭାରତରେ ଏହାର ଖର୍ଚ୍ଚକୁ ପ୍ରାୟ ୮ରୁ ୯ କୋଟି ମଧ୍ୟରେ ରଖାଯାଇଛି।
ଏହି ଟ୍ରେନ ଚଳାଚଳ କଲେ ଯାତ୍ରୀମାନେ ଦୂର ବାଟକୁ କମ୍ ସମୟରେ ଆରାମ ସହ ଯାତ୍ରା କରିପାରିବେ। ବେଙ୍ଗାଲୁରୁ ସ୍ଥିତ ବିଇଏମ୍ଏଲ୍ରେ ବନ୍ଦେ ଭାରତ ସ୍ଲିପରର ୧୦ଟି ଟ୍ରେନ ବା ୧୬୦ଟି ବଗି ନିର୍ମାଣ କରାଯାଉଛି। ଏହି ଟ୍ରେନରେ ଯାତ୍ରା ଆରାମଦାୟକ ରହିବ। ଏଥିସହିତ ଉକ୍ତ ଟ୍ରେନର ଶବ୍ଦ ମଧ୍ୟ କମ୍ ରହିବ। ସେହିଭଳି ଶୀଘ୍ର ଏହାକୁ ଅଟକାଯାଇ ପାରିବ ଏବଂ ଶୀଘ୍ର ଟ୍ରେନର ଗତିକୁ ବଢ଼ାଯାଇ ପାରିବ।