ବାଧୁଛି ଜିଏସ୍‌ଟି, ସେସ୍‌, ବୀମା, ନୂଆ ଟ୍ରକ୍ କିଣା ବନ୍ଦ

ନୂଆଦିଲ୍ଲୀ: ସରକାରଙ୍କ ନୀତିକୁ ଦେଶର ଦୁଇ ପ୍ରମୁଖ ପରିବହନକାରୀ ସଂଘ ସର୍ବଭାରତୀୟ ପରିବହନ କଲ୍ୟାଣ ସଂଘ (ଏଆଇଟିଡବ୍ଳୁଏ) ଓ ସର୍ବଭାରତୀୟ ମୋଟର ପରିବହନ କଂଗ୍ରେସ (ଏଆଇଏମଟିସି) ଦୃଢ଼ ଭାବେ ସମାଲୋଚନା କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ କାରବାର କରିବା କଷ୍ଟକର ହୋଇପଡ଼ିଥିବାରୁ ସେମାନେ ନୂଆ ଟ୍ରକ୍ କିଣିବାକୁ ବନ୍ଦ କରିଦେଇଥିବା କହିଛନ୍ତି। ଯେଉଁମାନେ ନୂଆ ଟ୍ରକ୍ କିଣିଥିଲେ ସେମାନେ ଋଣ ପରିଶୋଧ କରିବାକୁ ସଂଘର୍ଷ କରୁଛନ୍ତି ବୋଲି ଦୁଇ ସଂଘ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ବଜେଟ୍‌ରେ ଡିଜେଲ୍ ଉପରେ ୨ ଟଙ୍କାର ସେସ୍‌ ଲଗାଯିବା ଏବଂ ଗାଡ଼ି ବୀମା ପ୍ରିମିୟମ୍ ବୃଦ୍ଧି କରାଯିବା ସହିତ ଉଚ୍ଚ ଜିଏସ୍‌ଟି ହାର ପରିବହନକାରୀମାନଙ୍କୁ ବହୁତ ବାଧୁଛି। ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ବେଙ୍ଗାଲୁରୁର ପରିବହନକାରୀ ସଂଘଗୁଡ଼ିକ ଅଗଷ୍ଟରେ ଆଦୌ ନୂଆ ଟ୍ରକ କିଣିବେ ନାହିଁ ବୋଲି କହିଛନ୍ତି।

ଦୁଇ ସଂଘ ପକ୍ଷରୁ କୁହାଯାଇଛି ଯେ, ଜିଏସ୍‌ଟି ହାର ୨୮% କରାଯିବା ପରେ ଟ୍ରକ୍‌ର ଦାମ୍ ବଢ଼ିଯାଇଛି। କେତେକ ପରିବହନକାରୀ ଛଅ ମାସ ପୂର୍ବରୁ ନୂଆ ଟ୍ରକ୍ କିଣିବା ବନ୍ଦ କରିସାରିଲେଣି। ଏହା ପଛର କାରଣ ହେଉଛି ସେମାନଙ୍କ ପାଖରେ ଯେଉଁ ଟ୍ରକ୍ ସବୁ ରହିଛି ତାହାକୁ ଠିକ୍ ଭାବେ ଚଲାଇ ହେଉନି। ନୂଆ ଟ୍ରକ୍ କିଣିବା ଲାଗି ବ୍ୟାଙ୍କ ମଧ୍ୟ ଋଣ ଦେଉନାହାନ୍ତି। ସିଗାରେଟ୍ ଓ ବିଳାସପୂର୍ଣ୍ଣ କାର୍‌ ପାଇଁ ଯେଉଁ ଜିଏସ୍‌ଟି ହାର ତାହା କିଭଳି ଟ୍ରକ୍ ପାଇଁ ଲାଗୁ କରାଗଲା ‌ବୋଲି ପରିବହନକାରୀମାନେ ପ୍ରଶ୍ନ କରିଛନ୍ତି। ପରିବହନକାରୀଙ୍କ ୬୦% ଖର୍ଚ ଡିଜେଲ କିଣିବାରେ ହୋଇଥାଏ। ଡିଜେଲ ଦର ବଢ଼ିବାର ଅର୍ଥ ହେଉଛି ପରିବହନକାରୀଙ୍କ ଖର୍ଚ ବୃଦ୍ଧି। ନଗଦ ଉଠାଣ ଉପରେ ଲଗାଯାଇଥିବା ଟିକସ ମଧ୍ୟ ଅତିରିକ୍ତ ବୋଝ ବୋଲି ପରିବହନକାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର