ଟିକ୍‌ଟକ୍‌କୁ ନିଷିଦ୍ଧ କଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ : ଭାରତ ପରେ ଆମେରିକା ପ୍ରଶାସନ ଚୀନ୍ ଆପ୍ ଟିକ୍‌ଟକ୍‌କୁ ନିଷିଦ୍ଧ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଘୋଷଣା କରିଛନ୍ତି। ଟିକ୍‌ଟକ୍‌ ସମେତ ୱିଚାଟ୍ ନାମକ ଏକ ଏକ ଚୀନ୍ ଆପ୍‌କୁ ମଧ୍ୟ ଆମେରିକା ନିଷିଦ୍ଧ କରିଛି। ଗତ ଜୁନ୍‌ରେ ଭାରତ ଟିକଟକ୍‌ ସମେତ ୫୯ଟି ଚୀନ୍‌ ଆପକୁ ନିଷିଦ୍ଧ କରିଛି। ଜାତୀୟ ନିରାପତ୍ତା ପ୍ରତି ବିପଦ ଥିବା ଦର୍ଶାଇ ଏଗୁଡ଼ିକୁ ନିଷିଦ୍ଧ କରାଯାଇଛି। ସମାନ କାରଣ ପାଇଁ ଆମେରିକା ମଧ୍ୟ ଏହି ଦୁଇଟି ଆପ୍‌କୁ ନିଷିଦ୍ଧ କରୁଛି ବୋଲି ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ନିର୍ଦ୍ଦେଶନାମାରେ କହିଛନ୍ତି। ୪୫ ଦିନ ସମୟ ଏଥିପାଇଁ ଉକ୍ତ ଆପ୍‌ ଦ୍ବୟକୁ ଦିଆଯାଇଛି। ୪୫ ଦିନ ପରେ ଏଗୁଡ଼ିକୁ ନିଷିଦ୍ଧ କରାଯିବ ବୋଲି କୁହାଯାଇଛି। ‘ବିପଦ ବାସ୍ତବ’ ବୋଲି ଟ୍ରମ୍ପ ନିର୍ଦ୍ଦେଶନାମାରେ କହିଛନ୍ତି। ବ୍ୟବହାରକାରୀଙ୍କ ସମ୍ପକରେ ବିପୁଳ ତଥ୍ୟ ମୋବାଇଲ ଆପ୍ଲିକେସନ ମାଧ୍ୟମରେ ସଂଗ୍ରହ କରାଯାଉଛି। ସେସବୁ ତଥ୍ୟ ଚୀନରେ ଶାସନ କରୁଥିବା ରାଜନୈତିକ ଦଳ ‌ଚାଇନିଜ୍ କମ୍ୟୁନିଷ୍ଟ ପାର୍ଟି ହାତରେ ପଡ଼ିବାର ଆଶଙ୍କା ରହିଛି। ଟିକଟକ୍ ‌ପକ୍ଷରୁ ଆମେରିକାର ସରକାରୀ କର୍ମଚାରୀ ଓ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଆଦି ସଂଗ୍ରହ କରାଯାଇ ସେମାନଙ୍କୁ ବ୍ଲାକମେଲ୍ କରାଯିବାର ଆଶଙ୍କା ରହିଛି। ଟିକ୍‌ଟକ୍‌କୁ ନିଷିଦ୍ଧ କରିବା ନିର୍ଦ୍ଦେଶନାମାରେ ଟ୍ରମ୍ପ ଭାରତର ଉଦାହରଣ ଦେଇଥିବାବେଳେ ୱିଚାର୍ଟ ନିଷିଦ୍ଧ ନିର୍ଦ୍ଦେଶନାମାରେ ଭାରତ ଓ ଅଷ୍ଟ୍ରେଲିଆର ଉଦାହରଣ ଦେଇଛନ୍ତି। ଦେଶର ନିରାପତ୍ତାକୁ ସୁରକ୍ଷା ଦେବା ଲାଗି ଆମେରିକା ଆକ୍ରମଣାତ୍ମକ ଆଭିମୁଖ୍ୟ ନେବା ଆବଶ୍ୟକ ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପ ପ୍ରଶାସନର ଏହି ନିଷ୍ପତ୍ତିର ଜବରଦସ୍ତ ପ୍ରଭାବ ୱିଚାଟ୍‌ ଆପ୍‌ର ମୂଳ କମ୍ପାନି ଟେନସେଣ୍ଟର ସେୟାର ମୂଲ୍ୟ ଉପରେ ପଡ଼ିଛି। ଶୁକ୍ରବାର ଟେନସେଣ୍ଟର ବଜାରପୁଞ୍ଜି ୩୦ ନିୟୁତ ଡଲାର ହ୍ରାସ ପାଇଛି।

ସମ୍ବନ୍ଧିତ ଖବର