ଭାରତର ଉଚ୍ଚ ଶୁଳ୍କକୁ ଟ୍ରମ୍ପ୍‌ଙ୍କ ସମାଲୋଚନା

ୱାସିଂଟନ: ଆମେରିକୀୟ ସାମଗ୍ରୀ ଉପରେ ଭାରତ ସମେତ ଚୀନ ଏବଂ ଜାପାନ ଆଦି ଦେଶ ବହୁମାତ୍ରାରେ ଆମଦାନୀ ଶୁଳ୍କ ଆଦାୟ କରୁଛନ୍ତି। ଏନେଇ ଆମରେିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ଏସବୁ ଦେଶକୁ ତୀବ୍ର ସମାଲୋଚନା କରି ଆସୁଛନ୍ତି। ପୂର୍ବରୁ ସେ ଅନେକ ବାର ହାର୍ଲି ଡେଭିଡସନ୍ ବାଇକ୍ ଉପରେ ଆଦାୟ କରାଯାଉଥିବା ଟିକସକୁ ଉଦାହରଣ ଭାବେ ଦର୍ଶାଉଥିବାବେଳେ ଏବେ କାଗଜର ଆମଦାନୀ ଉପରେ ଭାରତ ଆଦାୟ କରୁଥିବା ଶୁଳ୍କକୁ ଦର୍ଶାଇଛନ୍ତି। କାଗଜ ଏବଂ କାଗଜ ତାତୀୟ ଉତ୍ପାଦ ଉପରେ ଭାରତ ଅଧିକ ପରିମାଣର ଆମଦାନୀ ଶୁଳ୍କ ଲଗାଉଛି ବୋଲି ‌ଟ୍ରମ୍ପ ଅଭିଯୋଗ କରିଛନ୍ତି। ଟ୍ରମ୍ପ କହିଛନ୍ତି, ଆମେ ବିଦେଶରୁ କାଗଜ ଏବଂ କାଗଜରେ ପ୍ରସ୍ତୁତ ଉତ୍ପାଦ ଆମଦାନୀ କରିବାବେଳେ ଆଦୌ ଟିକସ ନେଇ ନଥାଉ। କିନ୍ତୁ ଆମେରିକୀୟ କମ୍ପାନି ଏସବୁ ସାମଗ୍ରୀ ରପ୍ତାନି କରିବା ବେଳେ ଅନ୍ୟ ଦେଶ ଗୁଡ଼ିକ ଏହା ଉପରେ ବିପୁଳ ଟିକସ ଲାଗୁ କରୁଛନ୍ତି। ୱିସକନସିନ୍ ପ୍ରଦେଶରେ ଏକ ନିର୍ବାଚନୀ ସଭାରେ ଟ୍ରମ୍ପ ଏହା କହିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୮ରେ ଭାରତ ଆମେରିକାରୁ ୧.୦୮ ବିଲିଅନ ଡଲାର ମୂଲ୍ୟର କାଗଜ ମଣ୍ଡ, ପେପରବୋର୍ଡ, ଛାପା ବହି, ନ୍ୟୁଜପ୍ରିଣ୍ଟ୍ ଆଦି ଆମଦାନୀ କରିଛି। ଏତଦବ୍ୟତୀତ ୨୦୧୮ରେ ଆମେରିକାକୁ ଭାରତର ରପ୍ତାନି ୧୨% ବୃଦ୍ଧି ଘଟି ୫୧.୪ ବିଲିଅନ ଡଲାରରେ ପହଞ୍ଚିଥିବାବେଳେ ଆମେରିକାରୁ ଭାରତର ଆମଦାନୀ ୩୭.୫% ବୃଦ୍ଧି ଘଟି ୩୪.୧ ବିଲିଅନ ଡଲାର ରହିଛି। ଏଥିଯୋଗୁ ଆମେରିକା ସହ ଭାରତର ବାଣିଜ୍ୟ ବଳକା କମି ୧୭.୩ ବିଲିଅନ ଡଲାର ରହିଛି। ତେ‌ବେ ଭାରତକୁ ଟ୍ରମ୍ପ ଦେଇଥିବା ଟିକସ ରାଜା ଆଖ୍ୟାକୁ ଭାରତ ତୀବ୍ର ବିରୋଧ କରି ଆସୁଛି। ଡବ୍ଲ୍ୟୁଟିଓର ନିୟମ ଅନୁଯାୟୀ ଭାରତ ଶୁଳ୍କ ଲାଗୁ କରୁଛି ବୋଲି କହୁଛି।

ସମ୍ବନ୍ଧିତ ଖବର