ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦୦ ପ୍ରତିଶତ ଟିକସ ଲଗାଇବା ଉପରେ ବିଚାର କରୁଛନ୍ତି। ରୁଷ୍‌ରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ସେ ଖପ୍ପା ଅଛନ୍ତି। ସେଭଳି ଦେଶଗୁଡ଼ିକ ଉପରେ ୫୦୦ ପ୍ରତିଶତ ଟିକସ ଲଗାଇବା ଲାଗି ପ୍ରସ୍ତୁତ କରାଯାଇଥିବା ଏକ ଆଇନକୁ ସେ ସମର୍ଥନ କରୁଛନ୍ତି। ଯଦି ତାହା ଲାଗୁ ହେବ ତେବେ ଭାରତ ଓ ଚୀନ୍ ସର୍ବାଧିକ ପ୍ରଭାବିତ ହେବେ।

Advertisment

ଏହି ଆଇନ ସମ୍ପର୍କରେ ଟ୍ରମ୍ପ କହିଛନ୍ତି ଯେ ମୁଁ ବର୍ତ୍ତମାନ ତାହାକୁ ଦେଖୁଛି। ତାକୁ ଲାଗୁ କରିବା କିମ୍ବା ପ୍ରତ୍ୟାଖ୍ୟାନ କରିବା, ସମ୍ପୂର୍ଣ୍ଣ ରୂପେ ମୋ ଉପରେ ନିର୍ଭର କରୁଛି। ଟ୍ରମ୍ପ ଏଭଳି ଏକ ସମୟରେ ଏହି ବାର୍ତ୍ତା ଦେଇଛନ୍ତି, ଯେତେବେଳେ ସେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ତାଙ୍କୁ ପାନେ ଦେବା ଲାଗି ସେ ସୁଯୋଗ ଖୋଜୁଛନ୍ତି। ପୁଟିନଙ୍କୁ ବୁଦ୍ଧି ଶିଖାଇବା ବାହାନାରେ ଯଦି ସେ ଏହି ନିୟମକୁ ଲାଗୁ କରିବେ ତେବେ ଭାରତ ଉପରେ ୫୦୦ ପ୍ରତିଶତ ଟିକସ ଲାଗିବାର ବିପଦ ରହିବ।

ଅନ୍ୟ ପକ୍ଷରେ ଜୁନ୍ ୯ ସମୟ ସୀମା ଶେଷ ହୋଇଯାଇଥିଲେ ମଧ୍ୟ ଭାରତ ଓ ଆମରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ହୋଇପାରିନାହିଁ। ଆସନ୍ତା ଅଗଷ୍ଟ ୧ରୁ ଲାଗୁ ହେବାକୁ ଥିବା ଶୁଳ୍କ ସମ୍ପର୍କରେ ଟ୍ରମ୍ପ ପ୍ରଶାସନ ବିଭିନ୍ନ ଦେଶକୁ ପତ୍ର ଆକାରରେ ଜଣାଉଛି। ଭାରତକୁ ସେଭଳି ପତ୍ର ଏପର୍ଯ୍ୟନ୍ତ ପଠାଯାଇନାହିଁ। ତେଣୁ ଭାରତକୁ ନେଇ ଟ୍ରମ୍ପଙ୍କ ଆଭିମୁଖ୍ୟ କ’ଣ ରହିଛି, ତାହା ଆକଳନ କରାଯାଇପାରୁନାହିଁ। ସମୟ ସୀମା ଶେଷ ହେବା ପରେ ମଧ୍ୟ ଉଭୟ ପକ୍ଷ ଆଲୋଚନା ଜାରି ରଖିବେ। ଅଧିକ ଆଲୋଚନା ପାଇଁ ଖୁବ୍‌ଶୀଘ୍ର ଭାରତର ଏକ ପ୍ରତିନିଧି ଦଳ ଆମେରିକା ଗସ୍ତ କରିବ।

ଚଳିତ ବର୍ଷ ଏପ୍ରିଲ୍‌ ୨ରେ ମୁକ୍ତି ଦିବସ ଘୋଷଣାରେ ଟ୍ରମ୍ପ ଭାରତ ଉପରେ ୨୬ ପ୍ରତିଶତ ପାଲଟା ଟିକସ ଲଗାଇଥିଲେ। ନିର୍ବାଚନ ପ୍ରଚାର ସମୟରୁ ସେ ଭାରତକୁ ଏକ ଚଢ଼ା ଟିକସ ଲଗାଉଥିବା ଦେଶ ଭାବେ ଦେଖୁଛନ୍ତି। ବିଶେଷ କରି ଗାଡ଼ି ଉପରେ ଭାରତ ଲଗାଇଥିବା ଟିକସକୁ ସେ ନାପସନ୍ଦ କରୁଛନ୍ତି। ପାଲଟା ଟିକସକୁ ସେ ତିନି ମାସ ପାଇଁ ଟାଳି ଦେଇଥିଲେ ଓ ସେହି ସମୟ ଭିତରେ ବାଣିଜ୍ୟ ରାଜିନାମା କରିବା ଲାଗି କଥାବାର୍ତ୍ତା କରିବାକୁ ବିଭିନ୍ନ ଦେଶକୁ ସୁଯୋଗ ଦେଇଥିଲେ। ଭାରତ ସରକାର ନିଜ ଆଡ଼କୁ ସବୁ ପ୍ରକାର ଉଦ୍ୟମ କରିବା ସତ୍ତ୍ବେ ରାଜିନାମା ହୋଇପାରିନାହିଁ। ଭାରତ ଉପରେ ଟ୍ରମ୍ପ ପ୍ରଶାସନ ଚାପ ପକାଇବାକୁ ଉଦ୍ୟମ କରୁଛି। ଏହାର କୃଷିଜାତ ଓ ଦୁଗ୍ଧଜାତ ସାମଗ୍ରୀ ପାଇଁ ବଜାର ଖୋଲିବାକୁ କହୁଛି। କିନ୍ତୁ ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଚାଷୀ ଓ ଅର୍ଥନୈତିକ ସ୍ବାର୍ଥ ପ୍ରତି କୌଣସି ପ୍ରକାର ସାଲିସ ହେବନାହିଁ।