ଭାରତୀୟ ସିଇଓଙ୍କୁ ଭେଟିଲେ ଟ୍ରମ୍ପ୍, କହିଲେ ଭାରତ ସହ ବାଣିଜ୍ୟ ଆଲୋଚନା ଚାଲିଛି

ଆମେରିକାରେ ନିବେଶ କରିବାକୁ ଡାକିଲେ, ପୁଣି ଭାରତର ଚଢ଼ା ଟିକସ କଥା ଉଠାଇଲେ

ନୂଆଦିଲ୍ଲୀ: ଆମେରିକାରେ ପୁଞ୍ଜି ନିବେଶ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଭାରତୀୟ ଉଦ୍ୟୋଗୀମାନଙ୍କୁ ଆଜି ଆହ୍ବାନ କରିଛନ୍ତି। ଦେଶର ପ୍ରମୁଖ କମ୍ପାନିର ସିଇଓ ଓ ବିଶିଷ୍ଟ ଶିଳ୍ପପତିମାନଙ୍କ ସହିତ ଭାବବିନିମୟ ପାଇଁ ଆମେରିକାର ରା‌ଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ବୈଠକରେ ଟ୍ରମ୍ପ ନିଜ ଦେଶଲାଗି ପୁଞ୍ଜିନିବେଶ ଯୋଗାଡ଼ କରିବାକୁ ଉଦ୍ୟମ କରିଥିଲେ। ଭାରତୀୟ ଉଦ୍ୟୋଗୀମାନଙ୍କ ବିଶ୍ବାସ ଜିତିବା ଲାଗି ସେ ସବୁ ପ୍ରକାର ସହଯୋଗ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଯେଉଁମାନେ ଆମେରିକାରେ ନିବେଶ କରିବାକୁ ଚାହୁଛନ୍ତି ସେମାନେ ଏକ ଅନୁକୂଳ ବାତାବରଣ ପାଇପାରିବେ ବୋଲି ସେ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି।

ଅନ୍ୟପକ୍ଷରେ ଭାରତୀୟ ଉଦ୍ୟୋଗୀମାନେ ସେମାନଙ୍କ ବ୍ୟବସାୟ ଓ ନିବେଶ ସମ୍ପର୍କରେ ଟ୍ରମ୍ପଙ୍କୁ ଅବଗତ କରାଇଥିଲେ। ଉଦ୍ୟୋଗ କ୍ଷେତ୍ରରେ ସଫଳତା ପାଇଁ ଟ୍ରମ୍ପ ଉଦ୍ୟୋଗୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିସହିତ ସେମାନେ ଆମେରିକାରେ ଅଧିକରୁ ଅଧିକ ପୁଞ୍ଜି ନିବେଶ କରିବେ ବୋଲି ଆଶାବ୍ୟକ୍ତ କରିଥିଲେ। ଟ୍ରମ୍ପ କହିଥିଲେ ମୁଁ ନିବେଶକୁ କେବଳ ବିଲିଅନ ଆକାରରେ ନୁହେଁ, ବରଂ ନିଯୁକ୍ତି ହିସାବରେ ଦେଖେ । ଭାରତ ସହିତ ବାଣିଜ୍ୟ ରାଜିନାମା ନେଇ କଥାବାର୍ତ୍ତା ଚାଲିଛି ବୋଲି ଟ୍ରମ୍ପ ଏହି ଅବସରରେ କହିଥିଲେ ମଧ୍ୟ ଏ ନେଇ ଅଧିକ କିଛି ସୂଚନା ଦେଇ ନଥିଲେ। ଭାରତରେ ୪ଜି ଟେଲିକମ୍ ସେବା ଓ ଶକ୍ତି ‌କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଟ୍ରମ୍ପ ମୁକେଶ ଅମ୍ବାନିଙ୍କ ପ୍ରଶଂସା କରିଥିଲେ। ଏଥିସହିତ ତାଙ୍କ ଟିକସ ଅନୁକୂଳ ଦେଶରେ ଅଧିକ ନିବେଶ ପାଇଁ ମୁକେଶଙ୍କୁ ଆହ୍ବାନ କରିଥିଲେ। ଆଜିର ସିଇଓ ବୈଠକରେ ଯୋଗଦେଇଥିବା ଭାରତୀୟ ଶିଳ୍ପପତି ଓ ଶିଳ୍ପଜଗତର ପ୍ରତିନିଧିଙ୍କ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ସମେତ ମହିନ୍ଦ୍ରା ଗ୍ରୁପ୍ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଟାଟା ସନ୍ସ ଅଧ୍ୟକ୍ଷ ଏନ. ଚନ୍ଦ୍ର‌ଶେଖରନ୍ ଏବଂ ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲା ପ୍ରମୁଖ ଉପସ୍ଥିତ ଥିଲେ।
ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ୍ ପୁଣି ଥରେ ଭାରତର ଚଢ଼ା ଟିକସ କଥା ଉଠାଇଥିଲେ। ସମ୍ଭବତଃ ଭାରତ ସର୍ବାଧିକ ଟିକସ ଆଦାୟ କରୁଛି ବୋଲି ସେ କହିଛନ୍ତି। ହାର୍ଲି ଡାଭିଡସନ୍ ବାଇକ୍ ଉପରେ ଭାରତ ଲଗାଇଥିବା ଟିକସକୁ ନେଇ ସେ ଦୀର୍ଘଦିନରୁ ଉଦବେଗ ପ୍ରକାଶ କରିଥିଲେ। ଏହା ଅନ୍ୟାୟ ଓ ଏହାକୁ ନେଇ ଆମେ ଆଲୋଚନା ଜାରି ରଖିଛୁ ବୋଲି ଟ୍ରମ୍ପ୍ କହିଛନ୍ତି।

 

ସମ୍ବନ୍ଧିତ ଖବର