ଭିସା କଟକଣା ଲଗାଇଲେ ଟ୍ରମ୍ପ, ପ୍ରଭାବିତ ହେବେ ଭାରତୀୟ

ଡିସେମ୍ବର ୩୧ ଯ‌ାଏଁ ମିଳିବନି ଏଚ୧-ବି, ଏଚ୍‌-୪ ଓ ଏଲ୍‌-୧ ଭିସା

ୱାସିଂଟନ: କରୋନା ମହାମାରୀ କାରଣରୁ ଲକ୍ଷ ଲକ୍ଷ ଆମେରିକୀୟ ସେମାନଙ୍କ ଚାକିରି ହରାଉଥିବାରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଦେଶୀଙ୍କ ନିଯୁକ୍ତି ପାଇଁ ରହିଥିବା ବିଭିନ୍ନ ପ୍ରକାର ଭିସା ଉପରେ ଚଳିତବର୍ଷ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ କଟକଣା ଲଗାଇ ଦେଇଛନ୍ତି। ଟ୍ରମ୍ପଙ୍କ ଘୋଷଣା ଅନୁଯାୟୀ ଚଳିତବର୍ଷ ଶେଷ ପର୍ଯ୍ୟନ୍ତ ଆମେରିକାରେ କୌଣସି ବିଦେଶୀଙ୍କୁ ଚାକିରି ପାଇଁ ବିଭିନ୍ନ ପ୍ରକାର ଭିସା ପ୍ରଦାନ କରାଯିବ ନାହିଁ। ସେହି ଭିସା ଗୁଡ଼ିକ ମଧ୍ୟରେ ଏଚ୍-୧ବି, ଏଚ୍‌-୪, ଏଲ-୧ ଆଦି ରହିଛି। ଟ୍ରମ୍ପ ସୂଚନା ଦେଇଛନ୍ତି, ଯେଉଁସବୁ ପ୍ରମୁଖ କ୍ଷେତ୍ରରେ କମ୍ପାନି ଗୁଡ଼ିକ ଏଚ-୧ବି ଓ ଏଲ ଭିସା ଅନୁମତି ମାଗୁଛନ୍ତି ସେସବୁରେ ଚଳିତବର୍ଷ ଫେବ୍ରୁଆରିରୁ ଏପ୍ରିଲ ମଧ୍ୟରେ ୨ କୋଟିରୁ ଅଧିକ ଆମେରିକୀୟ ଚାକିରି ହରାଇଛନ୍ତି। ଏଚ୧-ବି, ଏଚ-୨ବି, ଜେ ଓ ଏଲ୍‌ ଆଦି ବର୍ଗର ଭିସା ଯୋଗୁଁ କରୋନା ମହାମାରୀ ଦ୍ବାରା ପ୍ରଭାବିତ ହୋଇଥିବା ଆମେରିକୀୟ କର୍ମଚାରୀଙ୍କ ପ୍ରତି ବିପଦ ଦେଖାଦେଇଛି । ଚଳିତମାସ ୨୪ ତାରିଖରୁ ଏହି ନୂଆ ନିୟମ ଆମେରିକା କାର୍ଯ୍ୟକାରୀ କରିଛି। ଉପରୋକ୍ତ ଭିସାରେ ଆମେରିକୀୟ କମ୍ପାନି ଗୁଡ଼ିକ ବିଦେଶରୁ କର୍ମଚାରୀ ଆଣି ନିଯୁକ୍ତି ଦେଇଥାନ୍ତି। ଆମେରିକୀୟଙ୍କ ତୁଳନାରେ ବିଦେଶୀଙ୍କୁ କମ୍ ବେତନରେ‌ ସେମାନେ ନିଯୁକ୍ତି ଦେଇଥାନ୍ତି। ଫଳରେ ସେମାନଙ୍କ ଦରମା ବାବଦ ଖର୍ଚ୍ଚ କମ୍ ରହିଥାଏ।

ଆମେରିକା ବର୍ଷକୁ ୮୫ ହଜାର ବିଦେଶୀ କର୍ମଚାରୀଙ୍କୁ ଏଚ୧-ବି ଭିସାରେ ଆମେରିକାରେ କାମ କରିବାକୁ ଅନୁମତି ପ୍ରଦାନ କରିଥାଏ। ୮୫ ହଜାର ଭିସାରୁ ପ୍ରାୟ ୭୦ ପ୍ରତିଶତ ଭିସା ଭାରତୀୟମାନେ ହାତେଇଥାନ୍ତି। ଭାରତର ଆଇଟି କମ୍ପାନି ଗୁଡ଼ିକର କର୍ମଚାରୀ ଉକ୍ତ ଭିସାରେ ଆମେରିକା ଯାଇଥାନ୍ତି। ଟ୍ରମ୍ପଙ୍କ କଟକଣା ଦ୍ବାରା ଏହି ଭିସାରେ କୌଣସି ବିଦେଶୀ ଚଳିତବର୍ଷ ଶେଷ ପର୍ଯ୍ୟନ୍ତ ଆମେରିକାରେ କାର୍ଯ୍ୟ କରିବା ସୁଯୋଗ ପାଇବେ ନାହିଁ। ଏପରିକି ଯେଉଁ କର୍ମଚାରୀଙ୍କ ନିକଟରେ ଏହି ଭିସା ବର୍ତ୍ତମାନ ରହିଛି ଏବଂ ସେମାନେ ଆମେରିକା ବାହାରେ ଅଛନ୍ତି ସେମାନେ ଆମେରିକାକୁ ଫେରିବାକୁ ସମର୍ଥ ହେବେ ନାହିଁ। ବିଭିନ୍ନ ପ୍ରକାର ଭିସାରେ ଆମେରିକାରେ ନିଯୁକ୍ତି ପାଇଁ ଯାଉଥିବା ଲକ୍ଷାଧିକ ଭାରତୀୟ ଟ୍ରମ୍ପଙ୍କ କଟକଣାରେ ପ୍ରଭାବିତ ହେବେ। ତେବେ ଆଶ୍ବାସନାର ବିଷୟ ହେଲା ‌ଯେଉଁମାନେ ଏବେ ଆମେରିକାରେ ଏବେ ଉକ୍ତ ଭିସାରେ କାମ କରୁଛନ୍ତି ସେମାନଙ୍କର କୌଣସି ଅସୁବିଧା ହେବନାହିଁ। ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ ଆମେରିକାର ଆଇଟି ଓ ପ୍ରଯୁକ୍ତି କମ୍ପାନି ଗୁଡ଼ିକ କଡ଼ା ସମାଲୋଚନା କରିଛନ୍ତି। ଟ୍ରମ୍ପଙ୍କ ନିଷ୍ପତ୍ତି ଯୋଗୁଁ ଆମେରିକାରେ ନୂଆ ଉଦ୍ଭାବନ ପ୍ରଭାବିତ ହେବା ସହିତ ଅର୍ଥନୀତିରେ ସୁଧାର ଆସିବା ବିଳମ୍ବ ହେବ ବୋଲି ସମାଲୋଚକମାନେ ମତ ଦେଇଛନ୍ତି। ଅନ୍ୟପଟେ ଭାରତର ଆଇଟି ଓ ସଫ୍ଟଓୟାର ସଂଘ ନାସକମ୍ ଉକ୍ତ ଭିସା କଟକଣା ଅବଧିକୁ ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ନରଖି ୯୦ ଦିନ ପାଇଁ ରଖିବାକୁ ମତ ଦେଇଛି।

ଆମେରିକାର ପ୍ରଯୁକ୍ତି କମ୍ପାନି ଅଧିକ କ୍ଷତି ସହିବେ
ଟ୍ରମ୍ପଙ୍କ ଭିସା କଟକଣା ନିଷ୍ପତ୍ତି ଫଳରେ ଭାରତର ଆଇଟି ସେବା ପ୍ରଦାନକାରୀ କମ୍ପାନିଙ୍କ ତୁଳନାରେ ଆମେରିକାର ପ୍ରଯୁକ୍ତି କମ୍ପାନି ଗୁଡ଼ିକ ଅଧିକ କ୍ଷତି ସହିବେ। ଆମେରିକାର ପ୍ରଯୁକ୍ତି କମ୍ପାନି ଗୁଗୁଲ୍‌, ଆମାଜନ, ଫେସବୁକ୍ ଓ ମାଇକ୍ରୋସଫ୍ଟ ଆଦି ଏସବୁ ଭିସାରେ ଅଧିକରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରୁଛନ୍ତି। ୨୦୧୯ ଆର୍ଥିକ ବର୍ଷରେ ଏଚ୧-ବି ଭିସାରେ ଅଧିକ କର୍ମଚାରୀ ନିଯୁକ୍ତି ଦେଇଥିବା ଶୀର୍ଷ ୧୦ଟି କମ୍ପାନି ମଧ୍ୟରେ ଆମେରିକାର ୭ଟି କମ୍ପାନି ଅଛନ୍ତି। ଏଚ-୧ ବି ଭିସାରେ ନିଯୁକ୍ତି ଦେଇଥିବା ଶୀର୍ଷ ୧୦ଟି କମ୍ପାନି ମଧ୍ୟରେ ଭାରତୀୟ କମ୍ପାନିଙ୍କ ଅଂଶ ୨୦୧୬ରେ ୫୧ ପ୍ରତିଶତ ଥିବାବେଳେ ୨୦୧୯ରେ ଏହା ୨୪ ପ୍ରତିଶତକୁ ହ୍ରାସ ପାଇଛି।

ଟ୍ରମ୍ପଙ୍କ ଘୋଷଣା ଆମକୁ ହତାଶ କରିଛି: ପିଚାଇ
ଟ୍ରମ୍ପଙ୍କ ଭିସା କଟକଣା ଆମକୁ ହତାଶ କରିଛି ବୋଲି କହିଛନ୍ତି ଗୁଗୁଲ ଏବଂ ଆଲଫାବେଟ୍‌ର ସିଇଓ ସୁନ୍ଦର ପିଚାଇ। ଆମେରିକା ଅର୍ଥନୀତିର ସଫଳତାରେ ବିଦେଶୀ କର୍ମଚାରୀଙ୍କ ଯଥେଷ୍ଟ ଯୋଗଦାନ ରହିଛି। ପ୍ରଯୁକ୍ତି କ୍ଷେତ୍ରରେ ଆମେରିକା ଏଥିଯୋଗୁଁ ବିଶ୍ବରେ ଅଗ୍ରଣୀ ସ୍ଥାନ ହାସଲ କରିପାରିଛି। ଗୁଗୁଲ୍ ମଧ୍ୟ ଆଜି ଏଭଳି ସ୍ଥାନକୁ ଉଠିପାରିଛି। ଆଜିର ଘୋଷଣା ଆମକୁ ନିରାଶ କରିଛି। ଆମେ ବିଦେଶୀ କର୍ମଚାରୀଙ୍କ ସହ ରହିବୁ ଏବଂ ସମସ୍ତଙ୍କୁ ସୁଯୋଗ ଦେବା ପାଇଁ କାର୍ଯ୍ୟ କରିବୁ ବୋଲି ପିଚାଇ କହିଛନ୍ତି। ଆମାଜନ୍ ଓ ଟ୍ବିଟର ପକ୍ଷରୁ ମଧ୍ୟ ଟ୍ରମ୍ପ୍‌ଙ୍କ ନିଷ୍ପତ୍ତିକୁ ସମାଲୋଚନା କରାଯାଇଛି।

ସମ୍ବନ୍ଧିତ ଖବର