ନୂଆଦିଲ୍ଲୀ: ଦଶଟି ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ରକୁ ନେଇ ଗଠିତ ‘ବ୍ରିକ୍ସ’ ସମୂହକୁ ଟାର୍ଗେଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହାକୁ ସେ ଆମେରିକା ବିରୋଧୀ କହିବା ସହ ବ୍ରିକ୍ସକୁ ସମର୍ଥନ କରୁଥିବା ରାଷ୍ଟ୍ରଗୁଡ଼ିକ ଉପରେ ୧୦ ପ୍ରତିଶତ ଅଧିକ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି। ସେତିକିରେ ସେ ଅଟକି ନାହାନ୍ତି। ଯଦି ଡଲାରର କୌଣସି ବିକଳ୍ପ ମୁଦ୍ରା ବିଷୟରେ କେହି ବିଚାର ବି କରିବେ, ସେମାନଙ୍କ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଯିବ ବୋଲି ସେ କହିଛନ୍ତି। ବିଶ୍ବ ଆର୍ଥିକ ଭିତ୍ତିଭୂମିରେ ରହିଥିବା ଆଧିପତ୍ୟକୁ ଆମେରିକା ଏକ ଅସ୍ତ୍ର ଭାବେ ବିଭିନ୍ନ ଦେଶ ବିରୋଧରେ ବ୍ୟବହାର କରୁଛି। ୨୦୧୨ରେ ଇରାନ ଓ ୨୦୨୨ରେ ରୁଷ୍ ବିରୋଧରେ ସେହି ଅସ୍ତ୍ର ପ୍ରୟୋଗ କରାଯାଇଥିଲା। ସେଥିପାଇଁ ରୁଷ୍ ଓ ଚୀନ୍ ଏବେ ନିଜ ଦେଶର ମୁଦ୍ରାରେ କାରବାର କରିବାକୁ ଗୁରୁତ୍ବ ଦେଉଛନ୍ତି। ସମଗ୍ର ବିଶ୍ବରେ ହେଉଥିବା କାରବାରରେ ମୁଖ୍ୟତଃ ଆମେରିକୀୟ ଡଲାର ବ୍ୟବହୃତ ହୋଇଥାଏ। ତାହାର ଫାଇଦା ଉଠାଇ ଆମେରିକା ଏବେ ବ୍ରିକ୍ସ ସମୂହରେ ଥିବା ଦେଶଗୁଡ଼ିକୁ ବ୍ଲାକ୍ମେଲ୍ କରୁଛି।
ଆମେ ମୁହାଁମୁହିଁ ହେବାକୁ ଚାହୁନୁ: ଚୀନ୍
ବେଜିଂ: ଆମେରିକା ଶୁଳ୍କ ଧମକର ଜବାବ ଦେଇଛି ବ୍ରିକ୍ସ ରାଷ୍ଟ୍ରମାନେ ମୁହାଁମୁହିଁ ହେବାକୁ ଚାହୁନାହାନ୍ତି ବୋଲି ଚୀନ୍ କହିଛି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ସୋମବାର କହିଛି ଯେ ଶୁଳ୍କ କାହା ହିତରେ ନୁହେଁ’ ଏବଂ ଶୁଳ୍କକୁ ରାଜନୈତିକ ଚାପର ମାଧ୍ୟମ ଭାବେ ବ୍ୟବହାର କରାଯିବାକୁ ବେଜିଂ ବିରୋଧ କରେ। ଅନ୍ୟମାନଙ୍କୁ ବାଧ୍ୟ କରିବା ପାଇଁ ଶୁଳ୍କକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଥିବାରୁ ଆମେ ଏହାକୁ ବିରୋଧ କରୁଛୁ ବୋଲି ମନ୍ତ୍ରଣାଳୟ କହିଛି। ବ୍ରିକ୍ସ ପ୍ରତିଦ୍ୱନ୍ଦ୍ୱିତା ନୁହେଁ, ସହଯୋଗ ଓ ଅନ୍ତର୍ଭୁକ୍ତୀକରଣ ବିକାଶ ଉପରେ ଗୁରୁତ୍ୱ ଦେଉଛି ବୋଲି ଚୀନ୍ କହିଛି। ଆମେରିକା ନେତୃତ୍ବାଧୀନ ଶୁଳ୍କ ବ୍ୟବସ୍ଥାକୁ ସମାଲୋଚନା କରୁଥିବା ବ୍ରିକ୍ସ ଘୋଷଣାନାମାକୁ ଭାରତ ସମର୍ଥନ କରିବା ପରେ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆରେ ୧୦ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବା ଧମକ ଦେଇଥିଲେ।
ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ରାଜିଲ, ରୁଷ୍, ଭାରତ, ଚୀନ୍ ଓ ଦକ୍ଷିଣ ଆଫ୍ରିକାକୁ ନେଇ ‘ବ୍ରିକ୍ସ’ର ପରିକଳ୍ପନା କରାଯାଇଥିଲା। ପରବର୍ତ୍ତୀ ସମୟରେ ସେଥିରେ ଇଜିପ୍ଟ, ଇଥିଓପିଆ, ଇରାନ, ୟୁଏଇ ଓ ଇଣ୍ଡୋନେସିଆ ଯୋଡ଼ିହୋଇଛନ୍ତି। ବ୍ରିକ୍ସ ଅଧୀନରେ ବିଶ୍ବର ୪୫ ପ୍ରତିଶତ ଲୋକ ବାସ କରୁଥିବା ବେଳେ ବିଶ୍ବ ଅର୍ଥନୀତି ୩୫ ପ୍ରତିଶତ ଭାଗ ଏହି ଦେଶଗୁଡ଼ିକ ଅଧୀନରେ ରହିଛି। ନିଜ ଭିତରେ କାରବାର ଲାଗି ଏକ ସ୍ବତନ୍ତ୍ର ମୁଦ୍ରା ବିକାଶ କରିବା ଲାଗି ୨୦୨୨ରେ ରୁଷ୍ ଏକ ପ୍ରସ୍ତାବ ଦେଇଥିଲା। ତାହାକୁ ଆମେରିକା ଡଲାରର ବିକଳ୍ପ ଭାବେ ବିଚାର କରି ବିରୋଧ କରୁଛି।