ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ (ଟାରିଫ୍‌) ଲଗାଇଥିବାରୁ ଆମେରିକାକୁ ଜିନିଷ ପଠାଉଥିବା ରପ୍ତାନିକାରୀମାନଙ୍କ କାବରାର ପ୍ରଭାବିତ ହେବା ଆଶଙ୍କା କରାଯାଉଛି। ଶୁଳ୍କ ବଢ଼ିଥିବାରୁ ଭାରତୀୟ ଜିନିଷ ରପ୍ତାନି କରିବାକୁ ଅନେକ ଆହ୍ବାନ ଦେଖାଦେବ। ବିଶେଷ କରି ଫାର୍ମା, ବୟନ, ଅଟୋ ଯନ୍ତ୍ରାଂଶ କ୍ଷେତ୍ରଅଧିକ ପ୍ରଭାବିତ ହେବ  ବୋଲି ବିଶେଷଜ୍ଞମାନେ କହିଛନ୍ତି। 

Advertisment

ବିଶେଷଜ୍ଞମାନେ କହିଛନ୍ତି ଯେ ଆମେରିକାକୁ ଜିନିଷ ପଠାଉଥିବା ଭିଏତ୍‌ନାମ, ଇଣ୍ଡୋନେସିଆର ରପ୍ତାନିକାରୀମାନଙ୍କ ସହ ଭାରତୀୟ ରପ୍ତାନିକାରୀମାନେ ପ୍ରତିଦ୍ବନ୍ଦ୍ବିତା କରିବା କଷ୍ଟକର ହେବ। ଔଷଧ ଓ ଅନ୍ୟାନ୍ୟ ଫାର୍ମା ସାମଗ୍ରୀ, ଅଟୋ ଯନ୍ତ୍ରାଂଶ, ସୁନା ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ରପ୍ତାନି କରିବା ସହଜ ହେବ ନାହିଁ। ତେବେ କିଛି ବିଶେଷଜ୍ଞ କହିଛନ୍ତି ଯେ ଦୁଇ ଦେଶ ଭିତରେ ଦ୍ବିପାକ୍ଷିକ କାରବାର ଏତେ ଅଧିକ ନ ଥିବାରୁ ଏହି ଶୁଳ୍କ ଭାରତକୁ ମାତ୍ରାଧିକ ପ୍ରଭାବିତ କରିପାରିବ ନାହିଁ।

ବଜାର ବିଶେଷଜ୍ଞ ସୁନିଲ ସୁବ୍ରମଣ୍ୟମ କହିଛନ୍ତି ଯେ ଆମେରିକା ପକ୍ଷରୁ ଭିଏତନାମ୍‌ ଉପରେ ୨୦ ଓ ଇଣ୍ଡୋନେସିଆ ଉପରେ ୧୯ ପ୍ରତିଶତ ଟିକସ ଲଗାଯାଇଛି। ଏହି ଦୁଇ ଦେଶ ତୁଳନାରେ ଭାରତ ଉପରେ ଅଧିକ ଟିକସ ଲଗାଯାଇଛି। ତେଣୁ ଭାରତୀୟ ନିର୍ମାତାମାନଙ୍କୁ ଜାପାନ ଓ କୋରିଆର ରପ୍ତାନିକାରୀଙ୍କ ସହ ସିଧାସଳଖ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡ଼ିବ, ଯାହା ସହଜ ନୁହେଁ। ଜାପାନ ଓ କୋରିଆ ଉପରେ ଆମେରିକା ୨୫% ଶୁଳ୍କ ଲଗାଇଛି। ତେବେ ଆଲୋଚନା ଜରିଆରେ ଭାରତ ଏହି ଶୁଳ୍କ କମ୍ କରିପାରିବ ବୋଲି ସେ କହିଛନ୍ତି। କାରଣ ପୂର୍ବରୁ ଚୀନ୍ ଓ ଜାପାନ ସହ ସେଭଳି ଘଟିଛି। ଭାରତୀୟ ରପ୍ତାନିକାରୀ ସଂଗଠନ ମହାସଂଘ (ଏଫ୍‌ଆଇଇଓ)ର ପୂର୍ବତନ ସଭାପତି ଶରଦ କୁମାର ସରାଫ କହିଛନ୍ତି ଯେ ଟ୍ରମ୍ପଙ୍କୁ ପ୍ରଥମ ଶୁଳ୍କ ସମ୍ପର୍କରେ ସ୍ପଷ୍ଟ ଚିତ୍ର ଦେବାକୁ ହେବ।

ଫଳରେ ରପ୍ତାନିକାରୀମାନେ ସେହି ଅନୁସାରେ ରଣନୀତି ପ୍ରସ୍ତୁତ କରିପାରିବେ। ଭାରତ ଉପରେ ଯେଉଁ ଅତିରିକ୍ତ ଜରିମାନା ଲଗାଯାଇଛି, ତାହାର ଚିତ୍ର ସ୍ପଷ୍ଟ ନାହିଁ। ଭାରତ ପାଇଁ ଶୁଳ୍କ ବଡ଼ ସମସ୍ୟା ନୁହେଁ। ସବୁଠୁ ବଡ଼ ସମସ୍ୟା ହେଉଛି, ଏହା ଯେଉଁ ଦେଶଗୁଡ଼ିକ ସହ ରପ୍ତାନି ବଜାରରେ ପ୍ରତିଦ୍ବନ୍ଦ୍ବିତା କରୁଛି, ସେମାନଙ୍କ ଉପରେ ଆମେରିକା କେତେ ଶୁଳ୍କ ଲଗାଉଛି। ଯଦି ଭାରତ ଉପରେ ଶୁଳ୍କ ଅଧିକ ରହିବ, ତେବେ ତାହା ହେବ ପ୍ରକୃତ ସମସ୍ୟା ବୋଲି ସେ କହିଛନ୍ତି। ୨୦୨୪ରେ ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ପରିମାଣ ୧୨୯୨୦ କୋଟି ଡଲାର ଥିଲା। ଆମେରିକାକୁ ଭାରତ ୮୭୪୦ କୋଟି ଡଲାରର ଜିନିଷ ପଠାଇଥିଲା। ଆମେରିକା କିନ୍ତୁ ତା’ଠାରୁ କମ୍ ୪୧୮୦ କୋଟି ଡଲାରର ଜିନିଷ ଭାରତକୁ ପଠାଇଥିଲା। ଭାରତ ସରକାରଙ୍କ ଚଢ଼ା ଶୁଳ୍କ ଲାଗି ଆମେରିକୀୟ କମ୍ପାନିଗୁଡ଼ିକ ବ୍ୟବସାୟ ପ୍ରତିଦ୍ବନ୍ଦ୍ବିତାରେ ତିଷ୍ଠି ପାରୁନଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି।