ନୂଆଦିଲ୍ଲୀ: ରୁଷ୍‌ରୁ ତେଲ କିଣିବା ବନ୍ଦ କରିବା ପାଇଁ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାପ ପକାଇଛନ୍ତି। ଏଥିସହିତ ରୁଷ୍‌ଠାରୁ ଚୀନ ଅଶୋଧିତ ତେଲ କିଣୁଥିବାରୁ ତା’ ଉପରେ ୫୦ରୁ ୧୦୦ ପ୍ରତିଶତ ଶୁଳ୍କ ଲଗାଇବା ପାଇଁ ମଧ୍ୟ ସେ ଧମକ ଦେଇଛନ୍ତି। 
ସାମାଜିକ ଗଣମାଧ୍ୟମ ଟ୍ରୁଥ ସୋସିଆଲ୍‌ରେ ଶନିବାର ଟ୍ରମ୍ପ ଲେଖିଛନ୍ତି, ନାଟୋ ସଦସ୍ୟମାନେ ରୁଷ୍‌ଠାରୁ ତେଲ କିଣିବା ତାଙ୍କୁ ଚକିତ କରିଛି। ନାଟୋ ଉଦ୍ଦେଶ୍ୟରେ ସେ ଲେଖିଛନ୍ତି ରୁଷ୍‌ ପ୍ରସଙ୍ଗରେ ଏହା ସେମାନଙ୍କର ମୂଲଚାଲ ଶକ୍ତିକୁ ଦୁର୍ବଳ କରିଦେଉଛି। ରୁଷ୍‌-ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ନାଟୋ ସଦସ୍ୟମାନଙ୍କ ପ୍ରତିବଦ୍ଧତା ୧୦୦ ପ୍ରତିଶତରୁ କମିଯାଉଛି। 

Advertisment

ଭାରତ ପରେ ଚୀନ ରୁଷ୍‌ଠାରୁ ଅଧିକ ତେଲ କିଣୁଛି। ଏମାନଙ୍କ ପଛକୁ ନାଟୋର ସଦସ୍ୟ ରାଷ୍ଟ୍ର ତୁର୍କୀ ତୃତୀୟ ସ୍ଥାନରେ ରହିଛି। ନାଟୋର ୩୨ ସଦସ୍ୟଙ୍କ ମଧ୍ୟରୁ ହଙ୍ଗେରୀ ଓ ସ୍ଲୋଭାକିଆ ମଧ୍ୟ ରୁଷ୍‌ଠାରୁ ଅଶୋଧିତ ତେଲ କିଣୁଛନ୍ତି। ରୁଷ୍‌ଠାରୁ ନାଟୋ ସଦସ୍ୟଗୁଡ଼ିକ ତେଲ କିଣିବା ବନ୍ଦ କଲେ ଏବଂ ଚୀନ ଉପରେ ଶୁଳ୍କ ଲଗାଗଲେ, ତାହା ଘାତକ ହେବ, କିନ୍ତୁ ହାସ୍ୟାସ୍ପଦ ଯୁଦ୍ଧ ବନ୍ଦ କରିବାରେ ସହାୟକ ହେବ। 

ସେ ଏହା ମଧ୍ୟ କହିଛନ୍ତି, ରୁଷ୍‌ ଉପରେ ଚୀନର ଭଲ ନିୟନ୍ତ୍ରଣ ରହିଛି। ସେ ଲଗାଇବାକୁ ଥିବା ଶୁଳ୍କ ସେହି ନିୟନ୍ତ୍ରଣ ଓ ସଂପର୍କକୁ ଭାଙ୍ଗିବ। ସେହିଭଳି ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ସେ ତାଙ୍କ ଦେଶର ପୂର୍ବତନ ରା‌ଷ୍ଟ୍ରପତି ଜୋ ବାଇଡେନଙ୍କୁ ଦାୟୀ କରିଛନ୍ତି। ଏହା ଟ୍ରମ୍ପଙ୍କ ଯୁଦ୍ଧ ନୁହେଁ। ଯଦି ଟ୍ରମ୍ପ ରାଷ୍ଟ୍ରପତି ଥା’ନ୍ତେ ଏହି ଯୁଦ୍ଧ କଦାପି ଆରମ୍ଭ ହୋଇ ନଥା’ନ୍ତା। ଏହା ବାଇଡେନ ଏବଂ ଜେଲେନସ୍କିଙ୍କ ଯୁଦ୍ଧ ବୋଲି ସେ କହିଛନ୍ତି। ନାଟୋ ସଦସ୍ୟମାନଙ୍କୁ ଟ୍ରମ୍ପ୍‌ କହିଛନ୍ତି, ଶୀଘ୍ର ଯୁଦ୍ଧ ବନ୍ଦ ହେବ ଏବଂ ବଞ୍ଚିଥିବା ଲୋକଙ୍କ ଜୀବନ ରକ୍ଷା କରାଯାଇ ପାରିବ! ଯଦି ଏହା ହେବ ନାହିଁ ତା’ହେଲେ ତୁମେମାନେ କେବଳ ମୋର ସମୟ ଓ ଶକ୍ତି ଏବଂ ଆମେରିକାର ଅର୍ଥ ନଷ୍ଟ କରୁଛ।