ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଆମେରିକାର ଏକ ପ୍ରତିନିଧି ଦଳ ବାଣିଜ୍ୟ ଆଲୋଚନା ପାଇଁ ଭାରତ ଆସୁଛନ୍ତି। ଏହା ପୂର୍ବରୁ ଭାରତକୁ ଚାପରେ ରଖିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଦ୍ୟମ କରିଛନ୍ତି। ପାକିସ୍ତାନ ସହ ଦେଖାଦେଇଥିବା ଉତ୍ତେଜନାକୁ ବ୍ୟବହାର କରି ସେ ଭାରତକୁ ଚାପରେ ରଖିବାକୁ ଚାହୁଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଭାରତ ସହିତ ବାଣିଜ୍ୟ ବୁଝାମଣା ପ୍ରାୟ ଚୂଡ଼ାନ୍ତ ହୋଇଯାଇଛି। ପାକିସ୍ତାନର ଏକ ପ୍ରତିନିଧି ଦଳ ଆମ ସହ କଥା ହେବା ଲାଗି ଆସନ୍ତା ସପ୍ତାହରେ ଆସୁଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଯେକୌଣସି ପ୍ରକାର ଉତ୍ତେଜନା ଏହି ଆଲୋଚନାକୁ ପ୍ରଭାବିତ କରିବା ଆଶଙ୍କା ରହିଛି। ଯଦି ସେମାନେ ପରସ୍ପର ସହ ଯୁଦ୍ଧ କରିବେ ତେବେ ରାଜିନାମା କରିବା ଲାଗି ମୋର କୌଣସି ଆଗ୍ରହ ନାହିଁ ବୋଲି ଟ୍ରମ୍ପ ରୋକ୍ଠୋକ୍ ଶୁଣାଇଛନ୍ତି।
ଟ୍ରମ୍ପ ପୁଣି ଦୋହରାଇଛନ୍ତି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ଲାଗି ସେ ମଧ୍ୟସ୍ଥତା କରିଥିଲେ।
ସେ କହିଛନ୍ତି ଯେ ଆମେ ବ୍ୟବସାୟ ନେଇ କଥାବାର୍ତ୍ତା କରୁଛୁ। ଭାରତ ଓ ପାକିସ୍ତାନ, ଉଭୟ ଦେଶ ସହ ଆଲୋଚନା ଚାଲିଛି। ବାଣିଜ୍ୟ ଜରିଆରେ ଆମେ ଏକ ସମ୍ଭାବ୍ୟ ପରମାଣୁ ଯୁଦ୍ଧକୁ ଅଟକାଇପାରିଥିଲୁ ବୋଲି ସେ ଦାବି କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଯାହା ସାଧାରଣତଃ ଗୁଳିରେ ସମାଧାନ ହୋଇଥାଏ, ଆମେ ତାହାକୁ ବାଣିଜ୍ୟ ଜରିଆରେ ସମାଧାନ କରିଛୁ। ସେଥିପାଇଁ ମୁଁ ଅତ୍ୟନ୍ତ ଗର୍ବିତ। କିନ୍ତୁ ଏବିଷୟରେ କେହି କିଛି ଆଲୋଚନା କରୁନଥିବା ଟ୍ରମ୍ପ କହିଛନ୍ତି। ଗତ ଏପ୍ରିଲ୍ ୨ରେ ଭାରତ ଉପରେ ଟ୍ରମ୍ପ ୨୬ ପ୍ରତିଶତ ପାଲଟା ଶୁଳ୍କ ଲଗାଇଥିଲେ। ସେହି ଶୁଳ୍କକୁ ସେ ଏପ୍ରିଲ୍ ୯ରେ ୯୦ ଦିନ ପାଇଁ ସ୍ଥଗିତ ରଖିଛନ୍ତି। ଉକ୍ତ ସମୟ ସୀମା ଭିତରେ ବିଭିନ୍ନ ଦେଶ ଆମେରିକା ସହ ବାଣିଜ୍ୟ ବୁଝାମଣା କରିବାକୁ ଉଦ୍ୟମ କରୁଛନ୍ତି। ଭାରତ ମଧ୍ୟ ସେହି ଦୌଡ଼ରେ ରହିଛି। ଜୁନ୍ ସୁଦ୍ଧା ଆମେରିକା ସହ ଏକ ଅନ୍ତରୀଣ ରାଜିନାମା ସ୍ବାକ୍ଷର କରିବାକୁ ଭାରତ ଉଦ୍ୟମ କରୁଛି।