ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ନିର୍ବାଚନରେ ହାରିବାକୁ ଯାଉଛନ୍ତି। ଯଦିଓ ଏପର୍ଯ୍ୟନ୍ତ ଫଳାଫଳ ସ୍ପଷ୍ଟ ହୋଇନାହିଁ ତଥାପି ଟ୍ରମ୍ପଙ୍କ ପ୍ରତିଦ୍ବନ୍ଦ୍ବୀ ଜୋ ବାଇଡେନ ଆଗରେ ଅଛନ୍ତି। ଟ୍ରମ୍ପ ହାରୁଥିବାର ସଙ୍କେତ ମିଳିବା ପରେ ତାଙ୍କ ପୁଅ ଏରିକ୍ଙ୍କୁ ଟ୍ବିଟରରେ ଆଜି ସାଂଘାତିକ ଟ୍ରୋଲ କରାଯାଇଛି। ବିଶେଷକରି କମ୍ ମୂଲ୍ୟରେ ବିମାନ ସେବା ଯୋଗାଇ ଦେଉଥିବା ୟୁରୋପର ରାଏନେୟାର ଏୟାରଲାଇନ୍ସ ପକ୍ଷରୁ କରାଯାଇଥିବା ଟ୍ବିଟ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଏୟାରଲାଇନ ପକ୍ଷରୁ ଏରିକ୍ ଟ୍ରମ୍ପଙ୍କ ଫଟୋ ସହିତ ଇଂରାଜୀରେ ଦୁଇଟି ବାକ୍ୟ ଲେଖାଯାଇଛି।
ସେଥିରେ ଉଲ୍ଲେଖ କରାଯାଇଛି ଏହି ଲୋକଙ୍କୁ ଦେଖନ୍ତୁ। ଏହି ବ୍ୟକ୍ତି ଭବିଷ୍ୟତରେ ଏୟାର ଫୋର୍ସ ୱାନରେ ଯାତ୍ରା କରିବାର ସୁବିଧା ପାଇ ନପାରନ୍ତି। ତେଣୁ ସେ ବାଣିଜ୍ୟିକ ବିମାନରେ ଯାତ୍ରା କରିବେ। ତେବେ ଏରିକ୍ ଚିନ୍ତିତ ହୁଅନାହିଁ। ଆମ ପାଖରେ ୯.୯୯ ୟୁରୋ ମୂଲ୍ୟର ବିମାନ ଟିକଟ ରହିଛି। ଆଗାମୀ ଦିନରେ ଆପଣ ୟୁରୋପକୁ ଆସିଲେ ଏହି ଟିକଟ ଉପଲବ୍ଧ ହେବ ବୋଲି ଏଥିରେ କୁହାଯାଇଛି। ରାଏନେୟାର ପକ୍ଷରୁ ଏହି ଟ୍ବିଟ୍ କରାଯିବା ପରେ ଏହା ଭାଇରାଲ ହେବାରେ ଲାଗିଛି। ଏହାକୁ ୬୫.୬ ହଜାର ଲୋକ ଲାଇକ୍ କରିଥିବାବେଳେ ୧୩.୭ ହଜାର ଲୋକ ରିଟ୍ବିଟ୍ କରିଛନ୍ତି। ଏହି ମଜାଳିଆ ଟ୍ବିଟ ଉପରେ ବହୁ ବ୍ୟକ୍ତି ସେମାନଙ୍କ ମତାମତ ଦେଇଛନ୍ତି। ଭାରତୀୟ ମୁଦ୍ରାରେ ଏହି ଟିକଟର ମୂଲ୍ୟ ପାଖାପାଖି ୮୭୯ ଟଙ୍କା ହେବ। ଉଲ୍ଲେଖଯୋଗ୍ୟ ଏୟାରଫୋର୍ସ ୱାନ ହେଉଛି ଆମେରିକା ରାଷ୍ଟ୍ରପତିଙ୍କ ସରକାରୀ ବିମାନ। ଏହି ଅତ୍ୟାଧୁନିକ ବିମାନରେ ଆମେରିକାର ରାଷ୍ଟ୍ରପତି ଓ ତାଙ୍କ ପରିବାର ଯାତ୍ରା କରିବା ସୁଯୋଗ ପାଇଥାନ୍ତି।