ଭୁବନେଶ୍ବର: ଓଡ଼ିଶା ଦେଶର ଅନ୍ୟତମ ପ୍ରମୁଖ ସାମୁଦ୍ରିକ ଖାଦ୍ୟ ରପ୍ତାନି ରାଜ୍ୟ। ଓଡ଼ିଶାର ମୋଟ ଚିଙ୍ଗୁଡ଼ି ଓ ସାମୁଦ୍ରିକ ଖାଦ୍ୟ ରପ୍ତାନିରୁ ପ୍ରାୟ ୭୦ ପ୍ରତିଶତ  ଯୁକ୍ତରାଷ୍ଟ୍ର ଆମେରିକାକୁ ହୋଇଥାଏ। ବର୍ଷକୁ ପ୍ରାୟ ୨୦୦୦ କୋଟି ଟଙ୍କାର ଚିଙ୍ଗୁଡ଼ି ଓ ଅନ୍ୟାନ୍ୟ ସାମୁଦ୍ରିକ ଖାଦ୍ୟ ଓଡ଼ିଶା ଆମେରିକା ବଜାରକୁ ରପ୍ତାନି କରିଥାଏ। ଏହି ରପ୍ତାନି ଓଡ଼ିଶା ପାଇଁ ବିଦେଶୀ ମୁଦ୍ରା ଉପାର୍ଜନର ସୁଯୋଗ ଆଣିଥାଏ।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଘୋଷଣା କରିବା ପରେ ଉଭୟ ଚିଙ୍ଗୁଡ଼ି ରପ୍ତାନିକାରୀ ଓ ଚାଷୀମାନଙ୍କ ଚିନ୍ତା ବଢ଼ିଯାଇଛି। କାରଣ ଏତେ ଚଢ଼ା ଶୁଳ୍କରେ ଆମେରିକାରେ ବ୍ୟବସାୟ କରିବା ରପ୍ତାନିକାରୀଙ୍କ ପାଇଁ ସମ୍ଭବ ନୁହେଁ। ଓଡ଼ିଶାରୁ ଯୁକ୍ତରାଷ୍ଟ୍ର ଆମେରିକାକୁ କରାଯାଉଥିବା ସମୁଦାୟ ରପ୍ତାନିରେ ଚିଙ୍ଗୁଡ଼ିର ଯୋଗଦାନ ସିଂହଭାଗ ହୋଇଥିବାରୁ ରାଜ୍ୟ ଏ ବାବଦରେ ବଡ଼ଧରଣର କ୍ଷତି ସହିବ। 

Advertisment

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଇକ୍ବେଡର ଉପରେ ୧୫ ପ୍ରତିଶତ ଏବଂ ଇଣ୍ଡୋନେସିଆ ଉପରେ ୧୯ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ଚିଙ୍ଗୁଡ଼ି ଏବଂ ସାମୁଦ୍ରିକ ଖାଦ୍ୟ କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକା ବଜାରରେ ଏମାନେ ଭାରତର ବଡ଼ ପ୍ରତିଯୋଗୀ ରାଷ୍ଟ୍ର। ତେଣୁ ଶୁଳ୍କରେ ଥିବା ଏତେବଡ଼ ପାର୍ଥକ୍ୟ କାରଣରୁ ଉପରୋକ୍ତ ଦେଶ ସହିତ ଓଡ଼ିଶା ଏବଂ ଭାରତର ଚିଙ୍ଗୁଡ଼ି ରପ୍ତାନିକାରୀମାନେ ପ୍ରତିଯୋଗିତା କରିବା ସମ୍ଭବ ନୁହେଁ। ୫୦ ପ୍ରତିଶତ ଅଧିକ ଶୁଳ୍କରେ ବି ଆମେରିକାର ଗ୍ରାହକମାନେ ଓଡ଼ିଶା କିମ୍ବା ଭାରତର ଚିଙ୍ଗିଡ଼ି କିଣିବେ ନାହିଁ। କେବଳ ରପ୍ତାନିକାରୀମାନେ ନୁହଁନ୍ତି, ଓଡ଼ିଶାର ୧୦ ହଜାରରୁ ଅଧିକ ଚିଙ୍ଗୁଡ଼ି ଚାଷୀଙ୍କ ଜୀବିକା ପ୍ରଭାବିତ ହେବ। କାରଣ ଓଡ଼ିଶାରେ ଯେଉଁ ଚିଙ୍ଗୁଡ଼ି ଚାଷ ହୋଇଥାଏ ତାହା ମୁଖ୍ୟତଃ ରପ୍ତାନି ପାଇଁ କରାଯାଇଥାଏ।

ବିଦେଶୀ ମୁଦ୍ରା ଉପାର୍ଜନ ହ୍ରାସ ପାଇବ
ଚାଷୀଙ୍କ ଜୀବିକା ବି ପ୍ରଭାବିତ ହେବ

ଏଥିସହିତ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ଶିଳ୍ପରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଜୀବିକା ମଧ୍ୟ ବାଧାପ୍ରାପ୍ତ ‌ହେବ।  ବଜାର ବିଶ୍ଳେଷକଙ୍କ କହିବାନୁଯାୟୀ, ରପ୍ତାନିକାରୀମାନେ ଆମେରିକାରୁ ଅର୍ଡର ରଖିବା ବନ୍ଦ କରିଦେଇଛନ୍ତି। କାରଣ ଚଢ଼ା ଶୁଳ୍କରେ ସେଠାରେ ସାମଗ୍ରୀ ବିକିବା ସହଜ ନୁହେଁ। ଫାଲ୍‌କନ୍‌ ଗ୍ରୁପ୍‌ର ନିର୍ଦ୍ଦେଶିକା ପ୍ରିୟଙ୍କା ମହାନ୍ତିଙ୍କ କହିବାନୁଯାୟୀ, ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ରାଜିନାମା ନହେବା ପର୍ଯ୍ୟନ୍ତ ରପ୍ତାନିକାରୀମାନେ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି। ବାଣିଜ୍ୟ ରାଜିନାମାରେ ଯଦି କିଛି ଅଗ୍ରଗତି ହୁଏ ଏବଂ ଅନ୍ୟ ଦେଶ ପାଇଁ ଟ୍ରମ୍ପ ଯେଭଳି ଶୁଳ୍ପରେ ସଂଶୋଧନ ଆଣୁଛନ୍ତି ଭାରତ ପାଇଁ ଯଦି ‌ସେଭଳି କିଛି କରନ୍ତି ତା’ହେଲେ ଆମେରିକାକୁ ଓଡ଼ିଶାର ଚିଙ୍ଗୁଡ଼ି ଓ  ସାମୁଦ୍ରିକ ଖାଦ୍ୟ ରପ୍ତାନି ହୋଇପାରିବ। ନ‌ଚେତ୍‌ ଓଡ଼ିଶାର ଚିଙ୍ଗୁଡ଼ି ରପ୍ତାନି ଉପରେ ବଡ଼ଧରଣର ପ୍ରଭାବ ପଡ଼ିବ। ଉଲ୍ଲେଖଯୋଗ୍ୟ, ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ବର୍ତ୍ତମାନ ସୁଦ୍ଧା ବାଣିଜ୍ୟ ରାଜିନାମା ନେଇ ୫ଟି ପର୍ଯ୍ୟାୟ ଆଲୋଚନା ହୋଇସାରିଲାଣି। କିନ୍ତୁ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ଷଷ୍ଠ ପର୍ଯ୍ୟାୟ ଆଲୋଚନା ଚଳିତମାସରେ ନୂଆଦିଲ୍ଲୀରେ ହେବ।